ଜିଲ୍ଲାସ୍ତରୀୟ କୃଷି ଯନ୍ତ୍ରପାତି ମେଳା ଉଦଯାପିତ

କୃଷି ଆମ ଦେଶର ଆତ୍ମା ସଦୃଶ ।ସେଥିପାଇଁ କୃଷି ଓ କୃଷକ ର ବିକାଶ ତଥା ଉତ୍ପାଦନ ବୃଦ୍ଧି ସହ ଆର୍ଥିକ ଅଭିବୃଦ୍ଧି ପାଇଁ ସରକାର ଅନେକ ବ୍ୟବସ୍ଥା କରିଛନ୍ତି ବୋଲି ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର ମତବ୍ୟକ୍ତ କରିଛନ୍ତି। ଆଜି ଅପରାହ୍ନ ରେ ଶରଧାବାଲି ଠାରେ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ଓ ଜିଲ୍ଲା ପ୍ରଶାସନ ସହଯୋଗରେ ଆୟୋଜିତ ୫ ଦିନିଆ ପୁରୀ ଜିଲ୍ଲା ସ୍ତରୀୟ କୃଷି ଯନ୍ତ୍ରପାତି ପ୍ରଦର୍ଶନୀ ଉଦଯାପିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଡଃ ମହାପାତ୍ର ଚାଷୀ ଭାଇ ଭଉଣୀ ମାନଙ୍କ ପ୍ରତି ରାଜ୍ୟ ସରକାରଙ୍କ ସକ୍ରିୟ ସହଯୋଗ ଓ କୃଷକ ମାନଙ୍କ ଉଦ୍ୟମ ର ଫଳ ସ୍ୱରୂପ ସମଗ୍ର ଦେଶରେ ଆମ ରାଜ୍ୟ ଏକାଧିକ ବାର କୃଷି କର୍ମଣ ପୁରସ୍କାର ହାସଲ କରିଛି।ବୈଜ୍ଞାନିକ ପଦ୍ଧତି ଓ ଆଧୁନିକ ଯନ୍ତ୍ରପାତି ବ୍ୟବହାର କରି ଚାଷୀ ଅଧିକ ଉତ୍ପାଦନ କରି ପାରୁଛି। ଯନ୍ତ୍ରପାତି ପାଇଁ ରିହାତି ଚାଷ ପ୍ରଣାଳୀ କୁ ଏକ ନୂତନ ଦିଶା ଦେଇଛି।ଏଥି ପ୍ରତି କୃଷକ ମାନଙ୍କୁ ଆହୁରି ଅଧିକ ଆକୃଷ୍ଟ କରିବା ସହ ଏହାର ଉପଯୋଗ ସମ୍ପର୍କରେ ସଚେତନ କରିବାକୁ ସେ ବିଭାଗୀୟ ଅଧିକାରୀ ମାନଙ୍କୁ ପରାମର୍ଶ ଦେଇଥିଲେ।ମୁଖ୍ୟ ଜିଲ୍ଲା କୃଷି ଅଧିକାରୀ ମନୋଜ କୁମାର ମହାନ୍ତି ଏଥିରେ ଅଧ୍ୟକ୍ଷତା କରି ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଏହି ମେଳା ଦ୍ଵାରା କୃଷକ ବନ୍ଧୁ ମାନେ ଆଧୁନିକ ଯନ୍ତ୍ରପାତି ସମ୍ପର୍କରେ ଅବଗତ ହେବା ସହ କ୍ରୟ କରିଥିବା ସେ ସୂଚନା ଦେଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ,କୃଷି ବିଜ୍ଞାନ କେନ୍ଦ୍ର ର ମତ୍ସ୍ୟ ବୈଜ୍ଞାନିକ ଡା ଅମ୍ବିକା ପ୍ରସାଦ ନାୟକ, ଜିଲ୍ଲା ମତ୍ସ୍ୟ ଅଧିକାରୀ ବିଭୂତି ରଞ୍ଜନ ରାଉତ, ସହକାରୀ ନିର୍ଦ୍ଦେଶକ ଉଦ୍ୟାନ ଅଜୟ କୁମାର ପ୍ରଧାନ ପ୍ରମୁଖ ଯୋଗ ଦେଇ କୃଷି ଓ କୃଷକ ର ଉନ୍ନତି ପାଇଁ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ସୂଚନା ଦେଇଥିଲେ। ଏହି ମେଳାରେ କୃଷକ ମାନଙ୍କୁ ବିଭିନ୍ନ ଆଧୁନିକ ଯନ୍ତ୍ରପାତି ର ପ୍ରଦର୍ଶନ, ତାହାର ଉପଯୋଗ ଓ ଆଗ୍ରହୀ କୃଷକ ମାନଙ୍କୁ ବିକ୍ରୟର ବ୍ୟବସ୍ଥା କରାଯାଇଥିଲା।ମେଳାରେ ପ୍ରାୟ ୪୫ ଟି ଷ୍ଟଲ ହେବା ସହ କୃଷକ ମାନଙ୍କ ସହ ଆଲୋଚନା ଚକ୍ର, ସେମାନଙ୍କ ସମସ୍ୟା, ଆବଶ୍ୟକତା ଇତ୍ୟାଦି ସମ୍ପର୍କରେ ଆଲୋଚନା ମଧ୍ୟ କରାଯାଇଥିଲା। ଉଲ୍ଲେଖନୀୟ ଅବଦାନ ପାଇଁ ଅଗ୍ରଣୀ କୃଷକ, ଉଦ୍ୟୋଗୀ, ଅଧିକାରୀ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା।ଶେଷରେ କୃଷି ନିର୍ବାହୀ ଯନ୍ତ୍ରୀ ଶ୍ରୀକାନ୍ତ କୁମାର ପରିଡା ଧନ୍ୟବାଦ ଅର୍ପଣ କରିଥିଲେ।ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପିପିଲି ବ୍ଲକ କୃଷି ଅଧିକାରୀ ପୀୟୂଷ ପଲ୍ଲବ ପରିଡା ଓ ସୌଜନ୍ୟ କୁମାର ଦାସ ମଞ୍ଚ ପରିଚାଳନା କରିଥିଲେ। କାର୍ଯ୍ୟକ୍ରମ ରେ କୃଷି କାର୍ଯ୍ୟାଳୟ ର ଅନ୍ୟାନ୍ୟ ଅଧିକାରୀ,କର୍ମଚାରୀ ମାନେ ଯୋଗ ଦେଇ କାର୍ଯ୍ୟ ପରିଚାଳନା ରେ ସହଯୋଗ କରିଥିଲେ।
