ଗୁରୁଙ୍କର ଆୟୁଷ ବୃଦ୍ଧି ଓ ମଙ୍ଗଳ ମନାସି କିନ୍ନର ପାଳିଲେ ସାବିତ୍ରୀ ବ୍ରତ

ସାଧାରଣତଃ ସଧବା ନାରୀ ମାନେ ପତିଙ୍କ କଲ୍ୟାଣ ଓ ଦୀର୍ଘଜୀବନ କାମନା କରି ସାବିତ୍ରୀ ବ୍ରତ ପାଳିଥାଆନ୍ତି l ଏଠି କିନ୍ତୁ କିଛି ନିଆରା ଦୃଶ୍ୟ ଓ ଅନୁଭୂତି ଦେଖିବା ପାଇଁ ମିଳିଛି l ଆମେ କହୁଛୁ କିନ୍ନର ମାନଙ୍କ ସାବିତ୍ରୀ ବ୍ରତ ପାଳନର ବିଚିତ୍ର ପରମ୍ପରା କଥା l ଯାଜପୁର ବ୍ୟାସନଗର ଠାରେ ଜିଲ୍ଲା କିନ୍ନର ସଂଘ ଶାନ୍ତି ସେନା ପକ୍ଷରୁ ନିଆରା ଢଙ୍ଗରେ ପାଳନ କରାଯାଇଛି ସାବିତ୍ରୀ ବ୍ରତ l ଯେଉଁଠି ମହିଳା ମାନେ ନିଜ ସ୍ବାମୀଙ୍କ ମଙ୍ଗଳ କାମନା କରି ସାବିତ୍ରୀ ବ୍ରତ ପାଳନ କରୁଥିବାବେଳେ କିନ୍ନର ମାନେ ନିଜ ଗୁରୁଙ୍କର ଆୟୁଷ ବୃଦ୍ଧି ଓ ମଙ୍ଗଳ ମନାସି ବଡ଼ ଧୁମଧାମରେ ସହିତ ଏହି ବ୍ରତକୁ ପାଳନ କରିଛନ୍ତି । ଗୋଟିଏ ସ୍ଥାନରେ କିନ୍ନର ମାନେ ସାମୁହିକ ଭାବେ ପାଳିଛନ୍ତି ବ୍ରତ। ପୁରୋହିତ ପୂଜା କରୁଛନ୍ତି। ପ୍ରକାର ଫଳାଫଳରେ ଭୋଗ ପସରା ସଜାଇଛନ୍ତି l ଲକ୍ଷ୍ମୀନାରାୟଣ ନିକଟରେ ନୂଆ ଶାଢ଼ୀ ସହିତ ଶଙ୍ଖା ସିନ୍ଦୂର, ଅଳତା, କୁଙ୍କୁମ, ଆଇନା, ପାନିଆ ଆଦି ସଧବା ନାରୀର ପ୍ରସାଧନ ସାମଗ୍ରୀର ପୂଜା କରିଛନ୍ତି l ବ୍ରତ ପୂଜା କରି ବାହୁରେ ବାନ୍ଧିଛନ୍ତି l ସୂର୍ଯ୍ୟଙ୍କୁ ଅର୍ଘ୍ୟ ଟେକିଛନ୍ତି l ଗୁରୁ ସେମାନଙ୍କ ମଥାରେ ସିନ୍ଦୂର ଲଗାଇଛନ୍ତି l କିନ୍ନର ମାନେ ସେମାନଙ୍କ ଗୁରୁଙ୍କ ପାଦ ପ୍ରଖ୍ୟାଳନ କରି ପୂଜାର୍ଚ୍ଚନା କରିଛନ୍ତି l ବିଶ୍ଵଶାନ୍ତିର କାମନା କରିଛନ୍ତି l ଶେଷରେ ପୂଜା ସରିବା ପରେ ବ୍ରତ ସମାପନ କରି ଉପବାସ ଭଙ୍ଗିଛନ୍ତି ଓ ଫଳମୂଳ ଭୋଗ ଖାଇଛନ୍ତି l
ଯାଜପୁର ବ୍ୟାସନଗର ରୁ ଜ୍ୟୋତି ପ୍ରକାଶ ଭୂୟାଁ ଙ୍କ ରିପୋର୍ଟ