ବିପ୍ଲବୀ ସୁଦର୍ଶନ ପ୍ରଧାନଙ୍କ ଏକାଦଶାହ ଉତ୍ସବରେ ସ୍ମୃତି ଚାରଣ ସଭା

ବିପ୍ଲବୀ ସୁଦର୍ଶନ ପ୍ରଧାନଙ୍କ ଏକାଦଶାହ ଉତ୍ସବରେ ସ୍ମୃତି ଚାରଣ ସଭା ଡେଲାଙ୍ଗ, ସ୍ବର୍ଗତ ସୁଦର୍ଶନ ପ୍ରଧାନ ଥିଲେ ଦୟା ବଞ୍ଚାଅ ଅଭିଯାନର ମୁଖ୍ୟ ପୃଷ୍ଠପୋଷକ,ପ୍ରମୁଖ ସାରଥୀ।ସମାଜର ଅବହେଳିତ,ନିଷ୍ପେସିତ,ଦରିଦ୍ର,ଶ୍ରମିକ,ଦିନ ମଜୁରିଆଙ୍କର ସେ ଥିଲେ ଦରଦୀ ବନ୍ଧୁ।ବନ୍ୟା,ବାତ୍ୟା,ଅଂଶୁଘାତ ତଥା କରୋନା ସମୟରେ ପୀଡ଼ିତଙ୍କ ପାଇଁ ତାଙ୍କର ଦରଦୀ ହୃଦୟ ସର୍ବଦା ବିଳାପ କରୁଥିଲା।ସମସ୍ତଙ୍କ ଦୁଃଖ ଓ ଦୁର୍ଦ୍ଦଶା ସମୟରେ ଉପସ୍ଥିତ ହୋଇ ସେ ଜଣେ ଭଲ ମଣିଷ ପାଲଟି ଯାଇଥିଲେ।ମାତ୍ର ବିଧିର ବିଧାନ ବିଚିତ୍ର,ଜୁଲାଇ ୧୧ତାରିଖ ମଙ୍ଗଳବାର ସକାଳ ପ୍ରାୟ ସାତଟା ସମୟରେ ସେ ଏକ ଜରୁରୀ କାମରେ ନିଜ ବାଇକରେ ପିପିଲି ଅଭିମୁଖେ ଯାଉଥିବାବେଳେ ଭୁବନେଶ୍ବର ଶିଶୁ ଭବନ ଛକରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତାଙ୍କର ଜୀବନ ଦୀପ ସବୁଦିନ ପାଇଁ ଲିଭିଗଲା।ସେ ଯୋଗଜନ୍ମା ଆଉ କେହି ନୁହନ୍ତି,ସେ ଡେଲାଙ୍ଗ ବ୍ଲକ୍ ଅରିସଲ ପଞ୍ଚାୟତ ଅନ୍ତର୍ଗତ ସୁନାମୁହିଁ ଗ୍ରାମର ସୁନାପୁଅ ତଥା ସମାଜବାଦୀ ପାର୍ଟିର ସାଧାରଣ ସଂପାଦକ,ବିପ୍ଳବୀ କବି ଓ ସମାଜସେବୀ ଦିବଂଗତ ସୁଦର୍ଶନ ପ୍ରଧାନ।ତାଙ୍କ ଏକାଦଶାହ ଉପଲକ୍ଷେ ଶୁକ୍ରବାର ଦିନ ପୈତୃକ ଗ୍ରାମ ସୁନାମୁହିଁ ଗାଁରେ ଦିବଂଗତ ଆତ୍ମାର ସଦଗତି ନିମନ୍ତେ ଏକ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ସ୍ମୃତିଚାରଣ ସଭା ଅନୁଷ୍ଠିତ ହୋଇଯାଇଛି।ସିପିଆଇଏମଏଲ ନେତା କମ୍ରେଡ୍ କିଷାନ ପଟ୍ଟନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସମାଜବାଦୀ ପାର୍ଟି ସଭାପତି ରବି ବେହେରା, କଂଗ୍ରେସ୍ ମୁଖପାତ୍ର ଆଇନଜୀବୀ ନିଶିକାନ୍ତ ମିଶ୍ର,ସିପିଆଇଏମଏଲ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ କମ୍ରେଡ୍ ଅଶୋକ କୁମାର ପ୍ରଧାନ,ହରିରାଜପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରସନ୍ନ କୁମାର ମହାରଥୀ,ଚାଇଁପୁର ପଞ୍ଚାୟତ ପୂର୍ବତନ ସରପଞ୍ଚ ପ୍ରଦ୍ୟୁମ୍ନ କୁମାର ପରିଡ଼ା,ବେରବୋଇ କସ୍ତୁରବା ସେବା ଟ୍ରଷ୍ଟ ସଞ୍ଚାଳିକା କବିତାରାଣୀ ପରିଡ଼ା,ପୁରୀ ଜିଲ୍ଲା ବିଜେପି ସଭାପତି ଆଶ୍ରିତ ପଟ୍ଟନାୟକ,ଡେଲାଙ୍ଗ ଯୁକ୍ତ ଦୁଇ ମହାବିଦ୍ୟାଳୟର ଅବସରପ୍ରାପ୍ତ ପ୍ରାକ୍ତନ ଅଧ୍ୟକ୍ଷ ଅଭୟ କୁମାର ରାଉତରାୟ,ବରିଷ୍ଠ ସାମ୍ବାଦିକ ପ୍ରସନ୍ନ କୁମାର ତ୍ରିପାଠୀ,ସିପିଆଇଏମଏଲ୍ ରାଜ୍ୟ ନେତା ସର୍ବେଶ୍ଵର ଭାରତୀ,ଗାନ୍ଧୀ ତତ୍ତ୍ଵ ପ୍ରଚାରକ ଅନାମ ମଲ୍ଲିକ,ଶିକ୍ଷକ ଅଭୟ ଚରଣ ସାହୁ,କବି ଭିକାରୀ ଧଳ,ନରେନ୍ଦ୍ର ମୁଦୁଲି,ରୋହିତ ଚମ୍ପତ୍ତି,ଆଇନଜୀବୀ ଅନୁପ ପରିଡ଼ା,ପଲ୍ଲବୀ ନୃତ୍ୟସଙ୍ଗୀତ ଅନୁଷ୍ଠାନର ପ୍ରତିଷ୍ଠାତା ପବିତ୍ର ପରିଡ଼ା,କୃଷ୍ଣଚନ୍ଦ୍ର ହରିଚନ୍ଦନ,କବି ପ୍ରଭୁ ଚରଣ ପତି,ଦ୍ଵିତିକୃଷ୍ଣ ମହାନ୍ତି,ଅମୀୟ କୁମାର ସାହୁ,ପ୍ରଭାସ ମଙ୍ଗରାଜ,ନିରଞ୍ଜନ ସାମନ୍ତରାୟ, ସରୋଜିନୀ ଜେନା ପ୍ରମୁଖ ଯୋଗଦେଇ ଦିବଂଗତ ସମାଜସେବୀ ସୁଦର୍ଶନ ପ୍ରଧାନଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ବହୁମୁଖି ପ୍ରତିଭା, ନିଃସ୍ୱାର୍ଥପର ସମାଜସେବା,ପରୋପକାର,ବୈପ୍ଳବିକ ଚିନ୍ତାଧାରା,ଡେଲାଙ୍ଗ ପିପିଲି ଅଞ୍ଚଳକୁ ନିଶାମୁକ୍ତ କରିବାର ଦୃଢ଼ ସଂକଳ୍ପ ଆଦି ସୁଗୁଣାବଳିର ସ୍ମୃତିଚାରଣ କରିଥିଲେ।ଏହି ଅବସରରେ ସଂଗ୍ରାମ କବି ତଥା ସମାଜସେବୀ ସ୍ୱର୍ଗତଃ ସୁଦର୍ଶନ ପ୍ରଧାନଙ୍କ ଉଦ୍ଦେଶ୍ୟରେ ଅତିଥିମାନଙ୍କ ଦ୍ଵାରା “ସ୍ମୃତି ଶ୍ରଦ୍ଧାଞ୍ଜଳି” ପତ୍ରିକା ଲୋକାର୍ପଣ କରାଯାଇଥିଲା।କବି ବିପିନି ବିହାରୀ ବେହେରା କାର୍ଯ୍ୟକ୍ରମ ସଂଯୋଜନା କରିଥିବାବେଳେ ମାନବାଧିକାର କର୍ମୀ ଶ୍ରୀ ଅଖଣ୍ଡ ମଞ୍ଚ ପରିଚାଳନା ଦାୟିତ୍ଵ ନିର୍ବାହ କରିଥିଲେ।ଶେଷରେ ଉପସ୍ଥିତ ଅତିଥି,ସମ୍ପର୍କୀୟ ଓ ଶୁଭେଚ୍ଛୁମାନଙ୍କୁ ଦିବଂଗତ ସମାଜସେବୀଙ୍କ ପରିବାର ପକ୍ଷରୁ ପ୍ରସାଦ ବିତରଣ ପୂର୍ବକ ଆପ୍ୟାୟିତ କରାଯାଇଥିଲା।ଏହି କାର୍ଯ୍ୟକ୍ରମରେ ସହଯୋଗ ପାଇଁ ଦିବଂଗତ ସୁଦର୍ଶନଙ୍କ ଭାଇ ବିନୋଦ ପ୍ରଧାନ,କେଦାର ପ୍ରଧାନ, ଜିତେନ୍ଦ୍ର ପ୍ରଧାନ ଓ ପୁତୁରା ସତ୍ୟଜିତ ପ୍ରଧାନ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ।

Leave a Reply

Your email address will not be published. Required fields are marked *