ପଠାଣି ସାମନ୍ତଙ୍କ ୧୮୯ତମ ଜୟନ୍ତୀ ପାଳିତ

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୂଲ୍ୟରେ ପୂଜ୍ୟପୂଜା ସମ୍ପାଦନ ଅଧିକାରୀ ଲକ୍ଷ୍ମୀଧର ବେହେରାଙ୍କ ସଂଯୋଜନାରେ ଓଡ଼ିଶାର ବିଶିଷ୍ଟ ଜ୍ୟୋତିର୍ବିଜ୍ଞାନୀ ମହାକାଶ ଗବେଷକ ଚନ୍ଦ୍ରଶେଖର ସିଂ ସାମନ୍ତ ହରିଚନ୍ଦନ ମହାପାତ୍ର (ପଠାଣି ସାମନ୍ତ)ଙ୍କ ୧୮୯ତମ ଜୟନ୍ତୀ ପାଳିତ ହୋଇଯାଇଛି । ଆଜି ପ୍ରତ୍ୟୁଷରେ ଭୁବନେଶ୍ୱରସ୍ଥିତ ପଠାଣିସାମନ୍ତ ପ୍ଲାନେଟୋରିୟମ୍ ପରିସରସ୍ଥ ତାଙ୍କ ପ୍ରତିମୂର୍ତ୍ତିସ୍ଥଳୀରେ ପୁଷ୍ପମାଲ୍ୟ ଅର୍ପଣପୂର୍ବକ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି।
ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରଫୁଲ୍ଲ ସାମଲ, ସମାଜସେବୀ ପ୍ରବୀର ମହାନ୍ତି, ଜୟ ଓଡ଼ିଶା ଅଧ୍ୟକ୍ଷ ରୁଦ୍ରନାରାୟଣ ସାମନ୍ତରାୟ, ଗିରିଜା ଶଙ୍କର ମହାପାତ୍ର, ପ୍ରାଧ୍ୟାପକ ଡ. ଗଙ୍ଗାଧର ସାହୁ, ଅଧ୍ୟାପକ ରମେଶ ଚନ୍ଦ୍ର ପାତାଳସିଂହ, ଅଶ୍ୱିନୀ ପଟ୍ଟନାୟକ, ବନଜା ବେହେରା, ସୁଜାତା ଜେନା, ସତ୍ୟବ୍ରତ ଜେନା, ଅମିତ ପାତାଳସିଂହ, ଡ. ଜୟଦେବ କର ପ୍ରମୁଖ ଯୋଗଦେଇ ପଠାଣି ସାମନ୍ତଙ୍କ ସ୍ମୃତିଚାରଣ କରିଥିଲେ ।
ବକ୍ତାମାନେ ନିଜ ବକ୍ତବ୍ୟରେ କହିଥିଲେ ଯେ ଖଣ୍ଡପଡ଼ା ଗଡ଼ଜାତର ରାଜବଂଶରେ ଜନ୍ମିତ ପଠାଣି ସାମନ୍ତ ପିଲାଦିନରୁ ଗ୍ରହନକ୍ଷତ୍ରର ସ୍ଥିତିକୁ ନିରୀକ୍ଷଣ କରି ସେମାନଙ୍କ ଗତିବିଧି ଉପରେ ଗବେଷଣା କରିଥିଲେ । ସେହି ଗବେଷଣାରୁ ଲବ୍ଧ ତଥ୍ୟ ଆଧାରରେ ଗବେଷଣାତ୍ମକ ପୁସ୍ତକ ‘ସିଦ୍ଧାନ୍ତ ଦର୍ପଣ’ ରଚନା କରିଥିଲେ । ‘ସିଦ୍ଧାନ୍ତ ଦର୍ପଣ’କୁ ଅନୁଶୀଳନ କରି ଆଜି ପର୍ଯ୍ୟନ୍ତ ପାଞ୍ଜିକାରମାନେ ପାଞ୍ଜି ପ୍ରସ୍ତୁତ କରିବା ସହ ଆଗାମୀ ଦିନରେ ମଧ୍ୟ ସିଦ୍ଧାନ୍ତ ଦର୍ପଣର
ବିନା ସହ ଯୋଗରେ ପାଞ୍ଜି ପ୍ରସ୍ତୁତ ହୋଇପାରିବ ନାହିଁ ବୋଲି ଅତିଥିମାନେ କହିଥିଲେ । କେବଳ ଜଣେ ଜ୍ୟୋତିର୍ବିଜ୍ଞାନୀ ନୁହେଁ, ଜଣେ ମହାକାଶ ବିଜ୍ଞାନୀ ଭାବରେ ତାଙ୍କର ସ୍ୱତନ୍ତ୍ର ପରିଚୟ ରହିଥିଲା । ବି୍ରଟିଶ ସରକାର ତାଙ୍କୁ ମହାମହୋପଧ୍ୟାୟ ଉପାଧିରେ ଭୂଷିତ କରିଥିଲେ । ସାରା ଜୀବନ ଦାରିଦ୍ର୍ୟର ତାଡ଼ନାରେ ଜର୍ଜରିତ ହୋଇ ମଧ୍ୟ ସେ ବିଶ୍ୱବାସୀଙ୍କୁ ବିଜ୍ଞାନର ଯେଉଁ ଆଲୋକ ପ୍ରଦାନ କରିଛନ୍ତି ସେଥିପାଇଁ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ।
