ଓଡ଼ିଶା ଲଲିତ କଳା ଏକାଡ଼େମୀ ଦ୍ୱାରା ଭ୍ରାମ୍ୟମାଣ ଚିତ୍ରକଳା ପ୍ରଦର୍ଶନୀ ଉଦଘାଟିତ

ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଓ ଜିଲ୍ଲା ପ୍ରଶାସନ, ପୁରୀ ଙ୍କ ସହଯୋଗରେ ରାଜ୍ୟରେ ଚିତ୍ରକଳାର ବହୁଳ ପ୍ରଚାର ଓ ପ୍ରସାର ନିମନ୍ତେ ଏକାଡେମୀ ଦ୍ଵାରା ସଂଗୃହିତ ଚିତ୍ରକଳାଗୁଡିକୁ ନେଇ ଏକ ଭ୍ରାମ୍ୟମାଣ ପ୍ରଦର୍ଶନୀର ଉଦଘାଟନୀ ଉତ୍ସବ କୋଣାର୍କ ଏନ ଏ ସି କଲ୍ୟାଣ ମଣ୍ଡପ ଠାରେ ଆଜି ଉଦଘାଟିତ ହୋଇଯାଇଛି । ପ୍ରଦର୍ଶନୀକୁ ପୁରୀ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଓ କୋଣାର୍କ ଏନ ଏ ସି ନିର୍ବାହୀ ଅଧିକାରୀ ଶ୍ୱେତପଦ୍ମା ଧଳ ଉଦଘାଟନ କରିଛନ୍ତି । ଓଡ଼ିଶା ଲଳିତ କଳାର ବହୁଳ ପ୍ରଚାର ଓ ପ୍ରସାର ପାଇଁ ତଥା ଶିଳ୍ପୀମାନଙ୍କର କଳାକୃତି ଯେପରି ରାଜ୍ୟର ଜନସାଧାରଣ ଅନ୍ୟ ଶିଳ୍ପୀ ତଥା ଛାତ୍ର/ ଛାତ୍ରୀମାନେ ଦେଖିବାର ସୁଯୋଗ ପାଇ ପାରିବେ ଏବଂ ଓଡ଼ିଶାର ସବୁ ଜିଲ୍ଲାରେ ଚିତ୍ରକଳାର ପ୍ରଚାର ଓ ପ୍ରସାର କିପରି ଅଧିକ ହୋଇପାରିବ ସେଥିପାଇଁ ଏକାଡେମୀ ତରଫରୁ ଏହି ପ୍ରୟାସ କରାଯାଉଛି । ଉକ୍ତ ପ୍ରଦର୍ଶନୀରେ ଓଡ଼ିଶାର ଖ୍ୟାତନାମା ଦିବଙ୍ଗତ ଓ ବରିଷ୍ଠ ଚିତ୍ରଶିଳ୍ପୀ ବିମ୍ବାଧର ବର୍ମା, ବସନ୍ତ ପଣ୍ଡା, ଅନନ୍ତ ପଣ୍ଡା, ଯତୀନ ଦାସ, ଅଜିତ କେଶରୀ ରାୟ, ବିଭୁତି କାନୁନଗୋ ଓ ରବିନାରାୟଣ ନାୟକ ପ୍ରମୁଖଙ୍କ ସହ ବହୁ ଯୁବ ଚିତ୍ରଶିଳ୍ପୀଙ୍କ ମୋଟ ୪୦ ଟି ଚିତ୍ରକଳା ସ୍ଥାନ ପାଇଛି । ଉକ୍ତ ପ୍ରଦର୍ଶନୀ ୩୦ ଡିସେମ୍ବର ପର୍ଯ୍ୟନ୍ତ ପ୍ରତ୍ୟେହ ଦିନ ୧୦ ଘଟିକାରୁ ସନ୍ଧ୍ୟା ୬ ଘଟିକା ପର୍ଯ୍ୟନ୍ତ ଖୋଲା ରହିବ । ପୂରୀ ଆର୍ଟ ଗ୍ୟାଲେରୀ ର ଭାରପ୍ରାପ୍ତ ଅଧିକାରୀ ସତ୍ୟ ପାଢ଼ୀ ଓ ସ୍ୱାଗତ ସାହୁ ଏହି ପ୍ରଦର୍ଶନୀ ରେ ସହଯୋଗ କରିଥିଲେ। ପ୍ରଦର୍ଶନୀକୁ ଶିଳ୍ପୀ,କଳାପ୍ରେମୀ ଓ ଛାତ୍ରଛାତ୍ରୀ ମାନେ ପ୍ରତ୍ୟକ୍ଷ କରି ବାକୁ ଅନୁରୋଧ କରାଯାଇଛି।
