ଉତ୍ତର ଭାରତରେ ଜଳ ପ୍ରଳୟ, ବର୍ଷାରେ ବେହାଲ୍ ଦିଲ୍ଲୀ

ନୂଆଦିଲ୍ଲୀ : ଉତ୍ତର ଭାରତରେ ତାଣ୍ଡବ ରଚୁଛି ଜଳ ପ୍ରଳୟ । ଦିଲ୍ଲୀ ରୁ କାଶ୍ମୀର ସବୁଠି ଜଳ ହିଁ ଜଳ । ସତେ ଯେମିତି ପାଣିରେ ବୁଡ଼ି ରହିଛି ଉତ୍ତର ଭାରତର ଅନେକ ସ୍ଥାନ । କିଛି ଦିନ ହେଲା ଲାଗି ରହିଥିବା ଲଗାଣ ବର୍ଷାରେ ଦିଲ୍ଲୀରୁ କଶ୍ମୀର ଯାଏଁ ବିଭିନ୍ନ ରାଜ୍ୟରେ ସୃଷ୍ଟି ହୋଇଛି ଜଳ ପ୍ରଳୟ। ବର୍ଷା ଓ ବନ୍ୟାରେ ହିମାଚଳ ପ୍ରଦେଶ, ୟୁପି, ଉତ୍ତରାଖଣ୍ଡ, ପଞ୍ଜାବ, ଜମ୍ମୁ କଶ୍ମୀର ସ୍ଥିତି ଗମ୍ଭୀର ରହିଛି। ଏକାଧିକ ନଦୀ ବିପଦସଙ୍କେତ ଉପରେ ପ୍ରଭାବିତ ହେଉଛି । ଏସବୁ ଭିତରେ ବିଚଳିତ କଲା ଭଳି ଚିତ୍ର ସାମ୍ନାକୁ ଆସିଛି।  ଜଳ ପ୍ରଳୟରେ ଏପର୍ଯ୍ୟନ୍ତ ୧୫ ଜଣଙ୍କ ମୃତ୍ୟୁ ହୋଇସାରିଲାଣି। ଉତ୍ତରାଖଣ୍ଡରେ ୬ ଜିଲ୍ଲାର ୧୫୦ରୁ ଅଧିକ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଯାଇଛି।

ହିମାଚଳ ପ୍ରଦେଶରେ ସବୁଠୁ ଅଧିକ କ୍ଷତି ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ବ୍ୟାସ ନଦୀର ଜଳସ୍ତର ବଢିବା ସହ ଜନବସତି ଆଡକୁ ମାଡି ଆସିଛି ବନ୍ୟା ଜଳ । ଲୋକଙ୍କ ଘରେ ମଧ୍ୟ ପାଣିପଶି ଛାରଖାର ହୋଇଯାଇଛି । ଉଚ୍ଚସ୍ଥାନରେ ଥିବା ଲୋକଙ୍କ ଘର ମଧ୍ୟ ବନ୍ୟା ଜଳରୁ ସୁରକ୍ଷିତ ନାହାନ୍ତି । ଘରୁ ବାହାରିବାକୁ ହେଲେ ପହଁରି ପହଁରି ଯିବାକୁ ପଡୁଛି । ବନ୍ୟାପାଣି ପ୍ରଖର ଗତିରେ ମାଡିବା ଯୋଗୁଁ ଚଣ୍ଡିଗଡ଼-ମନାଲି ଜାତୀୟ ରାଜପଥର ଏକ ଅଂଶ ଧୋଇ ହୋଇଯାଇଛି । ହଠାତ ନଦୀର ପାଣି ପଶି ଆସିବାରୁ ଆଖପାଖରେ ଥିବା କାର, ଦୋକାନ ଏବଂ ଏଟିଏମ୍ ବୁଥ୍ ଭାସିଯାଇଥିବା ଦେଖିବାକୁ ମିଳିଛି ।

ସେପଟେ ଦିଲ୍ଲୀରେ ୪୦ ବର୍ଷର ରେକର୍ଡ ଭାଙ୍ଗିଛି ବର୍ଷା।ଗତ ୨୪ ଘଣ୍ଟାରେ ଦିଲ୍ଲୀରେ ୧୫୩ ମିଲିମିଟର ବର୍ଷା ରେକର୍ଡ ହୋଇଛି । ୧୯୮୨ ପରଠାରୁ ଜୁଲାଇରେ ଗୋଟିଏ ଦିନରେ ସର୍ବାଧିକ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଆଜି ଦିଲ୍ଲୀ ଏବଂ ନୋଏଡାରେ ସମସ୍ତ ସ୍କୁଲ ଛୁଟି ଘୋଷଣା କରାଯାଇଛି। ଦିଲ୍ଲୀର ଏକାଧିକ ଅଞ୍ଚଳ ପାଣିରେ ବୁଡ଼ି ରହିଛି । ମନାଲୀରେ ପାର୍କିଙ୍ଗ୍ ହୋଇଥିବା କାର ଗୁଡିକ ଭାସି ଯାଉଥିବା ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଯୋଗୁଁ ଜମ୍ମୁକୁ ଖାଦ୍ୟ ଯୋଗାଣ ବାଧାପ୍ରାପ୍ତ ହୋଇଛି ।

ପାଣିପାଗ ବିଭାଗ ସୂଚନା ଅନୁଯାୟୀ, ଉତ୍ତର ଭାତରରେ ଆଗକୁ କିଛିିଦିନ ବର୍ଷା ବିତ୍ପାତ ଜାରି ରହିବ । ଆସନ୍ତା ୨ ଦିନ ପର୍ଯ୍ୟନ୍ତ ଜମ୍ମୁ, କଶ୍ମୀର, ହିମାଚଳ ପ୍ରଦେଶ ଓ ଉତ୍ତରାଖଣ୍ଡରେ ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଏତଦ୍ ବ୍ୟତୀତ ପଞ୍ଜାବ, ରାଜସ୍ତାନ, ହରିୟାଣା, ୟୁପିକୁ ବି ବର୍ଷା ସୂଚନା ଦିଆଯାଇଛି। ହିମାଚଳ ପ୍ରଦେଶରେ ଆଜି ବି ପ୍ରବଳ ବର୍ଷା ହେବ ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ତେଣୁ ଆସନ୍ତା ୨୪ ଘଣ୍ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ରାଜ୍ୟ ସରକାରଙ୍କ ତରଫରୁ ଲୋକଙ୍କୁ ପରାମର୍ଶ ଦିଆଯାଇଥିବା ବେଳେ ହେଲପଲାଇନ୍‌ ନମ୍ବର ଜାରି କରାଯାଇଛି।

Leave a Reply

Your email address will not be published. Required fields are marked *