ଓଡ଼ିଶା ରାଜ୍ୟ ସଂଗ୍ରହାଳୟରେ ‘ମଲ୍‌ରୁ ମ୍ୟୁଜିୟମ୍‌’ କାର୍ଯ୍ୟକ୍ରମ

ଓଡ଼ିଶା ରାଜ୍ୟ ସଂଗ୍ରହାଳୟ ପରିସରରେ ସାଂସ୍କୃତିକ ସନ୍ଧ୍ୟା ‘ମଲ୍‌ରୁ ମ୍ୟୁଜିୟମ୍‌’ ଆୟୋଜିତ ହୋଇଯାଇଛି । ଯୁବଗୋଷ୍ଠୀଙ୍କୁ ରାଜ୍ୟର କଳା, ସଂସ୍କୃତି ଓ ଐତିହ୍ୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଏଭଳି କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ରାଜ୍ୟ ସଂଗ୍ରହାଳୟ ଓଡ଼ିଶାର ପ୍ରାଚୀନ କଳାକୃତି ଓ ଇତିହାସର ପ୍ରତୀକ ଭାବେ ପରିଚିତ । ଏହାର ମହାନତା ସଂପର୍କରେ ଜାଣିବାର ଆବଶ୍ୟକତା ଥିବାରୁ ଯୁବଗୋଷ୍ଠୀଙ୍କୁ ରାଜ୍ୟ ସଂଗ୍ରହାଳୟ ପ୍ରତି ଆକୃଷ୍ଟ କରିବା ନିମନ୍ତେ ଏଭଳି ପଦକ୍ଷେପ ଗ୍ରହଣ କରାଯାଇଛି । ଏହା ଦ୍ୱାରା ନିଜର ସଂସ୍କୃତି ଓ ଇତିହାସ ଜାଣିବା ସହ ଭବିଷ୍ୟତ ପିଢ଼ି ସୁରକ୍ଷିତ ହୋଇପାରିବେ ।
ଆଜିର ସନ୍ଧ୍ୟାରେ ରାଜ୍ୟସଭା ସାଂସଦ ଶ୍ରୀମତୀ ସୁଲତା ଦେଓ, ଭୁବନେଶ୍ୱର ମେୟର ଶ୍ରୀମତୀ ସୁଲୋଚନା ଦାସ, ଓଟିଡିସି ଅଧ୍ୟକ୍ଷ ଡ. ଲେନିନ୍‌ ମହାନ୍ତି, ଓଡ଼ିଶା କୋଠାବାଡ଼ି ଓ ଅନ୍ୟାନ୍ୟ ନିର୍ମାଣ ଶ୍ରମିକ କଲ୍ୟାଣ ବୋର୍ଡର ଅଧ୍ୟକ୍ଷା ଶ୍ରୀମତୀ ଶ୍ରୀମୟୀ ମିଶ୍ର, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ନିର୍ଦ୍ଦେଶକ ଶ୍ରୀ ଦିଲୀପ ରାଉତରାଏ, ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ପ୍ରସନ୍ନ କୁମାର ସ୍ୱାଇଁ, ଅବସରପ୍ରାପ୍ତ ବରିଷ୍ଠ ପ୍ରଶାସକ ସଂଜୀବ ଚନ୍ଦ୍ର ହୋତା,
ରାଜେନ୍ଦ୍ର କିଶୋର ପଂଡ଼ା, ବରିଷ୍ଠ ଐତିହାସିକ ଡ. ନିହାର ରଞ୍ଜନ ପଟ୍ଟନାୟକ, ଓଡ଼ିଶା ରାଜ୍ୟ ସଂଗ୍ରହାଳୟର ଅଧୀକ୍ଷକ ଡ. ଭାଗ୍ୟଲିପି ମଲ୍ଲ ପ୍ରମୁଖ ଉପସ୍ଥିତ ଥିଲେ ।
ପ୍ରତି ଶନିବାର ଓ ରବିବାର ସନ୍ଧ୍ୟା ୫ରୁ ୬ ଘଟିକା ପର୍ଯ୍ୟନ୍ତ ସଂଗ୍ରହାଳୟ ଉଦ୍ୟାନ ପରିସରରେ ଥିବା ବର୍ଣ୍ଣାଳି ମଞ୍ଚରେ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଆଜି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ନୃତ୍ୟଶିଳ୍ପୀ ଶାଶ୍ୱତ ଯୋଶୀ ଓ ସାଥି ଓଡ଼ିଶୀ ସମବେତ ନୃତ୍ୟ ଏବଂ ସମ୍ବଲପୁର ‘ରଙ୍ଗବତୀ’ ଲୋକନୃତ୍ୟ ପରିବେଷଣ କରିଛନ୍ତି । ଆସନ୍ତାକାଲି ଉତ୍କଳ ସଂସ୍କୃତି ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଓଡ଼ିଶୀ, ଡାଲଖାଇ ଓ ରସରକେଲି ପରିବେଷଣ କରାଯିବ । ଆଜିର
କାର୍ଯ୍ୟକ୍ରମରେ ସଂଗ୍ରହାଳୟର କୁ୍ୟରେଟର ଡ. ଭାରତୀ ପାଲ୍‌, ଧନ୍ୟବାଦ ଅର୍ପଣ କରିଥିବାବେଳେ ଜାଗୃତି ମିଶ୍ର ମଂଚ ସଂଚାଳନ କରିଥିଲେ ।

Leave a Reply

Your email address will not be published. Required fields are marked *