କିନ୍ନର ପାଳିଲେ ସାବିତ୍ରୀ ବ୍ରତ

କୋଣାର୍କ,୧୯.୦୫– କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ ସବିତ୍ରୀ ବ୍ରତ ପାଳନ କରାଯାଇଥିବା ଦେଖିବାକୁ ମିଳିଛି। କିନ୍ନର ମାନେ ନିଜ ଗୁରୁଙ୍କ ଆୟୁଷ ବୃଦ୍ଧି ଓ ନିରୋଗ କାମନା କରି ପୂଜାର୍ଚ୍ଚନା କରିବା ସହ ବ୍ରତ ଧାରଣ କରିଥିଲେ। ଏନେଇ କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ ମା ଭଗବତୀଙ୍କ ପାଖରେ ପୂଜା କରାଯାଇଥିବା ଜଣାପଡ଼ିଛି। ସୂଚନାରୁ ଜଣାପଡେକି କୋଣାର୍କ କିନ୍ନର ସଙ୍ଘ ପକ୍ଷରୁ ସାବିତ୍ରୀ ବ୍ରତ ନିରାଡ଼ମ୍ବର ଭାବେ ପୂର୍ଣ୍ଣ ପାଳନ କରାଯାଇଅଛି। ହିନ୍ଦୁ ଧର୍ମର ସଧବା ସ୍ତ୍ରୀ ମାନେ ନିଜ ସ୍ୱାମୀଙ୍କ ଦୀର୍ଘଜୀବନ କାମନା ସହ ପରିବାର ର ମଙ୍ଗଳ କାମନା ପାଇଁ ସାବିତ୍ରୀ ବ୍ରତ ପାଳନ କରିଥାନ୍ତି। ସେହିପରି କିନ୍ନର ମାନେ ନିଜ ଗୁରୁଙ୍କ ଦୀର୍ଘଜୀବନ କାମନା କରି ଏହି ପର୍ବକୁ ପାଳନ କରିଥାନ୍ତି।

ଯେତେବେଳେ କିନ୍ନର ମାନେ ସମାଜରୁ ଅବହେଳିତ ହୋଇ ନିଜ ପରିବାରରୁ ବାହାରି ନିଜର ସ୍ୱତନ୍ତ୍ର ପରିବେଶକୁ ଆପଣେଇ ଥାନ୍ତି ସେତେବେଳେ କେହିନାକେହି ଆପଣାର କରିଥାନ୍ତି। ଆପଣାର କରିଥିବା ବ୍ୟକ୍ତି ହିଁ ସେମାନଙ୍କର ଗୁରୁ ଅଟନ୍ତି। ନିଜ ଗୁରୁଙ୍କ ଦୀର୍ଘ ଜୀବନ ସହ ମଙ୍ଗଳକାମନା କରି କିନ୍ନର ମାନେ ସାବିତ୍ରୀ ବ୍ରତ ରଖିଥାନ୍ତି। ସଧବା ସ୍ତ୍ରୀ ପରି କିନ୍ନର ମାନେ ଫଳମୁଳ ସହିତ ସିନ୍ଦୁର, ଚୁଡ଼ି ଓ ବ୍ରତ ନେଇ ଠାକୁରଙ୍କ ପାଖରେ ସମର୍ପଣ କରି ପରିଧାନ କରିଥାନ୍ତି। ଗୁରୁଙ୍କ ମଙ୍ଗକ କାମନା କରିବା ସହ ନିଜେ ପାଇଥିବା ଜନ୍ମରୁ ମୁକ୍ତି ପାଇବାପାଇଁ ଗୁହାରୀ କରିଥାନ୍ତି। ସାବିତ୍ରୀ ବ୍ରତ ଅବସରରେ କୋଣାର୍କ କିନ୍ନର ସଙ୍ଘ ର ମୁଖ୍ୟ ଦୀପା କିନ୍ନରଙ୍କ ତତ୍ତ୍ଵାବଧାନରେ ପାୟଲ, ଶ୍ରଦ୍ଧା, ଶାନ୍ତି, ସୁକାନ୍ତି , ମୁସ୍କାନ, ସନ୍ଧ୍ୟା, ପ୍ରଶାନ୍ତି, ଗାୟତ୍ରୀ, ରଶ୍ମୀ, ଜୁଲି , ରୁବି ଓ ଶିବାନୀ କିନ୍ନର ମାନେ ମନ୍ଦିର ଯାଇ ପୂଜାର୍ଚ୍ଚନା କରିବା ସହ ବ୍ରତ ପାଳନ କରିଥିଲେ ।