ପଞ୍ଚାୟତିରାଜ ଓ ଲୋକସେବା ଦିବସ ସମାରୋହ ପାଳିତ

ପୁରୀ ୫/୩- ଭାରତର ଆତ୍ମା ଗ୍ରାମରେ ଥାଏ।ତେଣୁ ଗ୍ରାମ ବିକାଶ ଓ ଗ୍ରାମ ପଞ୍ଚାୟତକୁ ସଶକ୍ତ କରିବା ଓ ଲୋକ ଙ୍କୁ ଉନ୍ନତ ସେବା ଯୋଗାଇବା ଉଦ୍ଦେଶ୍ୟରେ ପଞ୍ଚାୟତରାଜ ବ୍ୟବସ୍ଥା କୁ ସୁଦୃଢ଼ କରାଯାଇଛି ବୋଲି ବକ୍ତା ମାନେ ମତବ୍ୟକ୍ତ କରିଛନ୍ତି।ଆଜି ପୂର୍ବାହ୍ନରେ ଜିଲ୍ଲା ପରିଷଦ ସମ୍ମିଳନୀ ଗୃହରେ ପୁରୀ ଜିଲ୍ଲା ସ୍ତରୀୟ ପଞ୍ଚାୟତିରାଜ ଓ ଲୋକସେବା ଦିବସ ସମାରୋହ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ସଭାପତି ଶ୍ରୀମତୀ ସ୍ୱପ୍ନାରାଣୀ ସ୍ୱାଇଁ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ର ଉପଯୋଗ କରାଯାଇ ଗ୍ରାମ ବିକାଶକୁ ତ୍ୱରାନ୍ୱିତ କରାଯାଉଛି ବୋଲି କହିବା ସହ ସମସ୍ତଙ୍କ ସହଯୋଗ ରେ ପୁରୀ ଜିଲ୍ଲା କୁ ଏକ ବିକଶିତ ଜିଲ୍ଲାରେ ପରିଣତ କରିବାକୁ ଆହ୍ୱାନ ଦେଇଥିଲେ। ଅତିରିକ୍ତ ଜିଲ୍ଲାପାଳ ରାଜସ୍ବ କୈଳାସ ଚନ୍ଦ୍ର ନାୟକ ୧୯୪୮ ରେ ପଞ୍ଚାୟତିରାଜ ବ୍ୟବସ୍ଥା ଦେଶରେ କରାଯାଇଥିଲା।ଓଡ଼ିଶା ରେ ୧୯୬୨ ମସିହାରେ ବିଜୁବାବୁ ଦ୍ଵାରା ଏହାକୁ ପ୍ରଣୟନ କରାଯାଇଥିଲା।ତେବେ ୧୯୯୨ ଆଜିର ଦିବସ ରେ ବିଜୁବାବୁଙ୍କ ଦ୍ଵାରା ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ଲାଗୁ ସହ ପଞ୍ଚାୟତ କୁ ଅଧିକ କ୍ଷମତା, ମହିଳା ସଶକ୍ତିକରଣ, ମହିଳା ମାନଙ୍କୁ ଶତକଡ଼ା ୩୩ ଭାଗ ଓ ପରେ ଶତକଡ଼ା ୫୦ ଭାଗ ସଂରକ୍ଷଣ ର ବ୍ୟବସ୍ଥା ହୋଇଛି ବୋଲି କହିଥିଲେ।ପଞ୍ଚାୟତ ର ବିକାଶ ଓ ଗ୍ରାମ ମାନଙ୍କ ରେ ସମସ୍ୟା ର ସମାଧାନ ପାଇଁ ଉଦ୍ୟମ ଉପରେ ସେ ଗୁରୁତ୍ୱ ଦେଇଥିଲେ।ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ଜ୍ୟୋତି ଶଙ୍କର ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ସମସ୍ତଙ୍କୁ ସ୍ୱାଗତ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ପୁରୀ ତହସିଲଦାର କ୍ଷିରୋଦ କୁମାର ବେହେରା, ପୂର୍ବତନ ଜିଲ୍ଲା ପରିଷଦ ସଭାପତି ଜ୍ୟୋତିର୍ମୟ ଦଳାଇ,ପ୍ରାକ୍ତନ ପ୍ରଧାନ ଶିକ୍ଷକ ସ୍ୱପ୍ନେଶ୍ୱର ସାହୁ ପ୍ରମୁଖ ଯୋଗ ଦେଇ ପଞ୍ଚାୟତିରାଜ ଓ ଲୋକ ସେବା ଦିବସର ଲକ୍ଷ୍ୟ,ଉଦ୍ଦେଶ୍ୟ,ପଞ୍ଚାୟତ ପ୍ରତିନିଧି ମାନଙ୍କର ଅଧିକାର ଓ ଦାୟିତ୍ୱ ସମ୍ପର୍କରେ ଆଲୋଚନା କରିଥିଲେ। ପରେ ବିଭିନ୍ନ ଯୋଜନା ସମ୍ପର୍କରେ ବିଭାଗୀୟ ଅଧିକାରୀ ମାନେ ସୂଚନା ଦେଇଥିଲେ।ଶେଷରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ସଫଳତା ପାଇଁ ବିଭିନ୍ନ ପଞ୍ଚାୟତ କୁ ପୁରସ୍କୃତ କରାଯାଇଥିଲା।ଶେଷରେ ଜିଲ୍ଲା ପଞ୍ଚାୟତ ଅଧିକାରୀ ବଳରାମ ପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।ଏଥିରେ ପଞ୍ଚାୟତ ଲୋକ ପ୍ରତିନିଧି, ବିଭାଗର ଅଧିକାରୀ, କର୍ମଚାରୀ ପ୍ରମୁଖ ଯୋଗ ଦେଇଥିଲେ।

Leave a Reply

Your email address will not be published. Required fields are marked *