ଓଡ଼ିଶା ଦିବସରେ ସଚେତନତା ଶୋଭାଯାତ୍ରା

ପୁରୀ ୧/୪- ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ର ସୁରକ୍ଷା ପାଇଁ ଏକ ସଚେତନତା ଶୋଭାଯାତ୍ରା ଆଜି ପୂର୍ବାହ୍ନରେ ଅନୁଷ୍ଠିତ ହୋଇଥିଲା।ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ,ସଂସ୍କୃତି କାର୍ଯ୍ୟାଳୟ, ଜନ ଶିକ୍ଷଣ ସଂସ୍ଥାନ ଏବଂ ଚାରୁ ଓ କାରୁକଳା ମହାବିଦ୍ୟାଳୟ ପକ୍ଷରୁ ଆୟୋଜିତ ଏହି ବିଶାଳ ଶୋଭାଯାତ୍ରା ଡାକ୍ତରଖାନା ଛକ ଠାରୁ ବାହାରି ସିଂହଦ୍ଵାର ପର୍ଯ୍ୟନ୍ତ ଯାଇଥିଲା।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ, ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ, ଉପଜିଲ୍ଲାପାଳ ଭବତାରଣ ସାହୁ, ପୌରନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ,ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା, କ୍ରୀଡା ଅଧିକାରୀ ଚନ୍ଦନ କୁମାର ସାହୁ ପ୍ରମୁଖ ଯୋଗ ଦେଇ ଏହି ଶୋଭାଯାତ୍ରା ର ଶୁଭାରମ୍ଭ କରିଥିଲେ। ଶୋଭାଯାତ୍ରା ସିଂହଦ୍ୱାର ଠାରେ ପହଞ୍ଚିବା ପରେ ଅତିଥି ମାନେ ଉତ୍କଳ ମଣି ଗୋପବନ୍ଧୁ ଙ୍କ ପ୍ରତମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ। ପରେ ଶରଧାବାଲି ମୁକ୍ତାକାଶ ରଙ୍ଗମଞ୍ଚରେ ସଂସ୍କୃତି ପରିଷଦ ଓ ସାମାଜିକ ଓ ସାଂସ୍କୃତିକ ସଂଗଠନ ନୀଳଚକ୍ର ପକ୍ଷରୁ ଉତ୍କଳ ଜନନୀ ନାମରେ ଏକ ଦେଶାତ୍ମବୋଧକ କାର୍ଯ୍ୟକ୍ରମ ଶତାଧିକ କୁନି କୁନି କଳାକାର ମାନଙ୍କୁ ନେଇ ଆଲୋକ ମହାପାତ୍ର ଙ୍କ ନିର୍ଦ୍ଦେଶନାରେ ପରିବେଷଣ କରାଯାଇଥିଲା।ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ବ୍ୟକ୍ତି ମାନଙ୍କୁ ଉପରୋକ୍ତ ଅତିଥି ମାନଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା।କାର୍ଯ୍ୟକ୍ରମରେ ନୀଳଚକ୍ର ର ସଭାପତି ରାମଚନ୍ଦ୍ର ଦାସ ମହାପାତ୍ର ପ୍ରାକ୍ତନ ଅଧ୍ୟକ୍ଷ ଡଃ ରବିନ୍ଦ୍ର ନାଥ ରଥ,ସମ୍ପାଦକ ଆଲୋକ ମହାପାତ୍ର, ଉପଦେଷ୍ଟା ଚକ୍ରଧର ମହାପାତ୍ର, ଜୟନ୍ତୀ ମହାପାତ୍ର, ଶ୍ୟାମ ପ୍ରକାଶ ସେନାପତି ପ୍ରମୁଖ ପରିଚାଳନା କରିଥିଲେ।

Leave a Reply

Your email address will not be published. Required fields are marked *