ପାଗଳଙ୍କ ତ୍ରାଣକର୍ତ୍ତା ନ୍ୟୁ ହୋପ୍ ଅନୁଷ୍ଠାନ

ଡେଲାଙ୍ଗ,କଥାରେ ଅଛି,ମାନବ ସେବା ହିଁ ମାଧବ ସେବା।ଯଥାର୍ଥରେ ଆମ ସମାଜରେ ବିଭିନ୍ନ ଅନୁଷ୍ଠାନ ଏବଂ ଅନେକ ସହୃଦୟ ବ୍ୟକ୍ତି ଭିନ୍ନ ଭିନ୍ନ ଉପାୟରେ ସମାଜର ଅବହେଳିତ ଓ ନିଷ୍ପେସିତ ବର୍ଗର ବ୍ୟକ୍ତି ତଥା ଅସହାୟମାନଙ୍କୁ ସେବା ଓ ସହାୟତା ପ୍ରଦାନ କରିବା ସହ ଏଭଳି ଧାର୍ମିକ କାର୍ଯ୍ୟରେ ନିଜକୁ ସାମିଲ କରି ପରମ ଆନନ୍ଦ ଓ ତୃପ୍ତି ଲାଭ କରିଥାନ୍ତି।ସେହିଭଳି ନ୍ୟୁ ହୋପ୍ ନାମକ ଏକ ନିଆରା ସ୍ବେଚ୍ଛାସେବୀ ଅନୁଷ୍ଠାନ ସମ୍ପ୍ରତି ଡେଲାଙ୍ଗ ବ୍ଲକ୍ ସମେତ ପୁରୀ,ଖୋର୍ଦ୍ଧା,ଜଟଣୀ ଓ ନିମାପଡ଼ା ଅଞ୍ଚଳର ବିଭିନ୍ନ ସ୍ଥାନରେ ବୁଲୁଥିବା ପାଗଳ ତଥା ମାନସିକ ବିକାରଗ୍ରସ୍ତ ବ୍ୟକ୍ତିମାନଙ୍କୁ ଉଦ୍ଧାର କରି ସେମାନଙ୍କର ସେବାଯତ୍ନ କରିବା ସହ ସମାଜର ମୁଖ୍ୟ ସ୍ରୋତରେ ଏହି ମାନସିକ ଅନଗ୍ରସର ଲୋକଙ୍କୁ ସାମିଲ୍ କରିବା ପାଇଁ ପ୍ରୟାସ ଜାରି ରଖିଛି।ଏହି ଅନୁଷ୍ଠାନର ପ୍ରଥମ ବାର୍ଷିକ ଜନ୍ମୋତ୍ସବ ଉପଲକ୍ଷେ ରବିବାର ଦିନ ଡେଲାଙ୍ଗ ବ୍ଲକ୍ ସାଉରିଆ ପଞ୍ଚାୟତ ଅନ୍ତର୍ଗତ କୁଆପଦା ଗ୍ରାମର ଆରାଧ୍ୟ ଦେବତା ବାବା ବଣିବକ୍ରେଶ୍ୱର ଦେବଙ୍କ ମନ୍ଦିର ପରିସରରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଯାଇଛି।ନ୍ୟୁ ହୋପ୍ ଅନୁଷ୍ଠାନର ସଭାପତି ଦିଲ୍ଲୀପ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ମୁଖ୍ୟ ଅତିଥି ଭାବେ ତିରିମଲ ରାଣୀପୁରସ୍ଥିତ “ବାପା ମାଙ୍କ ସେବାଶ୍ରମ” ଅନୁଷ୍ଠାନର ସଭାପତି ଗୌତମ ମହାରଣା ଓ କୋଷାଧ୍ୟକ୍ଷ ମାନସ ରଞ୍ଜନ ସ୍ବାଇଁ,ସମ୍ମାନୀତ ଅତିଥି ଭାବେ ଡେଲାଙ୍ଗ ଷ୍ଟେସନ ବଜାରସ୍ଥିତ ଲିପ୍ସା ଏଜୁକେସନାଲ୍ ଟ୍ରଷ୍ଟର ସଭାପତି ପୂର୍ଣ୍ଣେନ୍ଦୁ ପ୍ରଧାନ,ସମ୍ପାଦିକା ଶ୍ୟାମଳୀ ରାଉତ,ସହ ସମ୍ପାଦକ ପ୍ରିୟବ୍ରତ ପ୍ରଧାନ,ଅବସରପ୍ରାପ୍ତ ଶାରିରୀକ କ୍ରୀଡା ଶିକ୍ଷକ ଆର୍ତ୍ତତ୍ରାଣ ମହାନ୍ତି,ବରିଷ୍ଠ ସାମ୍ବାଦିକ ସନ୍ତୋଷ କୁମାର ପଟ୍ଟନାୟକ,ଉମେଶ ଚନ୍ଦ୍ର ପାଟ୍ଟଶାଣୀ, ଲିଟୁଲାଲ ସୁବୁଦ୍ଧି,ଗଙ୍ଗାଧର ନିଶଙ୍କ,ସୂର୍ଯ୍ୟକାନ୍ତ ପଟ୍ଟନାୟକ, ନ୍ୟୁ ହୋପ୍ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରଦୀପ ଦାସଙ୍କ ସମେତ ୫୦ରୁ ଉର୍ଦ୍ଧ୍ବ ସ୍ବେଚ୍ଛାସେବୀ,ବୁଦ୍ଧିଜୀବୀ ଓ ସମାଜସେବୀ ପ୍ରମୁଖ ଯୋଗଦେଇ ସମାଜର ଏହି ଅବହେଳିତ ବ୍ୟକ୍ତିଙ୍କୁ ସ୍ଥାୟୀ ଭାବେ ବିଭିନ୍ନ ସେବା ଯୋଗାଇଦେବା ସମ୍ପର୍କରେ ଆଲୋକପାତ କରିଥିଲେ।ନ୍ୟୁ ହୋପ୍ ଅନୁଷ୍ଠାନର ସମ୍ପାଦକ ପ୍ରଦୀପ ହରିଚନ୍ଦନଙ୍କ ପ୍ରତ୍ୟେକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି ମହତ୍ ସାମାଜିକ କାର୍ଯ୍ୟରେ ଆଗାମୀ ଦିନରେ ସଂପୂର୍ଣ୍ଣ ସହଯୋଗ କରିବା ନିମନ୍ତେ ଅବସରପ୍ରାପ୍ତ ଶାରିରୀକ କ୍ରୀଡା ଶିକ୍ଷକ ଆର୍ତ୍ତତ୍ରାଣ ମହାନ୍ତି,”ବାପା ମା ସେବାଶ୍ରମ” ଓ ଲିପ୍ସା ଏଜୁକେସନାଲ୍ ଟ୍ରଷ୍ଟର କାର୍ଯ୍ୟକର୍ତ୍ତା ପ୍ରମୁଖ ପ୍ରତିଶ୍ରୁତି ଦେଇଥିଲେ।ନ୍ୟୁ ହୋପ୍ ଅନୁଷ୍ଠାନ ବିଗତ ଏକ ବର୍ଷ ମଧ୍ୟରେ ୯ଜଣ ମାନସିକ ଅନଗ୍ରସର ଲୋକଙ୍କୁ ଉଦ୍ଧାର କରି ସେମାନଙ୍କ ସେବାଯତ୍ନ କରିବା ସହ ପୋଷାକପତ୍ର ଓ ଆର୍ଥିକ ସହାୟତା ପ୍ରଦାନ କରିଥିବା ନେଇ ଅନୁଷ୍ଠାନର ସଭାପତି ଦିଲ୍ଲୀପ କୁମାର ସାହୁ ସୂଚନା ଦେଇଥିଲେ।ତେବେ ଆଗାମୀ ନଭେମ୍ବର ୧୫ତାରିଖ ସୁଦ୍ଧା ଏହି ଅନୁଷ୍ଠାନର ପଞ୍ଜିକରଣ କାର୍ଯ୍ୟ ତ୍ବରାନ୍ବିତ କରିବାକୁ ବୈଠକରେ ସର୍ବସମ୍ମତିକ୍ରମେ ନିଷ୍ପତ୍ତି ହୋଇଥିଲା। ନ୍ୟୁ ହୋପ୍ ଅନୁଷ୍ଠାନର କୋଷାଧ୍ୟକ୍ଷ ପ୍ରଦୀପ ଦାସ କାର୍ଯ୍ୟକ୍ରମ ସଂଯୋଜନା ଦାୟିତ୍ଵ ତୁଲାଇଥିବାବେଳେ ସଞ୍ଜୟ ରାଉତରାୟ ଅତିଥି ପରିଚୟ ପ୍ରଦାନ କରିଥିଲେ। ନ୍ୟୁ ହୋପ୍ ଅନୁଷ୍ଠାନର ସଦସ୍ୟ ସୁକାନ୍ତ,ରଶ୍ମିରଞ୍ଜନ,ସଞ୍ଜୟ,କାହ୍ନୁ,ସିଲୁ,ପ୍ରଦୀପ,ଦାସ,ମାଧବ ଓ ପୀତବାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।ଏଥିରେ ସହଯୋଗ ପାଇଁ ନ୍ୟୁ ହୋପ୍ ଅନୁଷ୍ଠାନର ସମ୍ପାଦକ ପ୍ରଦୀପ ହରିଚନ୍ଦନ ସମସ୍ତଙ୍କୁ ଧନ୍ୟବାଦ୍ ଅର୍ପଣ କରିଥିଲେ।ଶେଷରେ ଅନୁଷ୍ଠାନ ପକ୍ଷରୁ ଉପସ୍ଥିତ ଅତିଥି ଓ ଶୁଭେଚ୍ଛୁମାନଙ୍କୁ ପ୍ରସାଦ ବିତରଣ ପୂର୍ବକ ଆପ୍ୟାୟିତ କରାଯାଇଥିଲା।

Leave a Reply

Your email address will not be published. Required fields are marked *