କୋଣାର୍କ ଥାନାରେ ଦୀର୍ଘଦିନ ଧରି ହେଉନି ଆମ ପୋଲିସ ସମିତି ବୈଠକ

କୋଣାର୍କ,୨୩l୬,(ନି: ପ୍ର),ଗତ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି ପୋଲିସ – ଜନତାଙ୍କ ମଧ୍ୟରେ ସେତୁ ଭଳି କାର୍ଯ୍ୟ କରୁଥିବା ଆମ ପୋଲିସ ସମିତି ବୈଠକ କୋଣାର୍କ, ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଓ ରାମଚଣ୍ଡୀ ଥାନା ପୋଲିସ ପକ୍ଷରୁ ଆୟୋଜିତ ହେଉ ନ ଥିବାରୁ ଥାନା ମାନଙ୍କରେ ସାଧାରଣ ଜନତାଙ୍କୁ ପୋଲିସ ନ୍ୟାୟ ପ୍ରଦାନ କରିବା କାର୍ଯ୍ୟ ବିଳମ୍ବିତ ନେଇ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ହେଉଥିବା ବେଳେ ଥାନାରେ ମଧ୍ୟସ୍ଥି ମାନଙ୍କ ଯୋଗୁଁ ପୋଲିସ – ଜନତାଙ୍କ ମଧ୍ୟରେ ଦୂରତା କମି ଯାଉଥିବା ଯୋଗୁଁ ସେମାନଙ୍କୁ ନ୍ୟାୟ ମିଳିବା ବାଧାପ୍ରାପ୍ତ ହେଉଛି ବୋଲି ସ୍ଥାନୀୟ ଅଂଚଳର ଜନସାଧାରଣ ମାନଙ୍କ ମଧ୍ୟରେ ଆଲୋଚନା ହେଉଛି। ଖବରରୁ ପ୍ରକାଶ ଯେ, ବିଶ୍ବ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସ୍ଥିତ କୋଣାର୍କ ଥାନା, ପୁରାଣ ପ୍ରସିଦ୍ଧ ଚନ୍ଦ୍ରଭାଗା ଠାରେ ଥିବା ସାମୁଦ୍ରିକ ଥାନା ଓ ରାମଚଣ୍ଡୀ ଥାନାରେ ପୋଲିସ-ଜନତା ମାନଙ୍କ ମଧ୍ୟରେ ଏକ ବନ୍ଧୁତ୍ବ ପୂର୍ଣ୍ଣ ବାତାବରଣ ସୃଷ୍ଟି ଓ ପୋଲିସ ପ୍ରଶାସନ ପ୍ରତି ଜନସାଧାରଣଙ୍କ ଥିବା ଭୟ ଦୂରକରିବା ପାଇଁ ରାଜ୍ୟ ସରକାରଙ୍କ ଗୃହ ବିଭାଗ ପକ୍ଷରୁ ପ୍ରତ୍ୟେକ ଥାନାର ମୁଖ୍ୟ ଦପ୍ତର ଓ ପର୍ଯ୍ୟାୟ କ୍ରମେ ଥାନାର ବିଭିନ୍ନ ଗ୍ରାମପଞ୍ଚାୟତର ମୁଖ୍ୟ ଦପ୍ତରରେ ମାସକରେ ଥରେ ଆମ ପୋଲିସ ସମିତି ବୈଠକ ଆୟୋଜନ କରିବା ନେଇ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି। ମାତ୍ର ଗୃହ ବିଭାଗର ନିର୍ଦ୍ଦେଶନାମାର ଖୋଲା ଉଲଂଘନ କରି କୋଣାର୍କ ଥାନା, ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଓ ରାମଚଣ୍ଡୀ ଥାନା ପୋଲିସ ପକ୍ଷରୁ ଦୀର୍ଘଦିନ ଧରି ଆମ ପୋଲିସ ସମିତି ବୈଠକ ଆୟୋଜନ ହେଉ ନ ଥିବାରୁ ପୋଲିସ ପ୍ରଶାସନର ଜନତା ମାନଙ୍କ ପ୍ରତି କିଭଳି ମନୋଭାବ ରହିଛି ତାହା ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି। ଆମ ପୋଲିସ ସମିତି ବୈଠକ ହେଉ ନ ଥିବାରୁ ପୋଲିସ – ଜନତାଙ୍କ ମଧ୍ୟରେ ଦୂରତା ଓ ପୋଲିସ ପ୍ରତି ସାଧାରଣରେ ଏକ ଭୟର ବାତାବରଣ ଖେଳିଯାଇଛି ବୋଲି କୋଣାର୍କ ଅଞ୍ଚଳର ବୁଦ୍ଧିଜୀବୀ ମହଲରେ ଆଲୋଚନା ହେଉଛି। ଆମ ପୋଲିସ ସମିତି ବୈଠକ ଜରିଆରେ ଲୋକ ପ୍ରତିନିଧି, ବୁଦ୍ଧିଜୀବୀ, ଗଣମାଧ୍ୟମ ପ୍ରତିନିଧି ଓ ସାଧାରଣ ଜନତା ବିଭିନ୍ନ ସ୍ଥାନରେ ସୃଷ୍ଟି ହେଉଥିବା ଆଇନ ଶୃଙ୍ଖଳା ପରିସ୍ଥିତି ଓ ପୋଲିସ ପ୍ରଶାସନ ସମ୍ପର୍କିତ ବିଭିନ୍ନ ସମାସ୍ୟା ଉପରେ ସେମାନଙ୍କର ମତ ଉପସ୍ଥାପନ କରିଥାନ୍ତି। ମାତ୍ର କୋଣାର୍କ ଥାନା, ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଓ ରାମଚଣ୍ଡୀ ଥାନା ଅଧିନସ୍ଥ ବିଭିନ୍ନ ଗ୍ରାମର ସାଧାରଣ ଜନତା ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହେଉ ନ ଥିବା କାରଣରୁ ସେମାନଙ୍କ ନ୍ୟାୟ ବିଳମ୍ବିତ ହେଉଛି। ଏଭଳି ପରିସ୍ଥିତିରେ ଥାନାରେ ମଧ୍ୟସ୍ଥି ବା ଦଣ୍ଡିଆ ଗିରୀ କରୁଥିବା ଲୋକଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଇବା ସହିତ ସେମାନେ ସାଧାରଣ ଜନତାଙ୍କୁ ଆର୍ଥିକ ଶୋଷଣ କରି ସେମାନଙ୍କୁ ନ୍ୟାୟ ପ୍ରଦାନ କରିବା ପାଇଁ ଥାନା ମାନଙ୍କରେ କାର୍ଯ୍ୟରତ ଅଧିକାରୀ ମାନଙ୍କୁ ହାତ କରି ଆଇନ ଶୃଙ୍ଖଳା ପରିସ୍ଥିତି ବିଗାଡିବା ସହ ସେମାନଙ୍କ ପକେଟ ଗରମ କରୁଥିବା ସାଧାରଣ ଜନତା ଓ ବୁଦ୍ଧିଜୀବୀ ମହଲରେ ଜୋରଦାର ଆଲୋଚନା ହେବା ସହିତ ପୋଲିସ ପ୍ରଶାସନର ଏତାଦୃଶ କାମକୁ ସାଧାରଣରେ ନାପସନ୍ଦ କରୁଛନ୍ତି। କୋଣାର୍କ ଥାନା ସମେତ ବିଭିନ୍ନ ଥାନା ପୋଲିସ ପକ୍ଷରୁ ନିୟମିତ ପୋଲିସ ପ୍ରେଟୋଲିଂଗ କରାଯାଉନଥିବା ବେଳେ ଗ୍ରାମାଞ୍ଚଳରେ ଆଦୌ ପୋଲିସ ପ୍ରେଟୋଲିଂଗ କରା ଯାଉ ନ ଥିବାରୁ ଚୋରା ମଦ କାରବାର ବୃଦ୍ଧି ପାଇବା ସହିତ ଯୁବପିଢି ନିଶାର କବଳରେ ପଡି ଗ୍ରାମ ଓ ପରିବାର ମାନଙ୍କରେ ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବା ସାଧାରଣରେ ଆଲୋଚନା ହେଉଛି। କୋଣାର୍କ ଥାନା ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଓ ରାମଚଣ୍ଡୀ ଥାନା ଅନ୍ତର୍ଗତ ବିଭିନ୍ନ ଗ୍ରାମପଞ୍ଚାୟତ ଓ ମୁଖ୍ୟ ଦପ୍ତରରେ ମାସକରେ ଥରେ ନିୟମିତ ଭାବେ ଆମ ପୋଲିସ ସମିତି ବୈଠକ ଆୟୋଜନ କରିବା, ପୋଲିସ ପ୍ରେଟୋଲିଂଗ କଡାକଡି କରିବା, ଗ୍ରାମପଞ୍ଚାୟତରେ ପୋଲିସ ପ୍ରେଟୋଲିଂଗ କରିବା, ଗ୍ରାମାଞ୍ଚଳରେ ଚୋରା ମଦ କାରବାର ବନ୍ଦ କରିବା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ, ମୁଖ୍ୟ ଶାସନ ସଚିବ, ପୋଲିସ ମହାନିର୍ଦ୍ଦେଶକ, ପୁରୀ ଏସପି ଓ ପୁରୀ ଜିଲ୍ଲାପାଳଙ୍କୁ କୋଣାର୍କ, ଚନ୍ଦ୍ରଭାଗା ଓ ରାମଚଣ୍ଡୀ ଥାନା ଅଂଚଳର ବୁଦ୍ଧିଜୀବୀ, ଶିକ୍ଷାବିତ, ବରିଷ୍ଠ ନାଗରିକ, ସଚେତନ ନାଗରିକ ଓ ସ୍ଥାନୀୟ ଅଂଚଳର ଜନସାଧାରଣ ମାନଙ୍କ ପକ୍ଷରୁ ଦାବି କରାଯାଇଛି।

Leave a Reply

Your email address will not be published. Required fields are marked *