ନୟାଗଡ ଜିଲ୍ଲାପାଳଙ୍କ ଜନ ଅଭିଯୋଗ ଶୁଣାଣୀ ଶିବିର, ଅଧିକାରୀ ମାଳମାଳ ଅଭିଯୋଗକାରୀ ଦୁର୍ବଳ

ଗଣିଆ – ଗଣିଆ ବ୍ଲକ ସଭା ଗୃହରେ ନୟାଗଡ଼ ଜିଲ୍ଲାପାଳଙ୍କ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲାପାଳ ଅକ୍ଷୟ ସୁନିଲ ଅଗ୍ରଓ୍ବାଲ, ଉପଜିଲ୍ଲାପାଳ କର୍ଣ୍ଣଦେବ ସମାଦାର, ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଲଗ୍ନଜିତ ରାଉତ, ବିଡ଼ିଓ ସାଗର କୁମାର ନନ୍ଦ, ତହସିଲଦାର ପ୍ରିତିବାଳା ରଣା,ବ୍ଳକ ଅଧ୍ୟକ୍ଷା ଝୁନା ଜେନା, ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା, ଉପାଧ୍ୟକ୍ଷ ରାଜକିଶୋର ସାହୁଙ୍କ ସମେତ ଶିକ୍ଷା , ସ୍ବାସ୍ଥ୍ୟ, ପାନୀୟ ଜଳ,ବନ ବିଭାଗ,କୃଷି,ପ୍ରାଣୀ ଚିକିତ୍ସା ବିଭାଗ,ବିଭିନ୍ନ ପଞ୍ଚାୟତର ଲୋକପ୍ରତିନିଧି ତଥା ହାତଗଣତି ଜନସାଧାରଣ ଉପସ୍ଥିତ ଥିଲେ । ଗଣିଆ ରଘୁନାଥ ଜୀଉ ମହାବିଦ୍ୟାଳୟ ପରିସରରେ ୫୦ ଲକ୍ଷ ଟଙ୍କାର କାର୍ଯ୍ୟ ଡିପାର୍ଟମେଣ୍ଟାଲି ହେଉଥିବାରୁ ଏହି କାର୍ଯ୍ୟ ଟେଣ୍ଡର ମାଧ୍ଯମରେ କରିବାକୁ ଜିଲ୍ଲା ପରିଷଦ ସଭ୍ୟ ନରେଶ କୁମାର ବେହେରା ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ତୁରନ୍ତ ଉକ୍ତ କାର୍ଯ୍ୟକୁ ଟେଣ୍ଡର କରିବା ପାଇଁ ଗଣିଆ ବିଡ଼ିଓଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ।

ଆଡକଟା ପଦ୍ମନାଭ ଉଚ୍ଚ ବିଦ୍ୟାଳୟ ପରିସରରେ ୧୧ କେଭି ବିଦ୍ୟୁତ୍ ତାର ହଟାଇବାକୁ ସରପଞ୍ଚ ଅଭିଯୋଗ କରିଥିଲେ। ବିଶେଷକରି ପ୍ରଧାନମନ୍ତ୍ରୀ ଆବାସ ଯୋଜନା,ବିଧବା ଭତ୍ତା, ପାନୀୟ ଜଳ,ରାସନ କାର୍ଡ ସମ୍ପର୍କିତ ବହୁ ଅଭିଯୋଗ ଶୁଣାଣୀ ହୋଇଥିଲା । ଅଭିଯୋଗ ଶୁଣାଣୀ ଶିବିରରେ କମ୍ ସଂଖ୍ୟକ ଅଭିଯୋଗକାରୀ ଯୋଗ ଦେଇଥିବାରୁ ଚେୟାର ଫାଙ୍କା ପଡିଥିବା ଦେଖିବାକୁ ମିଳିଥିଲା । ଅଭିଯୋଗ ଶୁଣାଣୀ ଶିବିରରେ ଲୋକଙ୍କ ଅଭିଯୋଗ କାର୍ଯ୍ୟକାରୀ ହେଉନଥିବାରୁ ଅଭିଯୋଗ ଶୁଣାଣୀ ପ୍ରତି ଜନସାଧାରଣଙ୍କର ଆସ୍ଥା ତୁଟି ଗଲାଣି ବୋଲି ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଚାଲିଛି । ଆଜି ୨୪ଟି ଅଭିଯୋଗ ପଞ୍ଜିକୃତ ହୋଇଥିବା ବେଳେ ସେଥିମଧ୍ୟରୁ ପ୍ରଧାନମନ୍ତ୍ରୀ ଆବାସ ଯୋଜନା ସମ୍ପର୍କିତ ୮ଟି, ରାସନ କାର୍ଡ ୪ଟି, ଭତ୍ତା ୩ଟି ଏବଂ ଅନ୍ୟାନ୍ୟ ୯ଟି ବୋଲି ଜଣାପଡିଛି । ତେବେ ଅଭିଯୋଗକାରୀଙ୍କ ଅପେକ୍ଷା ଅଧିକାରୀଙ୍କ ସଙ୍ଖ୍ୟା ଅଧିକ ଥିବା ଜଣାପଡିଛି ।
ଗଣିଆ ରୁ ଜ୍ଞାନୀ ପ୍ରକାଶ ସେନାପତିଙ୍କ ରିପୋର୍ଟ