ଆତଙ୍କବାଦ ବିରୋଧରେ ଲଢ଼ିବେ ପାକିସ୍ତାନ-ଚାଇନା-ଆଫଗାନିସ୍ତାନ

ଇସଲାମାବାଦ,୮।୫ : ଆତଙ୍କବାଦ ମୁକାବିଲା ପାଇଁ ପାକିସ୍ତାନ, ଚାଇନା ଏବଂ ଆଫଗାନିସ୍ତାନ ମିଳିତ ଭାବେ କାର୍ଯ୍ୟ କରିବାକୁ ସହମତ ହୋଇଛନ୍ତି। ବିଭିନ୍ନ ଆର୍ଥିକ କ୍ଷେତ୍ରରେ ସହଯୋଗ ବୃଦ୍ଧି ପାଇଁ ସେମାନଙ୍କ ମଧ୍ୟରେ ଏକ ଚୁକ୍ତିନାମା ମଧ୍ୟ ହୋଇଛି। ପାକିସ୍ତାନ ବୈଦେଶିକ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି, ଇସଲାମାବାଦରେ ଚାଇନା-ପାକିସ୍ଥାନ-ଆଫଗାନିସ୍ତାନ ତ୍ରିପାକ୍ଷିକ ବୈଦେଶିକ ମନ୍ତ୍ରୀଙ୍କ ଆଲୋଚନା ଅନୁଷ୍ଠିତ ହୋଇଥିଲା। ଏହି ତିନି ଦେଶର ବୈଦେଶିକ ମନ୍ତ୍ରୀମାନେ ଏଥିରେ ଯୋଗ ଦେଇଥିଲେ।

ବିବୃତ୍ତି ଅନୁଯାୟୀ, ତ୍ରିପାକ୍ଷିକ ଢାଞ୍ଚାରେ ରାଜନୈତିକ ଯୋଗଦାନ, ଆତଙ୍କବାଦ ବିରୋଧୀ ସହଯୋଗ, ବାଣିଜ୍ୟ, ପୁଞ୍ଜି ବିନିଯୋଗ ଏବଂ ସଂଯୋଗକୁ ବୃଦ୍ଧି କରିବାକୁ ତିନି ପକ୍ଷ ସହମତ ହୋଇଥିଲେ। ଏହି ବୈଠକ ପାଇଁ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ଆମୀର ଖାନ ମୁତକିଙ୍କୁ ମିଳିତ ଜାତିସଂଘ ପକ୍ଷରୁ ପାକିସ୍ତାନ ଯାତ୍ରା କରିବାକୁ ସ୍ବତନ୍ତ୍ର ଅନୁମତି ଦିଆଯାଇଥିଲା। ତ୍ରିପାକ୍ଷିକ ବୈଠକରେ ଯୋଗଦେବା ପାଇଁ ଗୋଆରେ ସାଂଘାଇ ସହଯୋଗ ସଂଗଠନ (ଏସସିଓ) ବୈଠକ ପରେ ଚାଇନା ବୈଦେଶିକ ମନ୍ତ୍ରୀ କିନ ଗ୍ୟାଙ୍ଗ ପାକିସ୍ତାନକୁ ଯାଇଥିଲେ।

ଏହି ସମୟରେ ଆଫଗାନିସ୍ତାନର କାର୍ଯ୍ୟକାରୀ ବୈଦେଶିକ ମନ୍ତ୍ରୀ ମୁତକି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ବିଲାୱାଲ ଭୁଟ୍ଟୋ ଜାରଦାରୀଙ୍କୁ ଭେଟିଛନ୍ତି। ଏହି ସମୟରେ ଉଭୟଙ୍କ ମଧ୍ୟରେ ପ୍ରମୁଖ ପ୍ରସଙ୍ଗ ଉପରେ ଆଲୋଚନା କରାଯାଇଥିଲା। ଶାନ୍ତି ଏବଂ ନିରାପତ୍ତାକୁ ଦୃଷ୍ଟିରେ ରଖି ସେମାନେ ଆତଙ୍କବାଦ ମୁକାବିଲା ପାଇଁ ସହଯୋଗକୁ ମଜବୁତ କରିବାକୁ ଗୁରୁତ୍ୱାରୋପ କରିଥିଲେ। ମୁତକି ପାକିସ୍ତାନ ସେନା ମୁଖ୍ୟ ଜେନେରାଲ ସୟଦ ଅସୀମ ମୁନୀରଙ୍କୁ ମଧ୍ୟ ଭେଟିଥିଲେ।

Leave a Reply

Your email address will not be published. Required fields are marked *