ଦୀର୍ଘ ଜୀବନ

ଦୀର୍ଘ ଜୀବନ
🖊️କବିରତ୍ନ ନୂତନ କୁମାର ବେହେରା
ଶହେ ବର୍ଷ ବା ତା’ଠାରୁ ଆହୁରି ଅଧିକ
ବଞ୍ଚିବାକୁ ସଂସାରରେ ଚାହିଁ ଥାଆନ୍ତି ସମସ୍ତେ
ଏ ତ ପ୍ରତ୍ୟେକ ମଣିଷର ସହଜାତ ଗୁଣ
ଯେତେ ବେଶି ବର୍ଷ ଜୀଇଁବ ଜଣେ
ପରିମାଣାତ୍ମକ ଭାବରେ ହୋଇ ପାରେ
ସେ ଗଣନ ସଂଖ୍ୟାରେ ଦୀର୍ଘ ଜୀବନ
ମାତ୍ର ଆତ୍ମଜ୍ଞାନ ଶାସ୍ତ୍ରର ଶବ୍ଦକୋଷରେ
ଭାବଗତ ପଦ ବିନ୍ୟାସ କହେ ପ୍ରାଞ୍ଜଳ
ମଣିଷ ମରଣଶୀଳ ମରିବ ତ ଦିନେ ନିଶ୍ଚୟ
ସ୍ଥୂଳ ଜଗତ ଛାଡ଼ିବା ପରେ ସୂକ୍ଷ୍ମରେ ଯିଏ
ଅଧିକ ବର୍ଷ ଯାଏଁ ମାନବ ଚେତନାରେ ରହେ
ତାହା ହିଁ ତାର ସଫଳତା… ଦୀର୍ଘ ଜୀବନ
ଫୁଲଟିଏ କେତେ ସମୟ ବା ସତେଜ ଥାଏ
ତାହାରି ଭିତରେ ତାର ମହକ ବିତରେ
ଫଳ କେତେ ଦେଇ ଯାଏ ଗଛକୁ…ସୃଷ୍ଟିକୁ
ଏ ତା’ ଉତ୍ସର୍ଗୀକୃତ ଆପଣାପଣର ସମର୍ପଣ
ଅସରାଏ ସାମୟିକ ବର୍ଷା ବର୍ଷି ଛାଡ଼ିଯାଏ
ଭିଜାଇ ଦିଏ ବସୁନ୍ଧରାର ଧୂସର ପୃଷ୍ଠକୁ
ଶୀତଳତା କରି ଆଣିଦିଏ ସାମୟିକ ଶାନ୍ତି
ମଣିଷ ତ କାହିଁ କେତେ ଉର୍ଦ୍ଧ୍ବରେ ଶୀର୍ଷରେ
ସାଧନାର ସିଦ୍ଧିରେ ହୁଏ ଦେବ/ଦେବୀ
ମହତ କର୍ମରେ ସେ ହୁଏ ଶ୍ରେଷ୍ଠ ମହାନ୍
ସେ ଦେଖାଇବା ଆଦର୍ଶ ସତ୍ୟର ମାର୍ଗ
ହୁଏ ଯା’ ଅନୁକରଣୀୟ ଅନୁସରଣୀୟ
ସମାଜର ଐତିହ୍ୟ ସଂସ୍କୃତି ପରମ୍ପରାରେ
ସେଇ ମହାନୁଭବଙ୍କ ସୂକ୍ଷ୍ମ ଛବି ହୁଏ ଦୃଶ୍ୟ
ସେ କ’ଣ ମୃତ୍ୟୁ ବରଣ କରି ପାରନ୍ତି କି
ସେ ଯେ ଅମର ଆତ୍ମା ଲୀନ ପରମାତ୍ମାରେ
ତାଙ୍କ ନିକଟରେ ଅଳ୍ପ ବା ଦୀର୍ଘ ଜୀବନର
ଅର୍ଥ କେବେ ବି କିଛି ବୋଲି ନଥାଏ
ସେ ତ ସଚ୍ଚିଦାନନ୍ଦଙ୍କ ନିକଟରେ ସର୍ବଦା
ଗୁଣାତ୍ମକ ମାନର ଜାଗରଣେ ଅଭିଯାନେ
ଆକଳନର ଉର୍ଦ୍ଧ୍ବରେ କୋଟିଏ କଳ୍ପରେ
ଏଇ ଦୀର୍ଘ ଜୀବନ କାମନା କରି
ଆଶୀର୍ବାଦ ଦିଅନ୍ତି ପିତା ମାତା ଗୁରୁ
ଆତ୍ମୀୟଜନ ସମାଜର ବରେଣ୍ୟ ଯେତେ
ସର୍ବୋପରି ସ୍ଵର୍ଗର ସମୂହ ଦେବାଦେବୀ
ସୃଷ୍ଟିକର୍ତ୍ତା ପରଂବ୍ରହ୍ମ ପରମାତ୍ମା ମଧ୍ୟ
ସୃଷ୍ଟି ରହୁ ଯୁଗେ ଯୁଗେ ଚିର ଅମ୍ଳାନ
ଏ ଭବେ ସର୍ବେ ଲଭନ୍ତୁ ଦୀର୍ଘ ଜୀବନ।
କୋହି,ବାରିପଦା,ମୟୂରଭଞ୍ଜ,