କରମଣ୍ଡଳ ଏକ୍ସପ୍ରେସ୍ ଦୁର୍ଘଟଣା : ଉଦ୍ଧାର କାର୍ଯ୍ୟ ଆରମ୍ଭ, ହେଲ୍ପଲାଇନ୍ ନମ୍ବର ଜାରି
ବାଲେଶ୍ବର : ବାଲେଶ୍ବର ଜିଲା ବାହାନଗା ରେଳ ଷ୍ଟେସନ ନିକଟରେ କରମଣ୍ଡଳ ଏକ୍ସପ୍ରେସ୍ ଟ୍ରେନ୍ (୧୨୮୪୧-ଅପ୍) ଦୁର୍ଘଟଣା । ଏହି ଦୁର୍ଘଟଣାରେ ଶତାଧିକ ଯାତ୍ରୀ ଆହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଅନେକ ଗୁରୁତର ମଧ୍ୟ ରହିଛନ୍ତି। ଅନ୍ଧାର ଯୋଗୁଁ ଟର୍ଚ୍ଚ ଲାଇଟ୍ ଓ ମୋବାଇଲ ଲାଇଟ୍ରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ଆହତ ଏବଂ ଗୁରୁତରମାନଙ୍କୁ ଉଦ୍ଧାର କରାଯାଇ ନିକଟସ୍ଥ ବାହାନଗା, ସୋର ଓ ବାଲେଶ୍ବର ଡାକ୍ତରଖାନାକୁ ଆମ୍ବୁଲାନ୍ସ ମାଧ୍ୟମରେ ନିଆଯାଉଛି। ୨୫ରୁ ଉର୍ଦ୍ଧ୍ୱ ଆମ୍ବୁଲାନ୍ସ ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି । ସ୍ଥାନୀୟ ଲୋକଙ୍କର ସହାୟତାରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଘଟଣାସ୍ଥଳକୁ ଏନ୍ଡିଆରଏଫ୍ ଓ ଓଡ୍ରାଫ୍ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି।
ଦୁର୍ଘଟଣାସ୍ଥଳରେ ଗୁରୁତର ଯାତ୍ରୀଙ୍କୁ ଉଦ୍ଧାର କରିବା ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ ଜାରି ହୋଇଥିବା ବେଳେ ହେଲ୍ପଲାଇନ୍ ନମ୍ବର ଜାରି ହୋଇଛି। ରେଳବାଇ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଦୁର୍ଘଟଣାରେ ପୀଡିତ ପରିବାର ଲୋକଙ୍କ ପାଇଁ ହେଲ୍ପଲାଇନ୍ ନମ୍ବର ଜାରି କରାଯାଇଛି।
ହାୱଡା ହେଲ୍ପଲାଇନ୍ ନମ୍ବର – ୦୩୩-୨୬୩୮୨୨୧୭,
ଖଡ଼ଗପୁର ହେଲ୍ପଲାଇନ୍ ନମ୍ବର – ୮୯୭୨୦୭୩୯୨୫ ଓ ୯୩୩୨୩୯୨୩୩୯,
ବାଲେଶ୍ବର ହେଲ୍ପଲାଇନ୍ ନମ୍ବର – ୮୨୪୯୫୯୧୫୫୯ ଓ ୭୯୭୮୪୧୮୩୨୨
ଶାଲିମାର ହେଲ୍ପଲାଇନ୍ ନମ୍ବର – ୯୯୦୩୩୭୦୭୪୬।
ସୂଚନା ଯେ, କରମଣ୍ଡଳ ଏକ୍ସପ୍ରେସ୍ (୧୨୮୪୧-ଅପ୍) ଆଜି ଶାଲିମାର ଷ୍ଟେସନ୍ରୁ ଚେନ୍ନାଇ ଅଭିମୁଖେ ଅପରାହ୍ଣ ୩ଟା ୩୦ରେ ବାହାରିଥିଲା। ସନ୍ତ୍ରାଗାଛି ଷ୍ଟେସନ୍ରୁ ଏହି ଟ୍ରେନ୍ ୩ଟା ୪୩, ଖଡ଼ଗପୁରରୁ ସନ୍ଧ୍ୟା ୫ଟା ଓ ବାଲେଶ୍ବର ଷ୍ଟେସନ୍ରୁ ସନ୍ଧ୍ୟା ୬ଟା ୩୦ରେ ଛାଡ଼ିଥିଲା। ରାତି ପ୍ରାୟ ୭ଟା ୨୦ ମିନିଟ୍ ସମୟରେ ବାହାନଗା ଷ୍ଟେସନ୍ ନିକଟରେ ଛିଡ଼ା ହୋଇଥିବା ଏକ ମାଲ୍ବାହୀ ଟେନ୍ ଉପରେ ଚଢ଼ି ଯାଇଥିଲା। ଫଳରେ ଟ୍ରେନ୍ର ୮ଟି ବଗି ରେଳଧାରଣାରୁ ତଳକୁ ଖସିପଡ଼ିଛି। ଦୁର୍ଘଟଣା ଅତି ଭୟଙ୍କର ହୋଇଥିବା ବେଳେ ଅନେକ ଯାତ୍ରୀଙ୍କ ଜୀବନ ଯାଇଥିବା ଏବଂ ଶତାଧିକ ଯାତ୍ରୀ ଆହତ ହୋଇଥିବା ଅନୁମାନ କରାଯାଉଛି। ଉଦ୍ଧାର କାର୍ଯ୍ୟ ଜାରି ରହିଛି। ରେଳବାଇ ପୋଲିସ ସହ ସ୍ଥାନୀୟ ସୋର, ବାହାନଗା ପୋଲିସ ତଥା ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି।