ପ୍ରଥମ ଭାଗ ଚଉତିଶା

ପ୍ରଥମ ଭାଗ

  ଚଉତିଶା
               ମାଆ
   ( ଚଉତିଶା , କ ରୁ ଙ/ନ )
      ରାଗ — ଆଶାବରୀ

 🖊️କବିରତ୍ନ ନୂତନ କୁମାର ବେହେରା

କୋମଳ ହୃଦୟ ଯା’ର ମମତାରେ ଭରା
           କୋଳ ତା’ ଲାଗଇ ସରଗର ସମ ପରା,
କରୁଣା ଝରାଉଥାଏ ସେ ସଦା ଅସରା
   କଥା ତାର ସୁଧା ସେ ମା’ ନାମେ ବସୁନ୍ଧରା।୧।

ଖୁଆଏ ବୁକୁର କ୍ଷୀର ବଞ୍ଚାଏ ଜୀବନ
          ଖୋଲା ମନେ କରିଥାଏ ସବୁ କିଛି ଦାନ,
ଖେଳାଏ ବୁଲାଏ ହାତ ଧରି ବୁଝେ ମନ
        ଖଟେ ଦିବାନିଶି କରେ ନାହିଁ ଅଭିମାନ।୨।

ଗରବ ନ କରି ପାଳେ ତାର ପୁତ୍ର କନ୍ୟା
     ଗପ କହି ତା’ କୋଳରେ ଶୁଆଇ ସେ ଧନ୍ୟା,
ଗହନକୁ ସରଳ କରି ହୁଏ ଅନନ୍ୟା
ଗାଏ ତାର ଗୀତି ସଂସାରେ ସେ ମହାମାନ୍ୟା।୩।

ଘରକୁ କରେ ଦେଉଳ କରି ପୂଜା ବ୍ରତ
               ଘୁଞ୍ଚାଇ ଦୁଃଖ ବିପଦ କରୁଥାଏ ହିତ,
ଘୋଡ଼ାଇ ରଖି ମାନ ସର୍ବଦା କହେ ସତ
     ଘଟିଲେ ଅନର୍ଥ ଯୁଝେ ଧୈର୍ଯ୍ୟର ସହିତ।୪।

ନ କରି ସେ କୁଣ୍ଠା କିଛି ସେବା କରେ ନିତି
            ନରମ ସ୍ଵଭାବ ଦେଖାଏ ସଭିଙ୍କ ପ୍ରତି,
ନୟନେ ରଖି ସମଦୃଷ୍ଟି ଆଣେ ପ୍ରଗତି
    ନଈ ସମ ଏକ ଲକ୍ଷ୍ୟ ନେଇ କରେ ଗତି।୫।
                    ( କ୍ରମଶଃ…)

କୋହି,ବାରିପଦା,ମୟୂରଭଞ୍ଜ,

Leave a Reply

Your email address will not be published. Required fields are marked *