ଚନ୍ଦ୍ରଭାଗା ମାଘସପ୍ତମୀ ମେଳାରେ ୩ ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁଙ୍କ ବୁଡ ଓ ସୂର୍ଯ୍ୟ ଦର୍ଶନ
କୋଣାର୍କ – ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସନ୍ନିକଟ ପୁରାଣ ବର୍ଣ୍ଣିତ ଚନ୍ଦ୍ରଭାଗା ମାଘସପ୍ତମୀ ମେଳା ଅବସରରେ ଚନ୍ଦ୍ରଭାଗା ତୀର୍ଥରେ ୩ଲକ୍ଷରୁ ଉର୍ଦ୍ଧ୍ବ ଶ୍ରଦ୍ଧାଳୁ ଭକ୍ତ ମାଘ ବୁଡ ପକାଇବା ସହ ବେଳାଭୂମି ମହୋଦଧି ତଟରେ ସୂର୍ଯ୍ୟ ଦର୍ଶନ ସହ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା କରିଥବା ଦେଖିବାକୁ ମିଳିଛି। ଖବରରୁ ପ୍ରକାଶ ଯେ କୋଣାର୍କ ଏନଏସି ଅଧିନସ୍ଥ ମାଧିପୁର ଗ୍ରାମର ବାବା ତ୍ରିବେଣୀଶ୍ବର, ସନ୍ଥପୁର ଗ୍ରାମର ବାବା ଇଶାଣେଶ୍ୱର ଓ କୁରୁଜଙ୍ଗ ଗ୍ରାମର ବାବା ଦକ୍ଷିଣେଶ୍ବର ମହାଦେବ ପ୍ରମୁଖ ତ୍ରିଶମ୍ଭୁ ନିଜ ନିଜର ପୀଠରୁ ସୁଶୋଭିତ ବିମାନରେ ବିଜେ କରି ଉଜ୍ବଳ ଆଲୋକ ମାଳା, ଆଧ୍ୟାତ୍ମିକ ସାଂସ୍କୃତିକ କାର୍ଯ୍ୟକ୍ରମ, ଘଣ୍ଟ ଓ ମର୍ଦଳର ତାଳେ ତାଳେ ଶୋଭାଯାତ୍ରାରେ ବାହାରି କୋଣାର୍କ ଏନଏସି ଭୋଗ ମଣ୍ଡପ ଠାରେ ରାତ୍ର ୧୨ଟା ୫୦ ମିନିଟ ସମୟରେ ଆସି ପହଞ୍ଚି ଥିଲେ। ସେଠାରେ ଧାର୍ମିକ ରୀତିନୀତି ଅନୁଯାୟୀ ତ୍ରିଶମ୍ଭୁଙ୍କ ପୂଜାର୍ଚ୍ଚନା ସହ ଭୋଗ ଲାଗି କରାଯାଇଥିଲା। ପରେ ପରେ ତ୍ରିଶମ୍ଭୁଙ୍କ ଶୋଭାଯାତ୍ରାରେ ବାହାରି କୋଣାର୍କ ସ୍ଥିତ ରାଜସ୍ବ ନିରୀକ୍ଷକ କାର୍ଯ୍ୟାଳୟ ଓ କୋଣାର୍କ ପୂର୍ତ୍ତବିଭାଗ ଡାକବଙ୍ଗଳା ଠାରେ ପହଞ୍ଚିଥିଲେ। ଧାର୍ମିକ ପରମ୍ପରା ଅନୁଯାୟୀ ତ୍ରିଶମ୍ଭୁଙ୍କ ପୂଜାର୍ଚ୍ଚନା ଓ ଭୋଗ ଲାଗି କାର୍ଯ୍ୟ ସଂପାଦିତ ହୋଇଥିଲା। ଏହା ପରେ ବାବା ତ୍ରିବେଣୀଶ୍ବର, ବାବା ଇଶାଣେଶ୍ୱର ଓ ବାବା ଦକ୍ଷିଣେଶ୍ବର ମହାଦେବଙ୍କୁ ସେବାୟତ ମାନେ ଉଜ୍ବଳ ଆଲୋକ ମାଳା ଓ ବିରାଟ ପଟୁଆରରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଅଭିମୁଖେ ଯାତ୍ରା କରିଥିଲେ। ସେଠାରେ ରାତ୍ର ୩ଘ ୫୦ମିନିଟ ସମୟରେ ତ୍ରିଶମ୍ଭୁ ମହୋଦଧି ପ୍ରଦକ୍ଷିଣ କରିବା ପରେ ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ସ୍ନାନ ମଣ୍ଡପ ଠାରେ ଅବସ୍ଥାନ କରିଥିଲେ। ତ୍ରିଶମ୍ଭୁଙ୍କ ପୂଜକ ମାନେ ପୁଣ୍ୟ ତୋୟା ଚନ୍ଦ୍ରଭାଗା ନଦୀ ତଥା ଅଧୁନା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରୁ ପବିତ୍ର ଜଳ ଆଣିବା ପରେ ବାବା ତ୍ରିବେଣୀଶ୍ବର, ବାବା ଇଶାଣେଶ୍ୱର ଓ ବାବା ଦକ୍ଷିଣେଶ୍ବର ମହାଦେବଙ୍କୁ ତୀର୍ଥ ପୁଷ୍କରିଣୀ ସ୍ନାନ ମଣ୍ଡପ ଠାରେ ଧାର୍ମିକ ରୀତିନୀତି ଓ ପରମ୍ପରା ଅନୁଯାୟୀ ମାଘ ସ୍ନାନ, ପୂଜାର୍ଚ୍ଚନା, ହୋମଯଜ୍ଞ ଓ ଭୋଗ ଲାଗି ଆଦି କାର୍ଯ୍ୟମାନ ସଂପାଦନ କରାଯାଇଥିଲା। ପରେ ପରେ ତ୍ରିଶମ୍ଭୁଙ୍କ ମହାସ୍ନାନ ବିଧି ସମ୍ପନ୍ନ ହେବାପରେ ଅଭିମନ୍ତ୍ରୀତ ପବିତ୍ର ଜଳକୁ ତିନିଠାକୁର ପୂଜକ ମାନେ ପବିତ୍ର ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀରେ ପକାଇଥିଲେ। ଏହି ତୀର୍ଥ ପୁଷ୍କରିଣୀ ଠାରେ ସାଧୁସନ୍ଥଙ୍କ ଦ୍ବାରା ସମୁଦ୍ର ଆଳିକା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପୁରୀ ଜିଲ୍ଲା ପ୍ରଶାସନ ପକ୍ଷରୁ ପୂର୍ବ ନିର୍ଦ୍ଧାରିତ ସମୟ ରାତି ୪ଘ ୪୧ ମିନିଟ ସମୟରେ କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଲକ୍ଷାଧିକ ଶ୍ରଦ୍ଧାଳୁ ଭକ୍ତମାନେ ପୁଣ୍ୟ ତୋୟା ଚନ୍ଦ୍ରଭାଗା ତୀର୍ଥ ପୁଷ୍କରିଣୀ ଠାରେ ପବିତ୍ର ମାଘସପ୍ତମୀ ଉପଲକ୍ଷେ ବୁଡ ପକାଇଥିଲେ। ପୁରୀ ଜିଲ୍ଲାପାଳ ସମର୍ଥ ବର୍ମାଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁରୀ ଅତିରିକ୍ତ ଜିଲ୍ଲାପାଳ(ପ୍ରଶାସନ) ପ୍ରଦୀପ କୁମାର ସାହୁ, ପୁରୀ ଉପଜିଲ୍ଲାପାଳ ଭବତାରଣ ସାହୁ, ଗୋପ ତହସିଲଦାର ତଥା କୋଣାର୍କ ଏନଏସି ନିର୍ବାହୀ ଅଧିକାରୀ ଏସକେ ସାଗିର, ଗୋପ ଅତିରିକ୍ତ ତହସିଲଦାର ଶରତ ଚନ୍ଦ୍ର ପରିଡା, ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ପୁରୀ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ କୁମାର ବେହେରାଙ୍କ ଉପସ୍ଥିତିରେ ତ୍ରିଶମ୍ଭୁଙ୍କ ପୂଜାର୍ଚ୍ଚନା ଓ ସ୍ନାନ କାର୍ଯ୍ୟ ସଂପାଦିତ ହୋଇଥିଲା। ପୁରୀ ଜିଲ୍ଲା ଆରକ୍ଷୀ ଅଧିକ୍ଷକ କେ. ବିଶାଲ ସିଂହଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପୁରୀ ଜିଲ୍ଲା ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ପୂର୍ଣ୍ଣ ଚନ୍ଦ୍ର ପ୍ରଧାନ, ନିମାପଡା ଏସଡିପିଓ ଦେବାଶିଷ ମିଶ୍ର ଓ କୋଣାର୍କ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ସମେତ ୩୦ ପ୍ଲାଟୁନ ପୋଲିସ ଫୋର୍ସ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଶୃଙ୍ଖଳିତ ବୁଡ, ଟ୍ରାଫିକ ନିୟନ୍ତ୍ରଣ, ଶୃଙ୍ଖଳିତ ବ୍ଯାରିକେଟ ବ୍ୟବସ୍ଥା ଓ ପାର୍କିଂ ବ୍ୟବସ୍ଥା ସୁଚାରୁରୂପେ ସଂପାଦିତ ହୋଇଥିଲା। ଏହି ପବିତ୍ର ମେଳା ଅବସରରେ ମେଳା ପଡିଆ ଠାରେ ପୁରୀ ଜିଲ୍ଲା ସଂସ୍କୃତି ବିଭାଗ ପକ୍ଷରୁ ଅହୋରାତ୍ର ସାଂସ୍କୃତିକ କାର୍ଯ୍ୟକ୍ରମ, ପୁରୀ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ହଜିଲା ଖୋଜିଲା ମଞ୍ଚ, ଶ୍ରଦ୍ଧାଳୁ ଭକ୍ତମାନଙ୍କ ସେବା କାର୍ଯ୍ୟ ନିମନ୍ତେ ୩୦୦ ଜଣ ସ୍ବେଚ୍ଛାସେବୀ ମୁତୟନ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ଶ୍ରଦ୍ଧାଳୁ ଭକ୍ତମାନଙ୍କ ପାନୀୟଜଳ ଯୋଗାଣ ନିମନ୍ତେ ଓ୍ବାଟକୋ ପକ୍ଷରୁ ମେଳା ପଡିଆ ଓ ଆଖପାଖ ଅଞ୍ଚଳରେ ୬୦ ଗୋଟି ନଳକୂପ ଖନନ, କୋଣାର୍କ ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ଶୌଚାଦି କାର୍ଯ୍ୟ ନିମନ୍ତେ ତୀର୍ଥ ପୁଷ୍କରିଣୀ ପାର୍ଶ୍ଵସ୍ଥ ଅଂଚଳ ଓ ଚନ୍ଦ୍ରଭାଗା ବତୀଘର ସମ୍ମୁଖ ଭାଗ ଅଂଚଳରେ ୧୦୦ ଗୋଟି ଅସ୍ଥାୟୀ ଶୌଚାଳୟ ଓ ଟ୍ଯାଙ୍କର ଯୋଗେ ପାନୀୟ ଜଳଯୋଗାଣ କାର୍ଯ୍ୟ କରାଯାଇଥିଲା। ସେହିପରି କୋଣାର୍କ ତଥା ଆଖପାଖ ଅଞ୍ଚଳର ସାମାଜିକ ସଂଗଠନ ପକ୍ଷରୁ ଶ୍ରଦ୍ଧାଳୁ ଭକ୍ତମାନଙ୍କ ସେବା କାର୍ଯ୍ୟ ନିମନ୍ତେ ସେବା ଶିବିର ଆୟୋଜନ କରାଯାଇଥିଲା। ଏହି ପବିତ୍ର ପୁଷ୍କରିଣୀରେ ବୁଡ ପକାଇବା ପରେ ଚନ୍ଦ୍ରଭାଗା ବେଳାଭୂମି କୂଳରେ ଶ୍ରଦ୍ଧାଳୁ ଭକ୍ତମାନେ ଭଗବାନ ସୂର୍ଯ୍ୟ ନାରାୟଣଙ୍କ ଦର୍ଶନ ସହ ମହୋଦଧି କୂଳରେ ସୂର୍ଯ୍ୟ ନାରାୟଣଙ୍କ ପୂଜାର୍ଚ୍ଚନା କରିଥିଲେ। ଏହା ପରେ ପବିତ୍ର ମାଘସପ୍ତମୀ ଅବସରରେ କୋଣାର୍କ ସୂର୍ଯ୍ୟ ମନ୍ଦିର ପ୍ରବେଶ ଶ୍ଲୁକ ଛାଡ ଥିବାରୁ ଶ୍ରଦ୍ଧାଳୁ ଭକ୍ତମାନେ ସୂର୍ଯ୍ୟ ମନ୍ଦିର ପରିଦର୍ଶନ କରିବା ସହ ଗ୍ରହ ଶାନ୍ତି ନିମନ୍ତେ ନବଗ୍ରହ ମନ୍ଦିର ଠାରେ ଧାର୍ମିକ ରୀତିନୀତି ଅନୁଯାୟୀ ପୂଜାର୍ଚ୍ଚନା ଓ ହୋମଯଜ୍ଞ ଆଦି କାର୍ଯ୍ୟ ସଂପାଦନ କରିଥିଲେ।
ରିପୋର୍ଟ – ଭାଗୀରଥୀ ସ୍ଵାଇଁ।