ପତି ସୁହାଗିନୀ

ପତି ସୁହାଗିନୀ
🖊️କବିରତ୍ନ ନୂତନ କୁମାର ବେହେରା
ସୁହାଗିନୀ ସେ ସୌଭାଗ୍ୟବତୀ ପତିବ୍ରତା
ଯା’ ମଥାରେ ସଦା ଝଟକୁଥାଏ ସୀମନ୍ତ ସିନ୍ଦୂର
ବଜ୍ର ହୋଇଥାଏ ହାତର ଦି ପଟ ଶଙ୍ଖା
ତା’ ହିଁ ନାରୀ ଜୀବନର ମର୍ଯ୍ୟାଦା ସ୍ଵାଭିମାନ
ସତୀ ସ୍ଵାଧୀ ବିବାହିତା ରମଣୀର ମହନୀୟତା
ଆଣିଦିଏ ତାର ନିଷ୍ଠା ବ୍ରତ ସାଧନାରେ
ପୁଣ୍ୟଫଳ ପାଇବାର ଅପୂର୍ବ ସାର୍ଥକତା
ସ୍ବୟଂ ସଂପୂର୍ଣ୍ଣା ଆଦି ମାତୃଶକ୍ତିର ସେ ପ୍ରତୀକ
ସ୍ନେହ ମମତା ପ୍ରଦାନେ ହୋଇଥାଏ ବିଶ୍ଵବନ୍ଦିତା
ପରିବାରରେ ହୋଇଥାଏ ସେ ସୁରକ୍ଷାର ବଳୟ
ସେବା ଯତ୍ନ ଗୁଣରେ ପବିତ୍ର ତା ହୃଦୟ
ସାରା ସଂସାରରେ ନାରୀର ଯିଏ ବି ହେଉ ଅରି
ହୋଇଥାଉ ସେ ଯେତେ ବଳଶାଳୀ ପରାକ୍ରମୀ
ଜୀବନ ଯୁଦ୍ଧରେ ସୁନିଶ୍ଚିତ ହୁଏ ତାର ପରାଜୟ
ନାରୀର ନାରୀତ୍ବ ଏକ ଲେଲୀହାନ ଅଗ୍ନିଶିଖା
କାହାକୁ କେବେ ସେ ଦିଏ ନାହିଁ କ୍ଷମା
କୀଟ ପତଙ୍ଗ ପ୍ରାୟେ ଜଳି ପାଉଁଶ ହୁଏ ତହିଁ
ନଷ୍ଟ ଚରିତ୍ରର ଇତର କାମାନ୍ଧ ପୁରୁଷ
ନାରୀର ଶଙ୍ଖା ସିନ୍ଦୂରର ଏ ଅପାର ମହିମା
ନିଜ ସତୀତ୍ଵ ବଳରେ ପତିବ୍ରତା ଦେବୀ ସାବିତ୍ରୀ
ଯମରାଜାଙ୍କଠାରୁ ଫେରାଇ ଆଣିଥିଲେ
ମୃତ୍ୟୁ ହୋଇଥିବା ସ୍ବାମୀ ସତ୍ୟବାନଙ୍କ ଜୀବନ
ଅପହୃତା ମାତା ସୀତାଙ୍କର ଅଶ୍ରୁ ଅନଳ
ଦୁରାଚାରୀ ଦୁର୍ମତି ଲଙ୍କାପତି ରାବଣର ହେଲା
ନିଧନର ଏକମାତ୍ର ବଳିଷ୍ଠ ମୁଖ୍ୟ କାରଣ
ମହାସତୀ ଅନସୂୟା ପତିବ୍ରତାର ମହନୀୟ ଗୁଣେ
ଜିଣି ଥିଲେ ତ୍ରିଦେବଙ୍କୁ ଅନାୟାସରେ
ଯୁଗେ ଯୁଗେ ନାରୀ ମମତାମୟୀ ବିଶ୍ବେ ପୂଜିତା
ମାନବେ ସଭକ୍ତିରେ ସମ୍ମାନ କରନ୍ତି ମାତୃଜାତିକୁ
ଯାଜ୍ଞସେନୀ ଦ୍ରୌପଦୀଙ୍କ କୋପାନ୍ନଳ ପ୍ରଭାବେ
ପାଣ୍ଡବଙ୍କ ମାତା କୁନ୍ତୀଙ୍କର ଆକ୍ରୋଶରେ
ଅଭିଶପ୍ତ ହୋଇ କୌରବମାନେ ହେଲେ ଧ୍ଵଂସ
ତାରା ମନ୍ଦୋଦରୀ ଅହଲ୍ୟା ଯେତେ ସତୀ
ନାରୀ ଜାତିର ରଖି ଯାଇଛନ୍ତି ମର୍ଯ୍ୟାଦା ଆଦର୍ଶ
ସିନ୍ଥୀର ଟୋପାଏ ସିନ୍ଦୂର ହାତର ଦି ପଟ ଶଙ୍ଖା
ଯୁଗେ ଯୁଗେ ହୋଇଥାଏ ତା’ର ସୁରକ୍ଷା କବଚ଼
ନାରୀଜାତି ପାଇଁ ନୁହେଁ ଏ ସାମାନ୍ୟବସ୍ତୁ
ଚିର ଅମ୍ଳାନ ଅକ୍ଷୁର୍ଣ୍ଣ ରଖିଥାଏ ତା’ ମହନୀୟତାକୁ
ସର୍ବ ଦେବାଦେବୀ ସର୍ବଦା କରନ୍ତି ତଥାସ୍ତୁ
ନାରୀ ସୃଷ୍ଟିର ଆଧାର କଲ୍ୟାଣକାରିଣୀ
ତା’ ହୃଦେ ଆଘାତ ଦେଇ କଲେ ଅସମ୍ମାନ
ମୁକୁଳି ଯାଇ ନିସ୍ତାର ପାଏନାହିଁ କେବେ କେହି
ଦୈବର ଅଶେଷ ଦଣ୍ଡ ଭୋଗେ ସେ ଜୀବନରେ
କାତରେ ବିକଳେ ଚିତ୍କାର କଲେ ମଧ୍ୟ ତ୍ରାହି ତ୍ରାହି
ନାରୀ ହାତର ଶଙ୍ଖା ମଥାର ସୀମାନ୍ତ ସିନ୍ଦୂର
ବଜ୍ର ପରି ହୋଇ ରହିଥାଏ ଅମୋଘ ବ୍ରହ୍ମଅସ୍ତ୍ର
ସେ ସବୁକୁ କରିଥାଏ ପ୍ରତିବାଦ ପ୍ରତିରୋଧ
ସହାୟତା କରେ ନାହିଁ ଜ୍ଞାନର କୌଣସି ଶାସ୍ତ୍ର।
କୋହି,ବାରିପଦା,ମୟୂରଭଞ୍ଜ,
ଦୂରଭାଷା — ୮୦୧୮୩୫୩୩୨୨