କୋଣାର୍କ ସୂର୍ଯ୍ୟମନ୍ଦିର ବାହାର ପରିସରରେ ଫୋଟୋଗ୍ରାଫି କରିବାକୁ ଏ.ଏସ.ଆଇ କୁ ଫୋଟୋଗ୍ରାଫରଙ୍କ ନିବେଦନ

କୋଣାର୍କ, ୨୨.୦୨ ବିଶ୍ୱ ଐତିହ୍ୟ ପର୍ଯ୍ୟଟନ ସ୍ଥଳୀ କୋଣାର୍କ ସୂର୍ଯ୍ୟ ମନ୍ଦିର ଭିତରେ ଦୀର୍ଘ ବର୍ଷ ଧରି ୩୦୦ ରୁ ଉର୍ଦ୍ଧ୍ବ ଫୋଟୋଗ୍ରାଫର ମାନେ ନିଜ ପରିବାର ପ୍ରତିପୋଷଣ ପାଇଁ ଫୋଟୋଗ୍ରାଫି କରି ଆସୁଥିଲେ। କିନ୍ତୁ ଭାରତୀୟ ପ୍ରତ୍ନତାତ୍ବିକ ସର୍ବେକ୍ଷଣ ସଂସ୍ଥା ପକ୍ଷରୁ ମାତ୍ର ୧୦ଜଣଙ୍କୁ ଫୋଟୋଗ୍ରାଫି କରିବାକୁ ସରକାରୀ ସ୍ଵୀକୃତି ପ୍ରଦାନ କରାଯାଇଥିଲା। ଯାହା ଫଳରେ ଫୋଟୋଗ୍ରାଫର ମାନଙ୍କ ମଧ୍ୟରେ ବିବାଦ ଉପୁଜିଥିଲା। ମାମଲା ଥାନାରୁ ହାଇ କୋର୍ଟ ପର୍ଯ୍ୟନ୍ତ ଯାଇଛି। ଏଏସଆଈ ନିର୍ଦ୍ଦେଶାବଳୀ ଅନୁଯାୟୀ ଉଚ୍ଚ ନ୍ୟାୟାଳୟ ୧୦ଜଣଙ୍କ ବ୍ୟତୀତ ଅନ୍ୟମାନଙ୍କୁ ମନ୍ଦିର ପରିସର ମଧ୍ୟରେ ଫୋଟୋ ଉଠାଇବାକୁ ବାରଣ କରିଥିଲା। ତେଣୁ ୩୦୦ ରୁ ଉର୍ଦ୍ଧ୍ବ ଫୋଟୋଗ୍ରାଫର ମନ୍ଦିର ବାହାର ପରିସର ମଧ୍ୟରେ ଫଟୋଗ୍ରାଫି କରି ନିଜର ବେଉସା ମେଣ୍ଟାଉଥିଲେ। ତାକୁ ମଧ୍ଯ ପ୍ରତ୍ନତତ୍ତ୍ଵ ସର୍ବେକ୍ଷଣ ସଂସ୍ଥା ଅଧିକାରୀ ବାରଣ କରିଥିଲେ। ଯାହା ଫଳରେ ଫୋଟୋଗ୍ରାଫି କରି ଚଳୁଥିବା ବ୍ୟକ୍ତି ତାଙ୍କ ପରିବାର ପୋଷଣ କରିବାକୁ ନାନା ପ୍ରକାର ସମସ୍ୟା ସୃଷ୍ଟି ହେଉଛି। ଏନେଇ ଶନିବାର ପୂର୍ବାହ୍ନରେ ଫୋଟୋଗ୍ରାଫରଙ୍କ ସମସ୍ୟାକୁ ହୃଦୟଙ୍ଗମ କରି ବିଜେପି ପୁର୍ବତନ ବିଧାୟକ ବାଇଧର ମଲ୍ଲିକ, କୋଣାର୍କ ମଣ୍ଡଳ ସଭାପତି ଗୋପୀନାଥ ସ୍ବାଇଁ, ବିଜେପି ସଂଗଠକ ରଶ୍ମି ରଞ୍ଜନ ବିଶ୍ଵାଳ ପ୍ରମୁଖ ଶତାଧିକ ଫୋଟୋଗ୍ରାଫରଙ୍କ ସହ କୋଣାର୍କ ଏଏସଆଈ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇଥିଲେ। ପରେ ପରେ ସୂର୍ଯ୍ୟ ମନ୍ଦିର ସଂରକ୍ଷଣ ସହାୟକ ଦେବେନ୍ଦ୍ର କୁମାରଙ୍କୁ ଭେଟି ସେମାନଙ୍କ ଦାବି ଉପସ୍ଥାପନ କରିଥିଲେ। ମନ୍ଦିର ଭିତର ପରିସର ଛାଡ଼ି ବାହାର ପରିସର ଭିତରେ ଫୋଟୋ ଉଠାଇବା ପାଇଁ ଅନୁମତି ଦେବାକୁ ଅନୁରୋଧ କରିଥିଲେ। ଯାହା ଫଳରେ ୩୦୦ରୁ ଉର୍ଦ୍ଧ୍ଵ ପରିବାର ପ୍ରତିପୋଷଣ ହୋଇପାରିବ। ଏନେଇ ସେ ଉଚ୍ଚ ପଦସ୍ଥ ଅଧିକାରୀ ମାନଙ୍କ ସହ ଆଲୋଚନା କରି ଆବଶ୍ୟକ ପଦକ୍ଷେପ ନେବେ ବୋଲି ସଂରକ୍ଷଣ ସହାୟକ କହିଥିଲେ। ଫୋଟୋଗ୍ରାଫରଙ୍କ ସହଯୋଗ କରି ରାଜ୍ୟ ଓ କେନ୍ଦ୍ରରେ ଡବଲ ଇଞ୍ଜିନ ସରକାର ତେଣୁ ନିଶ୍ଚୟ ଏହାର ତୁରନ୍ତ ସମାଧାନ ହେବ ବୋଲି ଆଶାବାଦୀ ଥିବା ନେଇ ବିଜେପି ନେତା ଓ କର୍ମକର୍ତ୍ତା ମାନେ ମତବ୍ୟକ୍ତ କରିଛନ୍ତି।
କୋଣାର୍କରୁ ଜ୍ଞାନ ରଞ୍ଜନ ବିଶ୍ଵାଳ ଙ୍କ ରିପୋର୍ଟ୍