ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ରାଷ୍ଟ୍ରୀୟ ଯୁବ ଦିବସ

ଆସିକା ତା ୧୨/୧ : ବିଶ୍ବର ଆଧ୍ୟାତ୍ମିକ ଗୁରୁ ସ୍ବାମୀ ବିବେକାନନ୍ଦଙ୍କ ଜନ୍ମ ଦିବସକୁ ରାଷ୍ଟ୍ରୀୟ ଯୁବ ଦିବସ ରୂପେ ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ଡ. ଜୀବାନନ୍ଦ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଏବଂ ଯୁବ ରେଡକ୍ରସ ଏବଂ ରେଡରିବନ୍ ଶାଖାର ଉପଦେଷ୍ଟା ଦ୍ବୟ ଅଧ୍ୟାପକ ରାଜେଶ କୁମାର ସାହୁ ଏବଂ ଡ. ଅଜିତ୍ କୁମାର ମୁନୀଙ୍କ ସଂଯୋଜନାରେ ପାଳିତ ହୋଇଯାଇଛି। ସ୍ବାମୀଜୀଙ୍କ ଏହି ସ୍ବନକ୍ଷତ୍ର ଦିବସରେ ସ୍ବମହାବିଦ୍ୟାଳୟ ଇତିହାସ ବିଭାଗର ଅବସର ପ୍ରାପ୍ତ ବରିଷ୍ଠ ରିଡର ଏବଂ କବିସୂର୍ଯ୍ୟ ବଳଦେବ ବିଜ୍ଞାନ ମହାବିଦ୍ୟାଳୟ, କବିସୂର୍ଯ୍ୟନଗରର ଅବସର ପ୍ରାପ୍ତ ଅଧ୍ୟକ୍ଷ ଡ. ସଚ୍ଚିଦାନନ୍ଦ ମହାନ୍ତି ମୁଖ୍ୟ ବକ୍ତା ରୂପେ ତଥା ଉକ୍ତ ମହାବିଦ୍ୟାଳୟର ପ୍ରଶାସନିକ ଅଧିକାରୀ ମେଜର ଡ. ଶଙ୍କର ପ୍ରସାଦ ଅଧିକାରୀ ସମ୍ମାନିତ ଅତିଥିରୂପେ ମଞ୍ଚାସୀନ ଥିଲେ। ମଞ୍ଚାସୀନ ଅତିଥିଙ୍କ କରକମଳରେ ଦେବବିଗ୍ରହ ତଥା ସ୍ବାମୀ ବିବେକାନନ୍ଦଙ୍କ ପ୍ରତିମାରେ ଆଧ୍ୟାତ୍ମିକବାଦୀ ଶିକ୍ଷକ ତଥା ବେଦ ଗବୈୟା ଧନଞ୍ଜୟ ମହାପାତ୍ରଙ୍କ ବେଦ ମନ୍ତ୍ର ଧ୍ବନିରେ ପୁଷ୍ପ ମାଲ୍ୟାର୍ପଣ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ଦ୍ବାରା ମଞ୍ଚାସୀନ ଅତିଥିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା। ଅଧ୍ୟକ୍ଷ ମଞ୍ଚାସୀନ ଅତିଥିଙ୍କୁ ଉପଢୌକନ ଦ୍ବାରା ସମ୍ବର୍ଦ୍ଧିତ କରିଥିଲେ। ସଂଯୋଜକ ମୁନୀ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ।ଆମେରିକା ଚିକାଗୋ ସହରରେ ସ୍ବାମୀଜୀଙ୍କ ଆଧ୍ୟାତ୍ମିକ ପ୍ରଗଲ୍ଭ ବ୍ୟକ୍ତବ୍ୟକୁ ମୁଖ୍ୟବକ୍ତା ଅଭିବ୍ୟଞ୍ଜନା କରିଥିଲେ ଏବଂ ବିଶ୍ବ ଦରବାରରେ ଭାରତକୁ ଆଧ୍ୟାତ୍ମିକ ଉତ୍କର୍ଷତାର କେନ୍ଦ୍ର ବୋଲି ବିଶିଷ୍ଟ ପରିଚ଼ୟ ସୃଷ୍ଟି କରିଥିଲେ ଏବଂ ଯୁବା ପିଢିଙ୍କ ଅନ୍ତଃର୍ନିହିତ ଶକ୍ତିକୁ ସ୍ବାମୀଜୀଙ୍କ ଭାଷାରେ ଛାତ୍ରଛାତ୍ରୀଙ୍କୁ ଅଭିମନ୍ତ୍ରିତ କରିଥିଲେ। ସମ୍ମାନିତ ଅତିଥି ଡ. ଅଧିକାରୀ ନିଜ ସଂକ୍ଷିପ୍ତ ବ୍ଯକ୍ତବ୍ୟରେ ଛାତ୍ରଛାତ୍ରୀ ନିଜର ଅନ୍ତର୍ନିହିତ ଶକ୍ତିକୁ ସମୃଦ୍ଧ କରିବା ପାଇଁ ଆହ୍ବାନ କରିଥିଲେ। ଜାତୀୟ ସେବା ଯୋଜନାର ଅଧିକାରୀ ଦ୍ବୟ ଅଧ୍ୟାପକ ପବିତ୍ର ଧଙ୍ଗଡମାଝୀ ଏବଂ ଚନ୍ଦନ ମାରାଣ୍ଡିଙ୍କ ଅକୁଣ୍ଠ ସହଯୋଗ ଅତୀବ ପ୍ରଶସଂନୀୟ ଥିଲା। ବକ୍ତୃତା ପ୍ରତିଯୋଗିତାର କୃତି ଛାତ୍ର ହିମାଂଶୁ ରୟଜିତ୍ ଜେନା, ପବନ କୁମାର ପଟ୍ଟନାୟକ ଏବଂ ସ୍ମୃତିରଞ୍ଜନ ପଟ୍ଟନାୟକଙ୍କୁ ଅତିଥିଙ୍କ କରକମଳରେ ପୁରସ୍କାର ପ୍ରଦାନ କରାଯାଇଥିଲା। ସ୍ବେଚ୍ଛାସେବୀ ହୃଷିକେଶ୍, ସନ୍ଦିପ୍, ରୋସନ୍, ସୁମନ, ଅଙ୍କିତା, ଏବଂ ଶୁଭଶ୍ରୀ କାର୍ଯ୍ୟକ୍ରମକୁ ସହଯୋଗ କରିଥିଲେ। ମେକାନିକ ପ୍ରମୋଦ କୁମାର ସାହୁ ମଞ୍ଚ ସାଜସଜ୍ଜାରେ ସହାୟତା କରିଥିଲେ। ଏହି ଅବସରରେ ପ୍ରାୟ ଶତାଧିକ ଛାତ୍ରଛାତ୍ରୀ, ଏନସିସି କ୍ୟାଡେଟ୍, ରେଡକ୍ରସ୍ ଏବଂ ଏନଏସଏସ୍ ସ୍ବେଚ୍ଛାସେବୀ ଉପସ୍ଥିତ ଥିଲେ। ପରିଶେଷରେ ଯୁବରେଡକ୍ରସ୍ ଉପଦେଷ୍ଟା ରାଜେଶ୍ କୁମାର ସାହୁ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।

Leave a Reply

Your email address will not be published. Required fields are marked *