କୋଣାର୍କ ଉତ୍ସବର ୪ର୍ଥ ସନ୍ଧ୍ୟାମୋହିନୀୟାଟ୍ଟମରେ ଶିବତତ୍ତ୍ବ ଓ ଓଡିଶୀରେ କୃଷ୍ଣ ରସରେ ଦର୍ଶକମତୁଆଲା
![](https://teerthkhetra.com/wp-content/uploads/2023/12/Screenshot_2023-12-05-17-23-05-95.jpg)
କୋଣାର୍କ,୦୪.୧୨– କୋଣାର୍କ ସୂର୍ଯ୍ୟମନ୍ଦିରର ପାଦଦେଶରେ ମୁକ୍ତାକାଶ ରଙ୍ଗମଞ୍ଚ ପରିସରରେ ରାଜ୍ଯ ସରକାରଙ୍କ ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ଅନୁଷ୍ଠିତ ହେଉଥିବା ୩୪ତମ କୋଣାର୍କ ଉତ୍ସବର ଆଜି ଥିଲା ଚତୁର୍ଥ ସନ୍ଧ୍ୟା। କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାର ପ୍ରଥମାର୍ଦ୍ଧରେ କେରଳର ଲସ୍ଯ ଏକାଡେମୀ ଅଫ ମୋହିନୀୟାଟ୍ଟମର ନୃତ୍ୟ ପଟ୍ଟୟସୀ ପଲ୍ଲବୀ କ୍ରିଷ୍ଣନ ଓ ସାଥି ଶିଳ୍ପୀ ମାନେ ପଲ୍ଲବୀରେ ଆଦି ଶଙ୍କରାଚାର୍ଯ୍ୟ ବିରଚିତ ନମଃ ଶିବାୟ ପଞ୍ଚାକ୍ଷର ଉପରେ ଆଧାରିତ ଶିବତତ୍ତ୍ବକୁ ଚମତ୍କାର ଭାବେ ପରିବେଷଣ କରିଥିଲେ। ଏହି ନୃତ୍ୟର ଦ୍ବିତୀୟ ଚରଣରେ ମାଲୟାଲମ ସାହିତ୍ୟରେ ବର୍ଣ୍ଣିତ ବୌଦ୍ଧ ସନ୍ନ୍ୟାସୀ ଉପଗୁପ୍ତ ଓ ରୂପସୀ ବାସବଦତ୍ତାଙ୍କ କାହାଣୀକୁ ନେଇ ଲସ୍ଯ ଏକାଡେମୀର ନୃତ୍ୟ ଶିଳ୍ପୀ ମାନେ କରୁଣାକୁ ନିଖୁଣ ଭାବରେ ପ୍ରଦର୍ଶିତ କରିଥିଲେ। ବୌଦ୍ଧ ସନ୍ନ୍ୟାସୀଙ୍କ କରୁଣାରେ ସକଳ ଧନ ସମ୍ପଦର ମୋହ ଓ ରୂପ ଲାବଣ୍ୟର ମାୟାକୁ ପରିହାର କରି ସୁନ୍ଦରୀ ବାସବଦତ୍ତା ଙ୍କର ଆତ୍ମିକ ଉତ୍ତରଣକୁ ନୃତ୍ୟ ଶିଳ୍ପୀ ମାନେ ଚମତ୍କାର ଭାବେ ପରିବେଷଣ କରିଥିଲେ। ଯାହାକି ପର୍ଯ୍ୟଟକ ମାନଙ୍କ ମନରେ ଆଧ୍ୟାତ୍ମିକ ଭାବାବେଗ ସୃଷ୍ଟି କରିଥିଲା। ଚତୁର୍ଥ ସନ୍ଧ୍ୟାର ଦ୍ଵିତୀୟ ଭାଗର ପ୍ରଥମାର୍ଦ୍ଧରେ କୈସିକ ଡ୍ଯାନ୍ସ ଏକାଡେମୀ, ମୁମ୍ବାଇର ସୁବିଖ୍ୟାତ ଓଡିଶୀ ନୃତ୍ୟ ଶିଳ୍ପୀ ଦକ୍ଷା ମଶ୍ରୁଓ୍ବାଲା ଓ ସାଥି କଳାକାର ମାନଙ୍କ ଦ୍ଵାରା ଭାରତୀୟ ରାଗ, ରାଗିଣୀ ଓ ମାତୃଶକ୍ତିର ପ୍ରକାଶ ସମ୍ବଳିତ ରାଗମାଳ ପରିବେଶରେ କୋଣାର୍କ ନାଟ୍ୟ ମଣ୍ଡପ ପରିସରରେ ଏକ ଆଧ୍ୟାତ୍ମିକ ବାତାବରଣ ସୃଷ୍ଟି ହୋଇଥିବା ବେଳେ ଏହା ପର୍ଯ୍ୟଟକ ମାନଙ୍କୁ ବେଶ ଆକୃଷ୍ଟ କରି ପାରିଥିଲା। ପରେ ପରେ ଶୁଦ୍ଧ ନୃତ୍ୟ ଯୋଗ ପଲ୍ଲବୀ ରାଗ ଓ ତାଳକୁ ନେଇ ବିସ୍ତାରିତ ହୋଇଥିଲା। କବି ବନମାଳୀଙ୍କ ରଚନାରୁ ପ୍ରାଣ ସଙ୍ଗିନୀରେ କାଲି ମୁଁ କି ଲାଜେ ବୁଡିଲିର ଅଭିନୟରେ ରାଧାକୃଷ୍ଣ ମିଳନର ଶୃଙ୍ଗାରିକ ଅନୁଭବକୁ ଓଡିଶୀ ନୃତ୍ୟ ଶିଳ୍ପୀ ମାନେ ନିଖୁଣ ଭାବରେ ପ୍ରଦର୍ଶିତ କରିଥିଲେ। ଅନ୍ତିମ ଚରଣରେ ନୃତ୍ୟ ଶିଳ୍ପୀ ମାନେ ଲଗ୍ନରେ ଉପନିଷଦ ବର୍ଣ୍ଣିତ ଶାନ୍ତି ମନ୍ତ୍ର କୁ ଚମତ୍କାର ଭାବେ ପରିବେଷଣ କରିଥିଲେ। କୋଣାର୍କ ଉତ୍ସବର ଚତୁର୍ଥ ସନ୍ଧ୍ୟାରେ ଅତିଥି ଭାବରେ ମୁମ୍ବାଇର ପୂର୍ବତନ ପୋଲିସ କମିଶନର ଅରୂପ ପଟ୍ଟନାୟକ, ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀର ସଭାପତି ଗୁରୁ ଅରୁଣା ମହାନ୍ତି ଓ ପର୍ଯ୍ୟଟନ ବିଭାଗ ନିର୍ଦ୍ଦେଶକ ସଚିନ ରାମଚନ୍ଦ୍ର ଯାଦବ ପ୍ରମୁଖ ପ୍ରଦୀପ ପ୍ରଜ୍ବଳନ କରି ଏହାର ଶୁଭାରମ୍ଭ କରିଥିଲେ। ଚତୁର୍ଥ ସନ୍ଧ୍ୟାର କାର୍ଯ୍ୟକ୍ରମକୁ ପର୍ଯ୍ୟଟନ ବିଭାଗ ପଦାଧିକାରୀ ଓ ଓଡିଶା ସଙ୍ଗୀତ ନାଟକ ଏକାଡ଼େମୀର ପଦାଧିକାରୀ ମାନେ ପରିଚାଳନାରେ ସହଯୋଗ କରିଥିଲେ।