ଆପାତକାଳୀନ ସ୍ଥିତିରେ ହୃଦଘାତ ଓ ମସ୍ତିଷ୍କ ଆଘାତ ରୋଗ ପରିଚାଳନା

ଆପାତକାଳୀନ ସ୍ଥିତିରେ ହୃଦଘାତ ଓ ମସ୍ତିଷ୍କ ଆଘାତ ରୋଗ ପରିଚାଳନା ସମ୍ପର୍କରେ ଡାକ୍ତର ଓ ନର୍ସ ମାନଙ୍କୁ ଉଚ୍ଚତର ପ୍ରଶିକ୍ଷଣ ପ୍ରଦାନ ଉଦ୍ଦେଶ୍ୟରେ ରାଜ୍ୟ ସରକାରଙ୍କ ସହଭାଗୀତା ତଥା ଭାରତୀୟ ଚିକିତ୍ସା ଅନୁସନ୍ଧାନ ପରିଷଦ ଆପାତସ୍ଥିତି ପରିଚାଳନା ପ୍ରକଳ୍ପ, ଏମ୍ସ ଭୁବନେଶ୍ଵର ଏବଂ ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ, ପୁରୀଙ୍କ ମିଳିତ ଆନୁକୁଲ୍ୟରେ ଏକ ପ୍ରଶିକ୍ଷଣ ଶିବିର ମେଡିକାଲ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜୁନ୍ ୧୭ ଓ ୧୮ ଦୁଇ ଦିନ ବ୍ୟାପୀ ଆୟୋଜିତ ଏହି ପ୍ରଶିକ୍ଷଣ ଶିବରରେ ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ବଭିନ୍ନ ବ୍ଲକ୍‌ରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କନ୍ଦ୍ର ଗୁଡ଼ିକରୁ ଆସିଥିବା ୩୨ ଜଣ ଡାକ୍ତର ଓ ୫୮ଜଣ ନର୍ସି ଅଫିସର ଆପାତସ୍ଥିତି ପରିଚାଳନା ସମ୍ପର୍କରେ ପ୍ରଶିକ୍ଷଣ ନେଇଥିଲେ । ହୃଦଘାତ ଓ ମସ୍ତିଷ୍କ ଆଘାତ ରୋଗର ସମୟୋପଯୋଗୀ ପରିଚାଳନା ପାଇଁ ଆବଶ୍ୟକ ଜ୍ଞାନ କୌଶଳ ଓ ରୋଗ ନିରୂପଣ ପଦ୍ଧତି ସମ୍ପର୍କରେ ସେମାନଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ରୋଗର ମାରକ କ୍ଷମତା ଓ ଆପାତସ୍ଥିତିରେ ମୃତ୍ୟୁ ସମସ୍ୟାକୁ ପ୍ରତିହତ କରିବା ପାଇଁ ସମୟୋପଯୋଗୀ ହସକ୍ଷେପ ତଥା ବିଭିନ୍ନ ସ୍ତରରେ ସମନ୍ଵୟ ରକ୍ଷା ପୂର୍ବକ ରୋଗ ଚିକିତ୍ସା ନିମନ୍ତେ ନିର୍ଦ୍ଧାରିତ ଚିକିତ୍ସା ଔପଚାରିକତା ମାନକ ର ଅନୁସରଣ କରିବା ନିମନ୍ତେ ପଶିକ୍ଷାର୍ଥୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ।

ଶ୍ରୀ ଜଗନ୍ନାଥ ଭେଷଜ ମହାବିଦ୍ୟାଳୟର ଜିନ୍ ପ୍ରଫେସର ସବିତା ମହାପାତ୍ର ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ କାର୍ଯ୍ୟକ୍ରମର ଉପଦେଷ୍ଟା ସୁପରିଣ୍ଟେଣ୍ଡେଣ୍ଟ ପ୍ରଫେସର କୌଶିକ ମିଶ୍ର, ପ୍ରଫେସର କାଳୀ ପ୍ରସାଦ ପଟ୍ଟନାୟକ, ଏମ୍ସ ଭୁବନେଶ୍ୱର ର କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ଆଶୁତୋଷ ବିଶ୍ଵାସ, ଜିଲ୍ଲା ମୂଖ୍ୟ ଚିକିତ୍ସାଳୟର ଅଧୀକ୍ଷକ ଡା. ପବିତ୍ର ମୋହନ ମଲ୍ଲିକ, ଡା. ଦେବାଶିଷ ପଣ୍ଡିତ, ଡା. ସୁକାନ୍ତ କୁମାର ଦାଶ ପ୍ରମୁଖ ଆଧାରପୁରୁଷ ଭାବେ ଯୋଗଦାନ କରିଥିଲେ । କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ଦେଇ ଏମ୍ସ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ପ୍ରଫେସର ବିଶ୍ଵାସ କହିଥିଲେ ଯେ, ଏହି ପ୍ରକଳ୍ପ ଏକ ଜାତୀୟ ସ୍ତରୀୟ ବହୁମୂଖୀ ପ୍ରକଳ୍ପ ଅଟେ । ପୁରୀ ଜିଲ୍ଲାରେ ଆପାତକାଳୀନ ରୋଗ ସ୍ଥିତିର ପରିଚାଳନା ପାଇଁ ଏକ ରୋଗୀ କୈନ୍ଦ୍ରିକ ଉନ୍ନତି ଓ ଆଦର୍ଶ ଚିକିତ୍ସା ପଦ୍ଧତିର ବିକାଶ ଏହି ପ୍ରକଳ୍ପର ମୂଳ ଲକ୍ଷ୍ୟ । ଏହି ପ୍ରଶିକ୍ଷଣ ଦ୍ଵାରା ଡାକ୍ତର ଓ ନର୍ସ ଅଫିସରମାନେ ଆପାତକାଳୀନ ସ୍ଥିତିରେ ହୃଦଘାତ ଓ ମସ୍ତିଷ୍କ ଆଘାତ ରୋଗ ପରିଚାଳନା ନିମନ୍ତେ ଦକ୍ଷତା ଅର୍ଜନ କରିପାରିବେ ବୋଲି ସେ ଆଶାବ୍ୟକ୍ତ କରିଥିଲେ । ଚଳିତବର୍ଷ ରଥଯାତ୍ରା ପରିପ୍ରେକ୍ଷୀରେ ପୁରୀ ଜିଲ୍ଲାର ପ୍ରାୟ ୧୩୦ ଜଣ ପୁଲିସ କର୍ମଚାରୀ, ଆଗ୍ନିକ, ଜୀବନରକ୍ଷକ ନୋଳିଆ, ଡାକ୍ତରଖାନାର ନର୍ସ, ସ୍ଵେଚ୍ଛାସେବୀ ଏପରିକି ସ୍ଥାନୀୟ ଅଟୋ ଡ୍ରାଇଭର ମାନଙ୍କୁ ଆପାତକାଳୀନ ହୃଦଫୁସଫୁସୀୟ ଜୀବନରକ୍ଷା ପ୍ରଣାଳୀ ସମ୍ପର୍କରେ ବ୍ୟକ୍ତିଗତ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବା ଡା, ବିଶ୍ଵାସ ସୂଚନା ଦେଇଥିଲେ । ନିଜ ବକ୍ତବ୍ୟରେ ଡିନ୍‌ ପ୍ରଫେସର ମହାପାତ୍ର ପୁରୀରେ ଏହି ପ୍ରଶିକ୍ଷଣ ଶିବିର ଆୟୋଜନକୁ ଭୂୟସୀ ପ୍ରଶଂସା କରି ଏହାର ସଫଳତା କାମନା କରିଥିବା ବେଳେ ସୁପରିଣ୍ଟେଟ ପ୍ରଫେସର କୌଶିକ ମିଶ୍ର ପ୍ରକଳ୍ପର ସାମଗ୍ରିକ ସଫଳତା ପାଇଁ ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ଆଗାମୀ ଦିନରେ ହୃଦଘାତ, ମସ୍ତିଷ୍କ ଆଘାତ, ଦୁର୍ଘଟଣା ଜନିତ ଆଘାତ, ବିଷକ୍ରିୟା, ପ୍ରସ୍ତୁତି ଓ ନବଜାତଙ୍କ କ୍ଷେତ୍ରରେ ସୃଷ୍ଟି ହେଉଥିବା ଗୁରୁତର ରୋଗର ଆପାତକାଳୀନ ପରିଚାଳନା କିଭଳି ଜିଲ୍ଲା ସ୍ତରରେ କରାଯାଇ ପାରିବ ସେଥ‌ିପାଇଁ ଉଦ୍ୟମ କରାଯାଉଥିବା ଗବେଷକମାନେ ସୂଚନା ଦେଇଥିଲେ ।

Leave a Reply

Your email address will not be published. Required fields are marked *