କେନିୟା ପ୍ରଥମ ମହିଳା ନାଗରିକ ରାଚେଲ ରୁଟୋ ଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ

କେନିୟା ପ୍ରଥମ ମହିଳା ନାଗରିକ ରାଚେଲ ରୁଟୋ ଙ୍କ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ ରବିବାର ମଧ୍ୟାହ୍ନରେ କେନିୟା ରାଷ୍ଟ୍ରପତିଙ୍କ ପତ୍ନୀ ତଥା କେନିୟା ପ୍ରଥମ ମହିଳା ନାଗରିକ ତଥା ମାମା ରାଚେଲ୍ ରୁଟୋ ଭାବେ ପରିଚିତ ମହିଳା ନେତ୍ରୀ ବିଶ୍ଵ ଐତିହ୍ୟ କୋଣାର୍କ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଛନ୍ତି। କେନିୟା ସହିତ ବିଭିନ୍ନ ଦେଶରେ ନାରୀ ସଶକ୍ତିକରଣ ଉପରେ କାର୍ଯ୍ଯ କରୁଥିବାରୁ ଭୁବନେଶ୍ୱର କିସ୍ ଓ କିଟ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ତାଙ୍କୁ ଶନିବାର ସଂଧ୍ୟାରେ କିସ୍ ହୁମାନଟାରିଆନ ଆୱାର୍ଡ଼ ୨୦୨୨ ପ୍ରଦାନ କରାଯାଇଥିଲା। ଏହି ଅବସରରେ ସେ ରାଜ୍ୟ ଅତିଥି ଭାବେ ଆସିଥିବାରୁ କଡ଼ା ସୁରକ୍ଷା ବ୍ୟବସ୍ଥା ଭିତରେ ରବିବାର ନିଜ ଟିମ୍ ସହ ରାଚେଲ୍ ରୁଟୋ କୋଣାର୍କରେ ପହଞ୍ଚି ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିଥିଲେ। ପରେ ପରେ ମନ୍ଦିର ସମ୍ମୁଖରେ ଥିବା ଆଇଓସିଏଲ୍ ବ୍ୟାଖ୍ୟାନ କେନ୍ଦ୍ର ବୁଲି ଦେଖିଥିଲେ। ବରିଷ୍ଠ ଗାଇଡ ବିଶ୍ଵେଶ୍ୱର ଦାଶ ମହାଶୟାଙ୍କୁ ପ୍ରାଞ୍ଜଳ ଭାବରେ କୋଣାର୍କ ସୂର୍ଯ୍ୟ ମନ୍ଦିର କଳା ସ୍ଥାପତ୍ୟ, କାରୁକାର୍ଯ୍ୟ, ସଂସ୍କୃତି ସହିତ ଐତିହାସିକ ଓ ପୌରାଣିକ ତଥ୍ୟ ଉପରେ ବୁଝାଇଥିଲେ। ଏହି ପରିଦର୍ଶନ ସମୟରେ ପୋଲିସ୍ ଓ ପ୍ରଶାସନ ପକ୍ଷରୁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା। କେନିୟାର କେତେକ ଅଧିକାରୀଙ୍କ ସହ କୋଣାର୍କ ପର୍ଯ୍ୟଟନ ଅଧିକାରୀ ଅମିୟ ରଞ୍ଜନ ସେଠୀ, ଥାନା ଅଧିକାରୀ ପଞ୍ଚାନନ ପରିଡ଼ା, ବ୍ୟାଖ୍ୟାନ କେନ୍ଦ୍ର ପରିଚାଳକ ଆଶିଷ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସୁରକ୍ଷା ଓ ସହଯୋଗ କରିଥିଲେ।

ଜ୍ଞାନରଞ୍ଜନ ବିଶ୍ଵାଳ

Leave a Reply

Your email address will not be published. Required fields are marked *