ମିଳୁନି ବାର୍ଦ୍ଧକ୍ୟ ଭତ୍ତା

ବେସାହାରା ବୃଦ୍ଧ ଦମ୍ପତି ଅମରେଶ୍ବର ଓ କୁନିବୟସ ଟପିଲାଣି ୭୦ : ମିଳୁନି ବାର୍ଦ୍ଧକ୍ୟ ଭତ୍ତାଟାର୍ଗେଟ ଆସିଲେ ଦେବୁ: ଅଧ୍ୟକ୍ଷା କୋଣାର୍କ: ଗରିବଙ୍କ ପାଇଁ ମାଳମାଳ ସରକାରୀ ଯୋଜନା। ଏହି ଯୋଜନାର ଭିଡ ଭିତରେ ଲୁଚିଯାଉଛନ୍ତି ପ୍ରକୃତ ହିତାଧିକାରୀ। ବୟସ ୭୦ଟପିଲାଣି ତଥାପି ହେଇପାରୁନି ବାର୍ଦ୍ଧକ୍ୟ ଭତ୍ତା ଖଣ୍ଡିଏ।ସୂଚନାରୁ ପ୍ରକାଶ ଯେ କୋଣାର୍କ ବିଜ୍ଞାପିତ ଅଞ୍ଚଳ ପରିଷଦ ୩ନଂ ଓ୍ବାର୍ଡରେ ଅମରେଶ୍ବର କାଣ୍ଡି ଏବଂ କୁନି ଦେଇ ନାମକ ବୃଦ୍ଧ ଦମ୍ପତି ରୁହନ୍ତି। ବୟସ ୭୦ ଟପିଲାଣି, ଦେହ ହାତ ଥରିଲାଣି, ଚର୍ମ ଲୋଚା ହେଲାଣି କିନ୍ତୁ ଏଯାଏଁ ହେଇପାରିଲାନି ବାର୍ଦ୍ଧକ୍ୟ ଭତ୍ତା ଖଣ୍ଡିଏ। ଏନେଇ ବାରମ୍ବାର ଏନ୍ଏସି ଅଫିସ ସ୍ଥାନୀୟ କାଉନସିଲର ଏବଂ ଏନ୍ଏସି ଅଧ୍ୟକ୍ଷାଙ୍କ ନିକଟରେ ଗୁହାରି କରିବା ପରେ ମଧ୍ୟ କେହି କର୍ଣ୍ଣପାତ କରୁନଥିବା ଅଭିଯୋଗ କରିଛନ୍ତି ବୃଦ୍ଧ ଦମ୍ପତି। ସରକାରଙ୍କ ତରଫରୁ ମିଳୁଥିବା ୫କେଜି ଚାଉଳ ହିଁ ଏମାନଙ୍କର ଜୀବିକା ନିର୍ବାହର ମୁଖ୍ୟ ସମ୍ବଳ। ବେଳେ ଖାଇଲେ ବେଳେ ଉପାସରେ ରହୁଛନ୍ତି। “ଏ ବୃଦ୍ଧ ଅବସ୍ଥାରେ ଯଦି ମୋର ପୁଅଟିଏ ଥାଆନ୍ତା ତେବେ ତୁମମାନକ ପାଖରେ ଏମିତି କାକୁତିମିନତି ହେଇନଥାନ୍ତି” ବୋଲି କୋହ ଭରା କଣ୍ଠରେ କହିଛନ୍ତି ବୃଦ୍ଧ ଦମ୍ପତି। ଝିଅମାନଙ୍କୁ ବିବାହ କରେଇଦେବା ପରେ ଏକ ପ୍ରକାର ଅସହାୟ ଭାବେ ପଡ଼ିରହିଛନ୍ତି ଦୁହେଁ।ଆଧାର କାର୍ଡରେ ବୟସ ୭୦ ଟପିଥିଲେ ମଧ୍ୟ ଭୋଟର କାର୍ଡରେ ବୟସ ତୃଟିପୂର୍ଣ୍ଣ ରହିଛି ଯାହାକୁ ସେମାନେ ବାରମ୍ବାର ଶଂସୋଧନ ପାଇଁ ଆବେଦନ କରି ମଧ୍ୟ ଶେଷରେ ନିରାଶ ହୋଇ ପଡିଛନ୍ତି । “ଆମେ ବାରମ୍ବାର ଶଂସୋଧନ କରୁଥିଲେ ମଧ୍ୟ କାହିଁକି ଆମ ବୁଢ଼ାବୁଢ଼ୀ ଦିଟାକୁ ସରକାର ଏମିତି ହଇରାଣ କରୁଛନ୍ତି” ବୋଲି ପ୍ରଶ୍ନ କରିଛନ୍ତି ଏହି ଦମ୍ପତି। ଏନେଇ ଏନ୍ଏସି ଅଧ୍ୟକ୍ଷା ସଂଯୁକ୍ତା ତ୍ରିପାଠୀଙ୍କୁ ପଚାରିବାରୁ ଯେଉଁ ଲୋକମାନେ ବାର୍ଦ୍ଧକ୍ୟ ଭତ୍ତା ପାଉଥିଲେ ସେଥିରୁ ଯେତିକି ଲୋକଙ୍କ ମୃତ୍ୟୁପରେ ଭତ୍ତା କଟୁଛି ସେହି ଭତ୍ତା ଗୁଡିକୁ ବିଧବା ଏବଂ ଭିନ୍ନକ୍ଷମଙ୍କୁ ପ୍ରଥମେ ପ୍ରାଧାନ୍ୟ ଦେଇ ଦିଆଯାଉଛି। ବାର୍ଦ୍ଧକ୍ୟ ଭତ୍ତା ପାଇଁ ଆମର ଟାର୍ଗେଟ ଆସିନାହିଁ । ନିର୍ବାଚନ ପୂର୍ବରୁ ଆସିବ, ଆସିଲେ ନିଶ୍ଚୟ ଦିଆଯିବ ବୋଲି ଅଧ୍ଯକ୍ଷା କହିଛନ୍ତି। ଅନ୍ୟ ପକ୍ଷରେ ଉକ୍ତ ବୃଦ୍ଧ ଦମ୍ପତିଙ୍କ ସମସ୍ଯା ଉପରେ ପୁରୀ ଜିଲ୍ଲାପାଳ, ୫-ଟି ସଚିବ, ମୂଖ୍ୟ ଶାସନ ସଚିବ ଏବଂ ରାଜ୍ୟ ସରକାର ତୁରନ୍ତ ଦୃଷ୍ଟି ଦେଇ ଭତ୍ତା ପ୍ରଦାନ କରିବାକୁ ଗ୍ରାମବାସୀଙ୍କ ତରଫରୁ ଦାବି ହୋଇଛି।