ଲକ୍ଷ୍ମଣ ଶକ୍ତିଭେଦ

             ଲକ୍ଷ୍ମଣ ଶକ୍ତିଭେଦ
       ( ରାଗ — ମଙ୍ଗଳ କାମୋଦୀ )

🖊️କବିରତ୍ନ ନୂତନ କୁମାର ବେହେରା

ଦୈବର ବିଧାନେ’      ଅଛନ୍ତି ସୃଜନେ’
        ଦେବତା ମାନବ ଦାନବ’,
ଦିବ୍ୟଜ୍ଞାନ ବିନା’      ଜାଣି ତା’ ହୁଏନା’
          ଆସେ ନାହିଁ ଅନୁଭବ’,
           ରହେ ଅଜ୍ଞାନ’ ଯେ’
         ମୁଢ଼ ପଣେ କଲେ କର୍ମ’,
ପାପ ପଙ୍କେ ପଡ଼ି’       ଯାଏ ପଥ ହୁଡି଼’
       ସଂସାରେ ହୁଏ ଅଧମ’।୧।
ବିଶ୍ରବା ନନ୍ଦନ’      ସେ ଦୈତ୍ୟ ରାବଣ’
          ଶିବ ବରେ ବଳୀୟାନ’,
ଗର୍ବ ଅହଙ୍କାରେ’ ଧ୍ଵଂସକଲା ତିନିପୁରେ’
         ଆସିଲା ବେଗେ ଦୁର୍ଦ୍ଦିନ’,
           ତା’ର ନିଧନେ’ ଯେ’
          ଦେବକୁଳ କଲେ ସ୍ଥିର’,
ଜନମ ଲଭିବେ’      ପ୍ରଭୁ ସ୍ଵୟଂ ଭବେ’
          ଛେଦିବେ ରାବଣ ଶିର’।୨।
ଯୋଗସୂତ୍ର ଧରି’        ମର୍ତ୍ତେ ଅବତରୀ’
         ଆସିଲେ ପ୍ରଭୁ ଶ୍ରୀରାମ’,
ଅଯୋଧ୍ୟା ନଗରେ’      ଦଶରଥ ପୁରେ’
         ନର ରୂପେ ହେଲେ ଜନ୍ମ’,
             ହସିଲା ଧରା’ ଯେ’
            ସୃଷ୍ଟିରକ୍ଷା ଲାଗ ପ୍ରଭୁ’,
ପିତୃସତ୍ୟ ପାଳି’     ବନେ ଗଲେ ଚଳି’
        ସଂସାର କଲ୍ୟାଣେ ବିଭୁ’।୩।
ଦୁର୍ମତି ରାବଣ’         ସୀତାଙ୍କୁ ହରଣ’
          କରିନେଲା ଲଙ୍କାପୁରେ’,
ଶ୍ରୀରାମ ଲକ୍ଷ୍ମଣ’     ବେନି ଭାଇ ପ୍ରାଣ’
            ଝୁରି ରହିଲେ ଅଧିରେ’,
             ରାବଣେ ମାରି’ ଯେ’
           ଉଦ୍ଧାରି ଆଣିବେ ସୀତା’,
ଧର୍ମ ହେବ ରକ୍ଷା’    ପାଇବ ସେ ଶିକ୍ଷା’
        ସର୍ବେ ଜାଣିବେ ବାରତା’।୪।
ବାନ୍ଧି ସେତୁବନ୍ଧ’       କରିଲେ ପ୍ରବନ୍ଧ’
          ଲଢ଼ିବେ ରାବଣ ସାଥେ’,
ସଜାଡ଼ି ସଇନ’        କରିଲେ ଗମନ’
          ସ୍ଵର୍ଣ୍ଣଲଙ୍କା ପଥେ ପଥେ’,
           ଦେଲେ ଆହ୍ଵାନ’ ଯେ’
          ରାବଣ ଥରିଲା ଭୟେ’,
ବୀର ହନୁମାନ’        ବାନର ସଇନ’
       ଉତ୍ପାତିଲେ ନିରିଦୟେ’।୫।
ଅଙ୍ଗଦ ସୁଗ୍ରୀବ’        ଭଲ୍ଲୁକ ସ୍ଵଭାବ’
        ଏକେ ଏକେ ମହାରଥୀ’,
ଆରମ୍ଭିଲେ ଯୁଦ୍ଧ’  କଲେ ଦୈତ୍ୟ ବଧ’
        ହାରିଲେ ରାବଣ ସାଥି’,
           ରକ୍ତର ନଦୀ’ ଯେ’
       ବୋହିଲା ଯୁଦ୍ଧର କ୍ଷେତ୍ରେ’,
ମଲେ ପୁତ୍ରଗଣ    ଭ୍ରାତା ଓ ସଇନ’
        ତୀର ବର୍ଷଣର ମାତ୍ରେ।୬।
ଦେଖି ଦଶାନନ’         ବିରସ ବଦନ’
           କି କରୁଣ ପରିସ୍ଥିତି’ !
ସୀତାଙ୍କ ହରଣ’    ତାର ଯେ କାରଣ’   
          କରିବ ତାହାର ଇତି’,
         ତା’ ଚିନ୍ତା ଦହେ’ ଯେ’
        ଛାତି ତାର ଯାଏ ଫାଟି’,
କି କରମ କଲା’    ବିହି ବାମ ହେଲା’
       ଜୀବନ ହେଉଛି ମାଟି’।୭।
ସ୍ଵର୍ଣ୍ଣଲଙ୍କା ପୁର’        ହୁଏ ଛାରଖାର’
        ଶୁଭେ କ୍ରନ୍ଦନର ରୋଳ’,
ଆତଙ୍କିତ ପ୍ରାଣେ’   ପ୍ରତିହିଂସା ମନେ’
         ହୃଦେ ଜାଳିଲା ଅନଳ’,
            କରିବ ରଣ’ ଯେ’
        ନେବ ତାର ପ୍ରତିଶୋଧ’
ନିକ୍ଷେପିଲା ଶର’     ଟଳିଲେ ବାନର’
        କଲା ଅନେକଙ୍କୁ ବଧ’।୮।
କରିବାକୁ ରୋଧ’   ଟେକିଲେ ଆୟୁଧ’
         ଭ୍ରାତା ଅନୁଜ ଲକ୍ଷ୍ମଣ,
କ୍ରୋଧେ କରି ହଟ’  ଗଲେ ତା’ ନିକଟ’
         ନିଶ୍ଚେ ନାଶିବେ ରାବଣ’
           ଦେଖି ଶ୍ରୀରାମ’ ଯେ’
         ଦୂରୁ ପକାଇଲେ ଡ଼ାକ’,
ଯାଅ ନା ଅନୁଜ’     ନୁହେଁ ଏ ସହଜ’
        ରାବଣ ଜାଣେ କୁହୁକ’।୯।
ଚାଲିଲା ସମର’     ବିନିମୟେ ଶର’
      ଛତ୍ରଭଙ୍ଗ ଦେଲେ ସେନା’,
ମରିଗଲେ କେତେ’ ଘାତ ପ୍ରତିଘାତେ’
          କରିବ କିଏ ଗଣନା’ ?
           ଶୁଭେ ଚିତ୍କାର’ ଯେ’
         ରାବଣ ରାଗେ କମ୍ପିତ’,
ଯୁଦ୍ଧ ବିଭୀଷିକା’     ଜାଳୁଥିଲା ଲଙ୍କା’
         ଚାଲିଥିଲା ରକ୍ତପାତ’।୧୦।
ସହସା ରାବଣ’         କରି ଦୃଢ଼ ପଣ’
        ଉଠାଇଲା ଯେ ଏକଘ୍ନୀ’,
ଶକ୍ତିଶାଳୀ ଶର’    କାଟି ପାରେ ଶିର’
        ବିଜୁଳି ପ୍ରାୟେକ ଅଗ୍ନି’,
           ଅମାପ ଶକ୍ତି’ ଯେ’
       ପ୍ରୟୋଗେ କରଇ ଧ୍ବଂସ’,
ଅମୋଘ ଏ ଅସ୍ତ୍ର’      ବ୍ରହ୍ମ ଶକ୍ତି ତାର’
        ସ୍ଵତନ୍ତ୍ର ଗୁଣେ ଅଶେଷ’।୧୧।
ମୟ ଯେ ଅସୁର’      ରାବଣ ଶଶୁର’
         କରିଥିଲା ଏହା ଦାନ’,
ଏ ଶରେ ଜୀବନ’     ହାରିବ ଲକ୍ଷ୍ମଣ’
         ବୋଲି କଲା ଆସ୍ଫାଳନ’,
             ତୂଣୀରୁ କାଢ଼ି’ ଯେ’
            କଲା ମନ୍ତ୍ର ଉଚ୍ଚାରଣ’
ଜାଣିଣ ଶ୍ରୀରାମ’       ତାର ପରିଣାମ’
       ଶକ୍ତିଙ୍କୁ କଲେ ସ୍ମରଣ’।୧୨।
ଶକ୍ତିଦେବ ଚିନ୍ତି’       ଧର୍ମ ବଳ ଖ୍ୟାତି’
          କହିଲେ ସେ ନିରୁପାୟ’,
ଜୀବନେ ନ ମାରି’  ଚେତା ନେବେ ହରି’
          ରୁହ ବାରେ ହୋଇ ଥୟ’
             କଲେ ଚିକିତ୍ସା’ ଯେ’
            ଲକ୍ଷ୍ମଣ ଉଠିବେ ଜାଗି’
ଏକଘ୍ନୀ ଆଘାତେ’      ପଡ଼ିଲେ ମୂର୍ଚ୍ଛିତେ’
       ବୃକ୍ଷ ପ୍ରାୟେ ସିଏ ଭାଙ୍ଗି’।୧୩।
ଦେଖି ଶକ୍ତିଭେଦ’         କରି ଅବସାଦ’
         ଧରିଲେ ଭ୍ରାତକୁ କୋଳେ’,
ବକ୍ଷରୁ ରୁଧିର’           ବହେ ଝର ଝର’
           ପ୍ରଭୁ କାନ୍ଦଲେ ବିକଳେ’,
            ଶୋକେ ନିର୍ବାକ’ ଯେ’
             ଅନ୍ଧାର ଦିଶିଲା ସବୁ’
କି ବୁଦ୍ଧି କରିବେ’         ଲକ୍ଷ୍ମଣ ବଞ୍ଚିବେ’
         ଉପାୟ କି ଅଛି ଆଉ’ ?୧୪।
ସୁସେଣ ବଇଦ’          ନ ଗଣି ପ୍ରମାଦ’
        କହିଲେ ହେ ପ୍ରଭୁ ରାମ’,
ବେଗେ ଦେଲେ ଆଣି’  ବିଶଲ୍ୟକରଣୀ’
          ଦୁଃଖ ହେବ ଉପସମ’,
             କର ବିଧାନ’ ଯେ’
        ଆରୋଗ୍ୟ ହେବେ ଲକ୍ଷ୍ମଣ’
ତହୁଁ ହନୁମାନ’         ସେ ଗନ୍ଧମାର୍ଦ୍ଦନ’
        ପାଇଁ ଗଲେ ତତକ୍ଷଣ’।୧୫।
ରାମାୟଣ କଥା’         ଅସରନ୍ତି ଗାଥା’
           ପିତୃଭକ୍ତି ଭାତୃଭକ୍ତି’,
ପତିପତ୍ନୀ ପ୍ରେମ’          ଚିର ଅନୁପମ’
            ଭକ୍ତର ଅନନ୍ୟ ଭକ୍ତି’
             ଶିଖାଏ ସବୁ’ ଯେ’
          ସଂସାରକୁ ଦିଏ ଜ୍ଞାନ’,
ମର୍ଯ୍ୟାଦା ପରୁଷ’        ଶ୍ରୀରାମଙ୍କ ଯଶ’
        ଜଗତେ ଚିର ଅମ୍ଳାନ’।୧୬।

       କୋହି,ବାରିପଦା,ମୟୂରଭଞ୍ଜ।

Leave a Reply

Your email address will not be published. Required fields are marked *