କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ

ସୋର,୨।୬(ଡି.ଏନ୍‌.ଏ.): ବାଲେଶ୍ୱର ଜିଲା ବାହାନଗା ଷ୍ଟେଶନରେ ଶୁକ୍ରବାର ସନ୍ଧ୍ୟାରେ ୨ ଏକ୍ସପ୍ରେସ୍ ଟ୍ରେନ୍ କରମଣ୍ଡଳ ଏକ୍ସପ୍ରେସ ଓ ଯଶୱନ୍ତପୁର-ହାୱଡ଼ା ଏକ୍ସପ୍ରେସ ଦୁର୍ଘଟଣାଗ୍ରସ୍ତ ହୋଇଛି।  ଏହି ଦୁର୍ଘଟଣାରେ ୬-୭ ବଗି ଲାଇନଚ୍ୟୁତ୍ ହୋଇଥିବା ଅନୁମାନ କରାଯାଉଛି। ମୃତକ ସଂଖ୍ୟା ୧୦କୁ ବୃଦ୍ଧି ଘଟିଛି। ୪୦ରୁ ଉର୍ଦ୍ଧ୍ଵ ଗୁରୁତର ଆହତ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି।  ଉଦ୍ଧାରକାରୀ ଦଳ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।  ସ୍ଥିତିକୁ ଦେଖିଲେ ମୃତକଙ୍କ ସଂଖ୍ୟା ବଢିବାର ସମ୍ଭାବନା ରହିଛି। ସନ୍ଧ୍ୟା ୭ଟାରେ  ଦୁର୍ଘଟଣା ପରେ ବର୍ତ୍ତମାନ ଏହି ରୁଟ୍‌ରେ ସମସ୍ତ ଟ୍ରେନ ଚଳାଚଳ ବନ୍ଦ କରାଯାଇଛି। ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାରକାର୍ଯ୍ୟ ଜାରି ରହିଛି। ଟ୍ରେନର ୧୮ଟି ଡବା ଥିବା କୁହାଯାଉଛି।

ବାଲେଶ୍ୱର ବାହାନଗା ନିକଟରେ ଦୁଇ ଏକ୍ସପ୍ରେସ୍‌ ଟ୍ରେନ କରମଣ୍ଡଳ ଏକ୍ସପ୍ରେସ୍‌ ଓ ଯଶୱନ୍ତପୁର-ହାୱଡା ଏକ୍ସପ୍ରେସ ଭିତରେ ହୋଇଥିବା ଦୁର୍ଘଟଣାରେ ମୃତାହତଙ୍କ ସଂଖ୍ୟା ବିଢ଼ିବାରେ ଲାଗିଛି। ଏଯାବତ୍‌ ମୃତ୍ୟୁ ସଂଖ୍ୟା ୫୦ରେ ପହଞ୍ଚିଥିବା ବେଳେ ୩୫୦ରୁ ଅଧିକ ଆହତଙ୍କୁ ଘଟଣାସ୍ଥଳରୁ ଉଦ୍ଧାର କରି ନିକଟ ଡାକ୍ତରଖାନାମାନଙ୍କରେ ଭର୍ତ୍ତି କରାଯାଇଛି।

ଅନ୍ୟପକ୍ଷରେ ଏହି ଦୁର୍ଘଟଣା ଲାଗି   ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୁଃଖ ପ୍ରକାଶ କରିଛନ୍ତି।  ମୃତାହତ ବ୍ୟକ୍ତିଙ୍କ ପରିବାରକୁ ସେ ସମବେଦନା ଜଣାଇଛନ୍ତି। ଏ ନେଇ ସେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ସହ ସେ କଥା ହୋଇଛନ୍ତି ଓ ଉଦ୍ଧାର କାର୍ଯ୍ୟରେ ସବୁ ପ୍ରକାର ସହାୟତା ପାଇଁ ନିର୍ଦ୍ଦେଶ ଦେଇଥିବା  ସେ ଟୁଇଟ କରି ସୂଚନା ଦେଇଛନ୍ତି।

ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ  ଦୁଃଖ ପ୍ରକାଶ କରି ମୃତାହତ ବ୍ୟକ୍ତିଙ୍କ ପ୍ରତି ସମବେଦନା ଜଣାଇଛନ୍ତି ।

Leave a Reply

Your email address will not be published. Required fields are marked *