ବାଳୀ ବଧ

ବାଳୀ ବଧ
( ରାଗ — ବଙ୍ଗଳାଶ୍ରୀ )
🖊️କବିରତ୍ନ ନୂତନ କୁମାର ବେହେରା
ଦେବ କି ଦାନବ ବାନର,ମାନବ
ଧରାଧାମେ ହେଲେ ଜାତ,
ପୁଣ୍ୟ କର୍ମେ ପାଏ ଯଶ ମାନ ସିଏ
ଚିହ୍ନେ ତାକୁ ଏ ଜଗତ।
ହୁଏ ଯଦି ଦୁଷ୍ଟ ଦିଏ ନାନା କଷ୍ଟ
ସଂସାରେ କରି ଅନିଷ୍ଟ ,
ପାପ ଲାଗି ଦଣ୍ଡ ପାଇ ଯାଏ ମୁଣ୍ଡ
ଜୀବନେ ଆସି ସଂକଟ।
ସବୁରି କଲ୍ୟାଣ ଲାଗି ଆର୍ତ୍ତତ୍ରାଣ
ସୃଷ୍ଟି କରିଛନ୍ତି ଧରା,
ଜଗତର ହିତେ ଧରି ସବୁ ହାତେ
ହୁଅନ୍ତି ପ୍ରଭୁ ସାହାରା।
କିଷ୍କିନ୍ଧ୍ୟା କଟକେ ବାଳୀ ରାଜା ବାକ୍ୟେ
ସର୍ବେ ହୋଇଥିଲେ ବଶ,
ଅମାନ୍ୟ କରେ ଯିଏ ମୃତ୍ୟୁ ଦଣ୍ଡ ପାଏ
ହୁଏ ତାର ସର୍ବନାଶ।
ବାଳୀ ଓ ସୁଗ୍ରୀବ ଦୁଇ ଭାଇ ଭାବ
ମଧ୍ୟରେ ଦେଲା ବିଭ୍ରାଟ,
ସୁଗ୍ରୀବର ଭାର୍ଯ୍ୟା ହରି ଦେଲା ଲଜ୍ୟା
ବାଳୀ କଲା ମହା ହଟ।
ସୁଗ୍ରୀବଙ୍କୁ ଖେଦି ହେଲା ସେ ବିବାଦୀ
ଅନ୍ୟାୟେ କଲା କୁକର୍ମ,
ସ୍ଵେଚ୍ଛାଚାରୀ ହୋଇ ବଡ଼ିମା ଦେଖାଇ
ଭୁଲିଗଲା ରାଜଧର୍ମ।
ଋଷ୍ୟମୂକ ଗିରି ନିରାପଦ କରି
ସୁଗ୍ରୀବକୁ କଲା ରକ୍ଷା,
ଅଭିଶାପେ ବାଳୀ ସେ ସ୍ଥାନକୁ ଚଳି
କରି ପାରେ ନାହିଁ ଦେଖା।
ଶ୍ରୀରାମ ଲକ୍ଷ୍ମଣ ଅରଣ୍ୟେ ଭ୍ରମଣ
କରି ଖୋଜୁଥିଲେ ସୀତା,
ଲଙ୍କାର ରାବଣ କରିଛି ହରଣ
ପୁଛୁ ଥିଲେ ତା ବାରତା।
ହନୁମାନ ଭେଟି ପ୍ରଭୁଙ୍କୁ ପାଛୋଟି
ନେଲେ ସୁଗ୍ରୀବଙ୍କ ପାଶେ,
ବେନି ଜନ ଦୁଃଖ କରିଣ ଉଲ୍ଲେଖ
ବନ୍ଧୁତା କଲେ ସୁଭାଷେ।
ଶ୍ରୀରାମ ସୁଗ୍ରୀବ ରଖି ମିତ୍ରଭାବ
ପରସ୍ପରେ କଲେ ସନ୍ଧି,
ବାଳୀ ବଧ କରି ରଖିବେ ଉଦ୍ଧାରି
ଭାତୃଭାବ ହୃଦେ ବାନ୍ଧି।
ସପ୍ତ ଶାଳବୃକ୍ଷ ଛେଦି ସେ ପ୍ରତ୍ୟକ୍ଷ
ଏକ ତୀରେ କଲେ ସାଧ୍ୟ,
ବାଳୀର ନିଧନ ହୋଇବ ଯେ ଜାଣ
ସଂକଳ୍ପର ହେବ ସିଦ୍ଧ।
ସୁଗ୍ରୀବର ସାଥେ ବାଳୀ ଯୁଦ୍ଧ ରତେ
ରାମ କଲେ ଶରାଘାତ,
ବକ୍ଷେ ଭେଦୀ ଶର ପ୍ରାଣ ନେଲା ତାର
ବାଳୀ ହୋଇଲା ନିହତ।
ସୁଗ୍ରୀବକୁ ରାଜା ତାରାକୁ ଭାରିଜା
କରାଇଲେ ତାଙ୍କ ଆଶେ,
କିଷ୍କିନ୍ଧ୍ୟା ନଗରୀ ଦୁଃଖ ଅପସରି
ଗଲା ରାମଙ୍କ ସକାଶେ।
ତହୁଁ ଦୁଇ ମିତ ଉଦ୍ୟମେ ବହୁତ
ସେତୁ ବାନ୍ଧି ସିନ୍ଧୁ ବକ୍ଷେ,
ରାବଣକୁ ମାରି ସୀତାଙ୍କୁ ଉଦ୍ଧାରି
ଫେରିଲେ ଅଯୋଧ୍ୟା ଲକ୍ଷ୍ୟେ।
ଶ୍ରୀରାମ ସୁଗ୍ରୀବ ଏକାତ୍ମର ଭାବ
ଜଗତେ ହେଲା ଅମର,
ଭାବଗ୍ରାହୀ ଭାବ ଦୂରାଏ ଅଭାବ
ତାଙ୍କ ହିତେ ଏ ସଂସାର।
ଜୟ ସୀତାରାମ ପ୍ରଭୁ ଯେ ପରମ
କରନ୍ତି ସଦା କଲ୍ୟାଣ,
ପବିତ୍ର ହୃଦୟେ ଚିନ୍ତିଲେ ବିନୟେ
ଶୁଣନ୍ତି ସିଏ ଜଣାଣ।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨