କୋଣାର୍କ ଉତ୍ସବ ଉଦଯାପିତ : ଆକର୍ଷଣ ସାଜିଲା ଓଡ଼ିଶୀ ଓ କଥକ ନୃତ୍ୟ

କୋଣାର୍କ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ଗତ ଡିସେମ୍ବର୧ ତାରିଖ ଠାରୁ ଆରମ୍ଭ ହୋଇଥିବା ୫ଦିନିଆ ୩୪ତମ କୋଣାର୍କ ଉତ୍ସବ ମଙ୍ଗଳବାର ଦିନ ଉଦଯାପିତ ହୋଇଯାଇଛି। ଉଦଯାପନୀ ସନ୍ଧ୍ୟାରେ ଅତିଥି ଭାବରେ ପୂର୍ବତଟ ରେଳପଥର ମହାପ୍ରବନ୍ଧକ ମନୋଜ ଶର୍ମା, ଓଟିଡିସି ଅଧ୍ୟକ୍ଷ ଡଃ ଲେନିନ ମହାନ୍ତି, ପୂର୍ବତନ ବରିଷ୍ଠ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ, ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି ଓ କୋଣାର୍କ ଏନଏସି ଅଧ୍ୟକ୍ଷା ସୁଶ୍ରୀ ସଂଯୁକ୍ତା ତ୍ରିପାଠୀ ପ୍ରମୁଖ ଯୋଗ ଦେଇଥିଲେ। ଉଦଯାପନୀ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ କୁମ୍ କୁମ୍ ମହାନ୍ତିଙ୍କ ଗୀତ ଗୋବିନ୍ଦ ଓଡିଶୀ ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନେ ମଂଚ ପୂଜା ଓ ହଂସ ଧ୍ବନି ପଲ୍ଲବୀକୁ ସୁନ୍ଦର ଭାବେ ପରିବେଷଣ କରିଥିଲେ। ବିଚିତ୍ର ରାମାୟଣ କାବ୍ୟ ଅନ୍ତର୍ଗତ ବୈଦେଶୀ ବିଳାସ – ହେ ବନଗିରି ହେ ଲତାଗିରୀ ମୋ କାନ୍ତ ଗଲେ ମୃଗ ମାରିର ପରିବେଷଣରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ପର୍ଯ୍ୟଟକ ମାନଙ୍କୁ ମନ୍ତ୍ର ମୁଗ୍ଧ କରିଥିଲା। ଓଡିଶୀ ନୃତ୍ୟର ଅନ୍ତିମ ଚରଣରେ ମା ଭବାନୀ ପରିବେଷଣ ପର୍ଯ୍ୟଟକ ମାନଙ୍କୁ ଆକୃଷ୍ଟ କରିଥିଲା। ଉଦଯାପନୀ ଉତ୍ସବର ଦ୍ଵିତୀୟ ଚରଣରେ କଥକ ନୃତ୍ୟରେ ସୂର୍ଯ୍ୟ ନାରାୟଣ ଉପାସନା ଉପରେ ଆଧାରିତ ଅଭିନୟ ସୂର୍ଯ୍ୟ ଜ୍ଯୋତି ଓ ରସ-ରୂପ ଏବଂ ରଙ୍ଗର କଳାତ୍ମକ ନିବେଦନ ରଙ୍ଗ ବସନ୍ତ। ଯାହାକି ପର୍ଯ୍ୟଟକ ମାନଙ୍କୁ ମନ୍ତ୍ର ମୁଗ୍ଧ ଓ ବିମୋହିତ କରିଥିଲା। ରାଜକୀୟ ଆଟୋପକୁ ନେଇ ଦରବାର ନୃତ୍ୟ ସଙ୍ଗୀତର ଅନୁଭବ ଦେଇଥିଲା। ଦରବାରୀ କାନାଡାର ନୃତ୍ୟ ସଂରଚନା ଗୁରୁ ଲୁନା ପୋଦ୍ଦାର ଓ ପ୍ରେରଣା ଅନୁଷ୍ଠାନର ନୃତ୍ୟ ଶିଳ୍ପୀ ମାନେ ନିଖୁଣ ଭାବରେ ପ୍ରଦର୍ଶିତ କରିଥିଲେ।

Leave a Reply

Your email address will not be published. Required fields are marked *