ରତ୍ନବେଦୀ ଛାଡ଼ି ସ୍ନାନବେଦୀରେ ମହାବାହୁ, ଗଜାନନ ବେଶରେ ଭକ୍ତଙ୍କୁ ଦେବେ ଦର୍ଶନ

ଆଜି ପବିତ୍ର ଦେବ ସ୍ନାନ ପୂର୍ଣ୍ଣିମା । ୧୦୮ ଗରା ସୁବାସିତ ଜଳରେ ସ୍ନାନ କରିବେ ଚତୁର୍ଦ୍ଧାମୂରତି । ଏଥିପାଇଁ ରତ୍ନବେଦୀ ଛାଡ଼ି ସ୍ନାନବେଦୀକୁ ଆସିଛନ୍ତି ଶ୍ରୀଜିଉ । ପ୍ରଥମେ ବଡ଼ ଠାକୁରଙ୍କ ପରେ ସ୍ନାନ ବେଦୀରେ ବିଜେ କରିଥିଲେ ସୁଦର୍ଶନ । ଆଜି ମହାପ୍ରଭୁଙ୍କ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ଅର୍ଥାତ୍ ମହାପ୍ରଭୁଙ୍କ ଜନ୍ମତ୍ସବ। ନିର୍ଦ୍ଧାରିତ ସମୟ ସକାଳ ୪.୩୦ ମିନିଟ୍ ରେ ଆରମ୍ଭ ହୋଇଛି ପହଣ୍ଡି। ପ୍ରଥମେ ଧାଡି଼ ପହଣ୍ଡିରେ ସ୍ନାନବେଦୀକୁ ବିଜେ କରିଛନ୍ତି ଶ୍ରୀଜିଉ। ସୁଦର୍ଶନଙ୍କ ବିଜେ ପରେ ବଳଭଦ୍ରଙ୍କ ପହଣ୍ଡି ହୋଇଥିଲା। ପରେ ଦେବୀ ସୁଭଦ୍ରା ଆଉ ଶେଷରେ ହୋଇଛି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପହଣ୍ଡି ହୋଇଥିଲା । ବହୁ ଗୁଳୁଗୁଳି ସତ୍ତ୍ୱେ ମହାପ୍ରଭୁଙ୍କ ସ୍ନାନ ନୀତି ସହ ହାତୀ ବେଶ ଦର୍ଶନ କରିବାକୁ ବଡଦାଣ୍ଡରେ ଲାଗିଛି ଭକ୍ତଙ୍କ ନାହିଁ ନଥିବା ଭିଡ। ସେପଟେ ଶ୍ରୀଅଙ୍ଗ ସୁରକ୍ଷା ପାଇଁ ସେନାପଟା ଲାଗି କରିଛନ୍ତି ଦଇତାପତି । ସ୍ନାନଯାତ୍ରା ଓ ଘୋଷଯାତ୍ରାର ବିଭିନ୍ନ ପର୍ଯ୍ୟାୟ ନୀତି ପାଇଁ ଶୁକ୍ରବାରଠାରୁ ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି ଦଇତାପତି ସେବକ । ମାସେ ଧରି ଦଇତାପତି ମାନେ ମହାପ୍ରଭୁଙ୍କ ସେବା ନୀତି ଓ ଶ୍ରୀଅଙ୍ଗ ସୁରକ୍ଷା ଦାୟିତ୍ବରେ ରହିବେ ।

ସୂଚନା ଅନୁଯାୟୀ, ଦେବସ୍ନାନ ପୂର୍ଣ୍ଣିମା ପାଇଁ ହୋଇଥିବା ନୀତି ନିର୍ଘଟ ଅନୁଯାୟୀ ଭୋର ୩ଟା ୩୦ରୁ ମଙ୍ଗଳାପର୍ଣ ଆରମ୍ଭ ହୋଇଥିଲା । ଡ଼ୋରଲାଗି, ମଙ୍ଗଳ ଆଳତୀ, ମଇଲମ, ତଡ଼ପଲାଗି ଓ ଅଧପୋଛା ପରେ ସକାଳ ୯ଟା ୨୦ ମିନିଟ୍ ରେ ହେବ ଅବକାଶ ନୀତି । ଏହାପରେ ଦ୍ବାରପାଳ ପୂଜା, ରୋଷ ହୋମ ପରେ ୧୧ଟା ୨୦ରୁ ୧୨ଟା ୪୫ ମଧ୍ଯରେ ଜଳ ବିଜେ ପୂଜା ଓ ସ୍ନାନ ନୀତି ଅନୁଷ୍ଠିତ ହେବ । ଅପରାହ୍ନ ୨ଟାରେ ଛେରାପହଁରା, ୨ଟା ୪୦ ମିନିଟରେ ହାତୀ ବେଶ ଓ ସଂଧ୍ଯା ୬ରୁ ରାତି ୯ଟା ୩୦ ଯାଏଁ ଚାଲିବ ସାହାଣ ମେଲା ଦର୍ଶନ । ପରେ ରାତି ୧୦ଟାରୁ ଗୋଟେ ମଧ୍ଯରେ ହେବ ବାହୁଡ଼ା ପହଣ୍ତି । ରାତି ପ୍ରାୟ ସାଢେ ଗୋଟେରେ ସୁନା ଚିତା ଓ ରାହୁରେଖା ମଇଲମ ନୀତି ଅନୁଷ୍ଠିତ ହେବ । ତେବେ ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ଅନୁଯାୟୀ ନୀତିକାନ୍ତି ସାରିବା ନେଇ ଗୁରୁତ୍ବ ଦିଆଯାଇଛି । ତେବେ ପବିତ୍ର ସ୍ନାନଯାତ୍ରାକୁ  ଦୃଷ୍ଟିରେ ରଖି ପୁରୀରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । କେଉଁ ଗାଡ଼ି କେଉଁ ରୁଟ୍ ଦେଇ ଯିବ କେଉଁଠି ଗାଡ଼ି ପାର୍କିଂ କରାଯିବ ସେ ନେଇ ପୋଲିସ ପ୍ରଶାସନ ପକ୍ଷରୁ ରୁଟ ଚାର୍ଟ ପ୍ରସ୍ତୁତ ହୋଇଛି । ଦର୍ଶନ, ସୁରକ୍ଷା ଓ ଟ୍ରାଫିକ ବ୍ୟବସ୍ଥା ଉପରେ ବିଶେଷ ଗୁରୁତ୍ବ ଦିଆଯାଇଛି ।

ବହୁ ଜନ ସମାଗନକୁ ଦୃଷ୍ଟିରେ ରଖି ମାର୍କେଟ ଛକଠାରୁ ବ୍ୟାରେକେଡ଼ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥା ନେଇ ୬୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ଦାୟିତ୍ବରେ ୩ ଜଣ କମାଣ୍ତାଣ୍ଟ, ୧୨ ଜଣ ଅତିରିକ୍ତ ଏସପି, ୨୨ ଜଣ ଡିଏସପି, ୫୯ ଇନ୍ସପେକ୍ଟର, ୨୯୧ ସବ ଇନ୍ସପେକ୍ଟର, ୪୧ ଜଣ ହାବିଲଦାର, ୧୨ ଜଣ ଟ୍ରାଫିକ ହାବିଲଦାର,  ୩୩୧ କନଷ୍ଟେବଳ, ୪୧ ଜଣ ଟ୍ରାଫିକ କନଷ୍ଟେବଳ,  ୫୪୪ ହୋମଗାର୍ଡ଼ଙ୍କୁ ଦାୟିତ୍ବ ଦିଆଯାଅଛି । ସେପଟେ ମାର୍କେଟ ଛକଠୁ ଶ୍ରୀମନ୍ଦିର ଓ ଏହାର ଚତୁଃପାର୍ଶ୍ବକୁ ନୋ ଭେଇକିଲ ଜୋନ କରାଯାଇଛି । ସ୍ନାନ ବେଦୀରେ ସ୍ନାନ ପରେ ୧୫ ଦିନ ଅଣସର ଘରେ ରହିବେ ଚତୁର୍ଦ୍ଧାମୂରତି । ଅଣସର ଘରେ ୧୫ ଦିନ ଶ୍ରୀବିଗ୍ରହଙ୍କ ସ୍ଥାନରେ ଶ୍ରୀମନ୍ଦିରରେ ପୂଜା ପାଇବେ ପଟଦିଅଁ । ଏଣୁ ପାରମ୍ପରିକ ବିଧି ଅନୁଯାୟୀ ଚିତ୍ରକର ସେବକମାନେ ପଟଦିଅଁ ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ।

Leave a Reply

Your email address will not be published. Required fields are marked *