ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଧୂମ୍ରପାନ ଏବଂ ନିଶା ନିବାରଣ ସଚ଼େତନତା ଶିବିର

ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ଼ ଜୀବାନନ୍ଦ ତ୍ରିପାଠୀଙ୍କ ପୌରହିତ୍ୟରେ ଏବଂ ମୋ କଲେଜ ଅଭିଯାନ ତଥା ଜାତୀୟ ସେବା ସଂସ୍ଥା ୟୁନିଟ୍ ତରଫରୁ ଧୂମ୍ରପାନ ଏବଂ ନିଶା ନିବାରଣ ସଚ଼େତନତା ବୈଠକ ସଂପାଦିତ ହୋଇଯାଇଛି। ଏଥିରେ ମହାବିଦ୍ୟାଳୟର ଯୁକ୍ତ ଦୁଇ ତଥା ତିନିର ପ୍ରାୟ ସମସ୍ତ ବିଦ୍ୟାର୍ଥୀ ଯୋଗ ଦେଇଥିଲେ। ଧୂମ୍ରପାନ ତଥା ନିଶା ଯଥା ସିଗାରେଟ୍, ଗଞ୍ଜେଇ, ହାସିସ୍, ବ୍ରାଉନ୍ ସୁଗାର, ମଦ, ଗୁଟ୍କା, ଆପୁ, ଜିଂଜର, ପାନ, ଇତ୍ୟାଦି ଜହରିଲା ଦ୍ରବ୍ୟର ଅପକାରିତାର ବାର୍ତ୍ତା ମହାବିଦ୍ୟାଳୟର ସମସ୍ତ ଯୁବ ଗୋଷ୍ଠୀଙ୍କୁ ଦିଆଯାଇଥିଲା। ଏହାର ସେବନ ଦ୍ୱାରା କର୍କଟ ରୋଗ, ହୃଦରୋଗ, ମାନସିକ ରୋଗ, ରକ୍ତ ଅଭାବ ଜନିତ ରୋଗ (ଲାକୋମିୟା), ରକ୍ତଚାପ, ପାରିବାରିକ ସଦସ୍ୟଙ୍କ ପ୍ରତି ଦୁଃଖ, ନିର୍ଯ୍ୟାତନା, ଅସନ୍ତୋଷ, ଆର୍ଥିକ ମାନଦଣ୍ଡର ଦୁର୍ବଳତା,ଆଦି ବିଭିନ୍ନ ପ୍ରକାର ରୋଗ ତଥା ସାମାଜିକ ବ୍ୟାଧି ହୋଇଥାଏ ବୋଲି ସମସ୍ତ ଅଧ୍ୟାପକ ଅଧ୍ୟାପିକା ବୈଠକରେ ମତ ବ୍ୟକ୍ତ କରିଥିଲେ। ସମସ୍ତେ ଧୂମ୍ରପାନ ତଥା ନିଶା ନିବାରଣ ମୁକ୍ତ ଭାରତ କରିବା ପାଇଁ ମନ୍ତବ୍ୟ ଦେଇଥିଲେ। ଯୁବ ଗୋଷ୍ଠୀ ଏହି ଜହରିଲା ଦ୍ରବ୍ୟ ସେବନରୁ ନିବୃତ ରହିଲେ ହିଁ ଦେଶର ବିକାଶ ପଥ ତ୍ୱରାନ୍ୱିତ ହୋଇପାରିବ। ସରକାର ମଧ୍ୟ ଏଥି ପ୍ରତି ସଚ଼େତନ ଏବଂ ଜାଗ୍ରତ ରହିବା ପାଇଁ ସମସ୍ତ ବୁଦ୍ଧିଜୀବୀ ଆହ୍ୱାନ କରିଥିଲେ। କେବଳ ଭାଷଣବାଜୀ ଦ୍ବାରା ଏହାର ନିରାକରଣ ସମ୍ଭବ ନୁହେଁ, ନିଶା ଦ୍ରବ୍ୟକୁ ସରକାରଙ୍କ ତରଫରୁ ଅଙ୍କୁଶ ଲଗାଇବା ଏକାନ୍ତ କାମ୍ୟ ବୋଲି ସମସ୍ତେ ନିଜ ନିଜର ମତ ଦେଇଥିଲେ। ବୈଠକ ପରିଶେଷରେ ସମସ୍ତ ବିଦ୍ୟାର୍ଥୀଙ୍କୁ ଅଧ୍ୟକ୍ଷ ଡ. ତ୍ରିପାଠୀ, ଏନ୍.ଏସ୍.ଏସ୍ ର ଅଧିକାରୀ ମଞ୍ଜୁ ଡାକୁଆ, ସସ୍ମିତା ପାତ୍ର, ପବିତ୍ର ଧଙ୍ଗଡମାଝୀ, ଯୁବରେଡକ୍ରସ ଉପଦେଷ୍ଟା ରାଜେଶ୍ କୁମାର ସାହୁ, ଅଧ୍ୟାପକ ଅଜିତ୍ ମୁନୀ, ଚିତ୍ରସେନ ବେହେରା,ସାଶ୍ବତ ମିଶ୍ର, ବରିଷ୍ଠ ଅଧ୍ୟାପିକା ସ୍ମିତା ରାଣୀ ପଣ୍ଡା, ଅଧ୍ୟାପିକା ମିନତି ବେହେରା ଛାତ୍ରଛାତ୍ରୀ ମାନଙ୍କୁ ଧୂମ୍ରପାନ ତଥା ନିଶା ସେବନରୁ ନିଜକୁ ନିବୃତ୍ତ ରହିବା ପାଇଁ ଶପଥ ପାଠ କରାଇଥିଲେ।

Leave a Reply

Your email address will not be published. Required fields are marked *