ସମସ୍ତ ବର୍ଗର ପ୍ରାଥମିକ ଶିକ୍ଷକଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ

ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ୍‌ର ଆହ୍ବାନ କ୍ରମେ ସମସ୍ତ ବର୍ଗର ଶିକ୍ଷକ/ ଶିକ୍ଷୟିତ୍ରୀମାନଙ୍କର ତିନିଦଫା ଦାବି ପୂରଣ ନିମନ୍ତେ ଗତ ଅଗଷ୍ଟ ମାସ ୫ ତାରିଖରୁ ୩୧୪ ବ୍ଲକ୍ ଶିକ୍ଷାଧିକାରୀ ଓ ୧୧ ତାରିଖରେ ସମସ୍ତ ଜିଲ୍ଲା ଶିକ୍ଷାଧିକାରୀ ଓ ଜିଲ୍ଲାପାଳଙ୍କ ମାଧ୍ୟମରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଥିଲା । ସେପ୍ଟେମ୍ବର ୫ ତାରିଖ ଗୁରୁଦିବସ ଦିନ ମାନ୍ୟବର ରାଜ୍ୟ ସରକାର ଦାବୀ ପୂରଣ କରିବେ ବୋଲି ଆଶା କରିଥିଲେ । ମାତ୍ର ସେପରି କିଛି ହେଲା ନାହିଁ। ଏହା ସମସ୍ତ ପ୍ରାଥମିକ ଶିକ୍ଷକଙ୍କୁ ଗଭୀର ଆଘାତ ପ୍ରଦାନ କରିଅଛି । ଏହି ତିନିଦଫା ଦାବି ପୂରଣ ନିମନ୍ତେ ପୂର୍ବରୁ ମାନ୍ୟବର ଗଣଶିକ୍ଷା ମନ୍ତ୍ରୀ, ଓଡିଶା ଓ ମାନନୀୟ ଶିକ୍ଷା ସଚିବଙ୍କ ସହ ବହୁବାର ଆଲୋଚନା କରାଯାଇଥିଲା। ରାଜ୍ୟ ସଂଘର ପୂର୍ବ ନିଷ୍ପତି ତଥା ଚଳିତ ମାସ ୩ ତାରିଖରେ ରାଜ୍ୟ ସ୍ତରୀୟ ଜିଲ୍ଲା ସଭାପତି, ସଂପାଦକଙ୍କ ବୈଠକ ନିଷ୍ପତି କ୍ରମେ ଗତ ୮ ତାରିଖରୁ ବସିଥିବା ରାଜ୍ୟର ସମସ୍ତ ବ୍ଲକ୍ ଶିକ୍ଷାଧୀକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶିକ୍ଷକ/ଶିକ୍ଷୟିତ୍ରୀମାନେ ଆଜି ୧୧ ତାରିଖ ଠାରୁ ସଭାପତି ବୈରାଗୀ ଚରଣ ସେଠୀଙ୍କ ଅଧ୍ୟକ୍ଷତାରେ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଦାବି ପୂରଣ ପର୍ଯ୍ୟନ୍ତ କାର୍ଯ୍ୟବନ୍ଦ ଆନ୍ଦୋଳନ ଜାରି ରଖିବେ । ଏହି ଆନ୍ଦୋଳନ ବିଷୟରେ ପ୍ରଶାସନ ଓ ପୋଲିସ୍ ପ୍ରଶାସନଙ୍କୁ ଜଣାଇଛନ୍ତି ବୋଲି କହିଛନ୍ତି।

Leave a Reply

Your email address will not be published. Required fields are marked *