ଏବେ ଖୋଲିବନି ଶ୍ରୀମନ୍ଦିରର ୪ ଦ୍ୱାର

ଆଜି ବସିଥିବା ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଶ୍ରୀମନ୍ଦିରର ଚାରିଦୁଆର ଖୋଲିବା ପ୍ରସଙ୍ଗ ଉପରେ ଆଲୋଚନା ହୋଇଛି । ଭକ୍ତଙ୍କ ପ୍ରବେଶ ପାଇଁ କେବଳ ଶ୍ରୀମନ୍ଦିର ସିଂହଦ୍ଵାର ଖୋଲା ରହିଥିବା ବେଳେ ପୁରୀବାସୀଙ୍କ ପାଇଁ ପରିଚୟପତ୍ର ଆଧାରରେ ପଶ୍ଚିମଦ୍ବାର ଖୋଲା ରହିଛି । ଶ୍ରୀମନ୍ଦିର ଯାତ୍ରୀ ପରିକ୍ରମା ପ୍ରକଳ୍ପ ଚାଲୁଥିବାରୁ ବର୍ତ୍ତମାନ ପରିପ୍ରେକ୍ଷୀରେ ଉତ୍ତର ଓ ଦକ୍ଷିଣ ଦ୍ୱାର ଖୋଲିବା ସମ୍ଭବପର ନୁହେଁ ବୋଲି କହିଛନ୍ତି ଜିଲ୍ଲାପାଳ ।
ଏହାଛଡା ମହାପ୍ରଭୁଙ୍କ ବନକଲାଗି ନୀତିକୁ ନେଇ ଉପୁଜିଥିବା ଦ୍ୱନ୍ଦ୍ୱର ଅବସାନ ଘଟିଛି । ଆଜିର ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ହୋଇଥିବା ନିଷ୍ପତ୍ତି ଅନୁସାରେ ମାସକୁ ଦୁଇ ଥର ବୁଧବାର ବନକଲାଗି ନୀତି ଅନୁଷ୍ଠିତ ହେବ । ଯଦି ବୁଧବାର କିଛି ବିଶେଷ ନୀତି ରହିବ ତାହେଲେ ଗୁରୁବାର ବନକଲାଗି ନୀତି କରାଯିବ ।
ଶ୍ରୀମନ୍ଦିର ପ୍ରଶାସନ ନିର୍ଦ୍ଦେଶ ଅନୁସାରେ ଦତ୍ତମହାପାତ୍ର ସେବାୟତ ମାନେ ନୀତି ସମ୍ପର୍ଣ୍ଣ କରିବେ ବୋଲି କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା । ଗତ ଜୁଲାଇ ୧ ତାରିଖରୁ ଦତ୍ତମହାପାତ୍ର ସେବାୟତ ଓ ଶ୍ରୀମନ୍ଦିର ପ୍ରଶାସନ ନିଜ ନିଜ ଜିଦରେ ଅଟଳ ରହିବାରୁ ଏକମାସ ଧରି ମହାପ୍ରଭୁଙ୍କ ବନକଲାଗି ନୀତି ସଂପର୍ଣ୍ଣ ହୋଇପାରିନାହିଁ । ତେବେ ଆସନ୍ତା ବୁଧବାର ୯ ତାରିଖରେ ବନକଲାଗି ନୀତି କରିବାକୁ ଶ୍ରୀମନ୍ଦିର ପ୍ରଶାସନ ମତ ଦେଇଥିବା ବେଳେ ଦତ୍ତମହାପାତ୍ର ସେବାୟତ ମାନେ ସେମାନଙ୍କର ନିଷ୍ପତ୍ତି ଜଣାଇ ନାହାନ୍ତି ।