ସିପିଆଇ (ଏମ ଏଲ) ଲିବରେସନ୍ ପକ୍ଷରୁ ଜନ ସମାବେଶ ଅନୁଷ୍ଠିତ

କୋଲନରା,୧୪/୦୫- ସିପି ଆଇ (ଏମ ଏଲ) ଲିବରେସନ୍ ରାୟଗଡା ଜିଲ୍ଲା ପକ୍ଷରୁ କୋଲନରା ବ୍ଲକ ଅନ୍ତର୍ଗତ ରେଖପଦର,ଜରଡି, ଭୁଇମୋଡା, ବାଙ୍କିଲି ଓ ମୁକୁନ୍ଦପୁର ପଞ୍ଚାୟତର ଶତାଧିକ ଆଦିବାସୀ ମହିଳା ଓ ପୁରୁଷଙ୍କ ଯୋଗଦାନରେ ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ଏହିସମାବେଶରେ ଜିଲ୍ଲା ସମ୍ପାଦକ ଶ୍ରୀ ତ୍ରିପତି ଗମାଙ୍ଗ, ରାଜ୍ୟ କମିଟି ସଭ୍ୟ ବୃନ୍ଦାବନ ବିଡିକା, ମେଦିରି ଗରଡ଼ିଆ ଓ ଲିଙ୍ଗରାଜ ପେଦେଣ୍ଟି ପ୍ରମୁଖ ଯୋଗ ଦେଇ ଆଦିବାସୀ ମାନଙ୍କର ଛଅ ଦଫା ଦାବି ପୂରଣ ନିମନ୍ତେ ଆଲୋଚନା କରିବା ସହ ଦାବି ଗୁଡ଼ିକ ପୂରଣ ନହେଲେ ଆଗାମୀ ଜୁନମାସ ୫ତାରିଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବିକ୍ଷୋଭ ଓ ଧାରଣା ଦିଆଯିବ ବୋଲି ଚେତାବନୀ ଦେଇଥିଲେ । ଶ୍ରୀ ଗମାଙ୍ଗ ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ସ୍ବାଧୀନତାର ୭୫ବର୍ଷ ପରେ ମଧ୍ୟ ଆଦିବାସୀମାନେ ସେମାନଙ୍କ ମୌଳିକ ଅଧିକାର, ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି । ତାଙ୍କର ପ୍ରମୁଖ ଦାବି ଗୁଡ଼ିକ ହେଲା ସମସ୍ତଙ୍କୁ ଖାଉଟି କାର୍ଡ ଓ ୫୦କିଲୋ ଚାଉଳ ଦିଆଯାଉ, କେନ୍ଦ୍ର ସରକାରଙ୍କ ଜଙ୍ଗଲ ଅଧିକାର ୨୦୨୨ନିୟମ ଅନୁଯାୟୀ ଗ୍ରାମ ସଭା ହେଉ ଗ୍ରାମ ସଭାକୁ ଅକାମୀ କରିବାର ଷଡ଼ଯନ୍ତ୍ର ବନ୍ଦ କରାଯାଉ, ସମସ୍ତ ଖେତ ମଜୁରିଆକୁ ଶିକ୍ଷା, ସ୍ବାସ୍ଥ୍ୟ ଓ ଘର ପଟ୍ଟା ମିଳୁ, ମନେରଗାରେ ଦୈନିକ ମଜୁରି ବାବଦରେ ୬୦୦ଟଙ୍କା ଓ ୨୦୦ଦିନର କାମ ମିଳୁ, ବାର୍ଦ୍ଧକ୍ୟ ଓ ଭିନ୍ନକ୍ଷମମାନଙ୍କୁ ମାସିକ ଭତ୍ତା ୩୦୦୦ଟଙ୍କା ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟରେ ଦିଆଯାଉ । ଏହି ସମାବେଶରେ ରେଖା ପଦର ପଞ୍ଚାୟତର ନାଏବ ସରପଞ୍ଚ ଶ୍ରୀମତୀ ସୁଶୀଳା ପାତିକା, ଶ୍ରୀ ଗୋବିନ୍ଦ କଣ୍ଡାଗରି ୱାଡସଭ୍ୟ, ଶ୍ରୀମତୀ ହାରାବତି ହେପ୍ରୁକା ୱାଡସଭ୍ୟ, ଶ୍ରୀମତୀ ମୁକୁତା ହେପୃକା ୱାଡ ସଭ୍ୟ ଙ୍କ ସମେତ ଶ୍ରୀ ମହେଶ ମାଣ୍ଡାଙ୍ଗି, ଶ୍ରୀ ବାଲ୍ମୀକି କାଡ୍ରାକା ପ୍ରମୁଖ ଉପସ୍ଥିତ ଥିଲେ ।