ଲୋକକଳା ଓ ଲୋକ ସଂସ୍କୃତି ଓଡ଼ିଆ ସ୍ୱାଭିମାନର ପରିଚାୟକ’ରାଷ୍ଟ୍ରୀୟ କୋଣାର୍କ କଳା ମହୋତ୍ସବ ଓ ପ୍ରତିଭା ସମ୍ଵର୍ଦ୍ଧନା ସମାରୋହ – ୨୦୨୩

ଲୋକକଳା ଓ ଲୋକ ସଂସ୍କୃତି ଓଡ଼ିଆ ସ୍ୱାଭିମାନର ପରିଚାୟକ’ରାଷ୍ଟ୍ରୀୟ କୋଣାର୍କ କଳା ମହୋତ୍ସବ ଓ ପ୍ରତିଭା ସମ୍ଵର୍ଦ୍ଧନା ସମାରୋହ – ୨୦୨୩ ଅନୁଷ୍ଠିତକୋଣାର୍କ, ୨/୭ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଜନଜୀବନର ଗାଥାକୁ ନେଇ ଲୋକକଳା ଓ ଲୋକ ସଂସ୍କୃତିର ପ୍ରଵହମାନ ଧାରା ଅତୀବ ପ୍ରାଚୀନ। ପାଶ୍ଚାତ୍ୟ ସଂସ୍କୃତି ତଥା ଆଧୁନିକତାର ପ୍ରଭାବରେ ଓଡ଼ିଆ ଜନଜୀବନର ଗାଥାକୁ ଜୀବନ୍ତ କରିଥିବା ଲୋକକଳା ଓ ଲୋକ ସଂସ୍କୃତି ଆଜି ଵିଲୁପ୍ତିର ଦ୍ୱାର ଦେଶରେ । ଏହି ‘ଲୋକକଳା ଓଡ଼ିଆ ସ୍ୱାଭିମାନର ପରିଚାୟକ’ ବୋଲି ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ମତବ୍ୟକ୍ତ କରିଛନ୍ତି। ରବିବାର କୋଣାର୍କ ଯାତ୍ରୀନିଵାସଠାରେ ବନ୍ଦେ ଉତ୍କଳ ଲୋକକଳା ଓ ଲୋକ ସଂସ୍କୃତି ମହାସଂଘ, ଭୁବନେଶ୍ୱର ପକ୍ଷରୁ ରାଷ୍ଟ୍ରୀୟ କୋଣାର୍କ କଳା ମହୋତ୍ସବ ଓ ପ୍ରତିଭା ସମ୍ଵର୍ଦ୍ଧନା ସମାରୋହ -୨୦୨୩ ଆୟୋଜିତ ହୋଇଯାଇଛି। ମହାସଂଘର ସଭାପତି ବିଜୟ କୁମାର ମିଶ୍ରଙ୍କ ପୌରୋହିତ୍ୟରେ ଆୟୋଜିତ ଉକ୍ତ କାର୍ଯ୍ୟକ୍ରମକୁ ପ୍ରାକ୍ତନ କେନ୍ଦ୍ରମନ୍ତ୍ରୀ ବ୍ରଜକିଶୋର ତ୍ରିପାଠୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଉଦଘାଟନ କରିଥିଲେ। କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଶ୍ରୀଯୁକ୍ତ ତ୍ରିପାଠୀଙ୍କ ସମେତ ମୁଖ୍ୟବକ୍ତା ରୂପେ ପୁଣ୍ୟ ଉତ୍କଳର ସଭାପତି ମନୋରଞ୍ଜନ ମହାପାତ୍ର ଏବଂ ସମ୍ମାନୀତ ଅତିଥି ରୂପେ ପ୍ରାଚୀ ସଂସ୍କୃତିର ଗଵେଷକ ହଂସନାଥ ସାହୁ, ସ୍ତମ୍ଭକାର ସୁଜ୍ଞାନ ଚୌଧୁରୀ, ଇଂ ମୂରଲୀଧର ସେଠୀ, ମଧୁର ଭାରତୀର ସଂପାଦିକା ଜୟନ୍ତୀ ପଢିଆରୀ, ପ୍ରାଚୀ ପ୍ରଜ୍ଞା ପରିଷଦର ଅଧ୍ୟକ୍ଷ ଅଶ୍ୱିନୀ କୁମାର ମହାପାତ୍ର ଓ ତୁଳସୀ କ୍ଷେତ୍ରର ସଂପାଦକ ସୁଦର୍ଶନ ମହାପାତ୍ର ଯୋଗଦେଇ ବିଲୁପ୍ତ ପ୍ରାୟ ଲୋକକଳାର ମହତ୍ୱ ଏଵଂ ଏହାକୁ ଵଞ୍ଚାଇ ରଖିଥିବା କଳାକାରମାନଙ୍କ ସମସ୍ୟା ସଂପର୍କରେ ବିସ୍ତୃତ ଆଲୋଚନା କରିଥିଲେ। ମହାସଂଘର ସଭାପତି ବିଜୟ ମିଶ୍ର ଓ ସଂପାଦକ ବିନୋଦ କୁମାର ଭୋଇ ସଂଗଠନର କାର୍ଯ୍ୟଧାରା ସଂପର୍କରେ ସୂଚନା ଦେଇଥିଲେ। ଏହି ଅବସରରେ ପଶ୍ଚିମ, ଦକ୍ଷିଣ ଓ ଉତ୍ତର ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ କଳାକାର ପ୍ରତିଭାଙ୍କୁ ସମ୍ଵର୍ଦ୍ଧନା ଜ୍ଞାପନ କରାଯାଇଥିଲା। କୋଣାର୍କ ସାହିତ୍ୟ ସଂସଦର ସଂପାଦକ ରବୀନ୍ଦ୍ରନାଥ ବାହିନୀପତଙ୍କୁ ଶିକ୍ଷାରତ୍ନ ଓ ରେଡ଼ିଓ ନମସ୍କାର ଅଧ୍ୟକ୍ଷ ଏନ୍.ଏ.ଶାହା ଅନସାରୀଙ୍କୁ ସମାଜସେବା ସମ୍ମାନ ପ୍ରଦାନ କରାଯାଇଥିଲା। କଳା କ୍ଷେତ୍ରରେ କଂସ ଭୂମିକାରେ ଅଭିନୟ କରିଥିବା ବରଗଡ଼ର ବସୁଦେବ ପ୍ରଧାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଉତ୍ସବ ପ୍ରାରମ୍ଭରୁ ବିଭିନ୍ନ କଳାକାର ଗୋଷ୍ଠୀ ଘଟ କଳସୀ ନୃତ୍ୟ, ଛଉନୃତ୍ୟ, ଚନ୍ଦ୍ରଭାଗା କଥାବସ୍ତୁକୁ ନେଇ ମୁଖା ନୃତ୍ୟ, କଂସ ଦ୍ଵାର ଓ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ। କବୟିତ୍ରୀ ରଶ୍ମୀ ସାମଲ, କ୍ଷଣପ୍ରଭା ମହାନ୍ତି ଓ କଵି ଦେବେନ୍ଦ୍ର ସେନାପତି ସାଂସ୍କୃତିକ କାର୍ଯ୍ୟକ୍ରମ ଓ ସମ୍ଵର୍ଦ୍ଧନା ସମାରୋହକୁ ସଂଯୋଜନା କରିଥିଲେ। ପରିଶେଷରେ ବାଳକୃଷ୍ଣ ଷଡ଼ଙ୍ଗୀ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଉତ୍ସବରେ ସମଗ୍ର ଓଡ଼ିଶାରୁ ତିନି ଶହ କଳାକାର ଯୋଗ ଦେଇଥିଲେ।