ଜାଗା ଆଖଡା ର ବିକାଶ ପାଇଁ ଭୂମି ପୂଜା

ପୁରୀ ୬/୧୨ ପୁରୀ ସହରରେ ଥିବା ୩୫ ଗୋଟି ଜାଗା ଆଖଡା ର ବିକାଶ କରାଯିବା ପାଇଁ ବହୁମୁଖୀ ବ୍ୟାୟାମଶାଳା ଓ ଭିତ୍ତିଭୂମି ଉନ୍ନୟନ ପାଇଁ ରାଜ୍ୟ ସରକାରଙ୍କ କ୍ରୀଡା ବିଭାଗ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେଇଛନ୍ତି।ସେଥିପାଇଁ ଆଜି ପୂର୍ବାହ୍ନରେ ବଡଶଖଂ ସ୍ଥିତ ମକରଧ୍ୱଜ ଜାଗା ରେ ଭୂମି ପୂଜା କାର୍ଯ୍ୟ ର ଶୁଭାରମ୍ଭ ପୁରୀ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ ଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା।ଜାଗା ଆଖଡା ସଂସ୍କୃତି ବହୁ ପ୍ରାଚୀନ।ଏହା କେବଳ ନିଜକୁ ସୁସ୍ଥ ରଖିବାକୁ ନୁହେଁ ବରଂ ଜଗନ୍ନାଥ ମନ୍ଦିର ଓ ସଂସ୍କୃତିର ରକ୍ଷା ପାଇଁ କାର୍ଯ୍ୟ କରି ଆସୁଛି ବୋଲି ଶ୍ରୀ ସ୍ୱାଇଁ ସୂଚନା ଦେଇ ଏହାର ବିକାଶ ରେ ସମସ୍ତଙ୍କ ସହଯୋଗ କାମନା କରିଥିଲେ।

ଅନ୍ୟ ମାନଙ୍କ ମଧ୍ୟରେ ଜିଲ୍ଲା କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ, ଜିଲ୍ଲା କ୍ରୀଡା ସଂସଦର ପୂର୍ବତନ ସାଧାରଣ ସମ୍ପାଦକ ରବି ଶଙ୍କର ପ୍ରତିହାରୀ,ଊପ ସଭାପତି ରାମଦାସ ମହାପାତ୍ର, ଶ୍ରୀମନ୍ଦିର ସୁଆର ମହାସୁଆର ନିଯୋଗ ସମ୍ପାଦକ ନାରାୟଣ ମହାସୁଆର,ବାଲି ସାହି ଆଖଡା ର ସମ୍ପାଦକ ନରେନ୍ଦ୍ର ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ।ଏହାପରେ ଆଜି ବଳଗଣ୍ଡି ସ୍ଥିତ ମାଜଣା ଜାଗା, ହିଞ୍ଜଳା ଜାଗା,ପଞ୍ଚାୟତ ଜାଗା, ଗୁରୁଜଙ୍ଗ ଜାଗା, ସୂର୍ଯ୍ୟ ମୁଖୀ ମହାବୀର ଯୁବକ ସଂଘ ଦୂରେଇ ଜାଗା,ବାଲିସାହି ଖୁଣ୍ଟିଆ ଜାଗା,ଲୁହା ଗଡ ଜାଗା,ବାସେଳୀ ସାହି ଦୀକ୍ଷିତ ବଡ ପୋଖରୀ ଜାଗା, ଚିତ୍ରକର ସାହି ମାଳିଗଡ ଜାଗା, ଚୁଡଙ୍ଗ ସାହି ବଡୁ ମହାପାତ୍ର ଜାଗା ଓ ଦୋଳମଣ୍ଡପ ସାହି ଚମ୍ପାଗଡ ଜାଗା ର ଭୂମି ପୂଜା କରାଯାଇଥିଲା।