ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ

ପୁରୀ-ଭୁବନେଶ୍ବର ରାସ୍ତା ମାଳତୀପାଟପୁର ନିକଟରେ ଭାରସାମ୍ୟ ହରାଇ ଓଲଟିଲା ପିକଅପ ଭ୍ୟାନ। ଏହି ଦୁର୍ଘଟଣାରେ ପ୍ରାୟ ୨୦ରୁ ଅଧିକ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି। ଆଜି ସକାଳୁ ଏହି ଶ୍ରମିକମାନେ ସତ୍ୟବାଦୀ ଓଡ଼ିଆ ବିଶ୍ୱବିଦ୍ୟାଳୟରେ କାମ କରିବା ପାଇଁ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ଗୁରୁତର ଆହତ ହୋଇଥିବା ଶ୍ରମିକ ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଲୋକେ ଓ ସଦର ଥାନା ପୋଲିସ ଉଦ୍ଧାର କରି ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି। ଦୃତ ବେଗରେ ଥିବା ପିକଅପ୍ ଭ୍ୟାନ୍ ଟି ହଠାତ୍ ମଝି ରାସ୍ତାରେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା କହିଛନ୍ତି ଗୁରୁତର ଆହତ ହୋଇଥିବା ବ୍ୟକ୍ତି। ତେବେ ଦୁର୍ଘଟଣା ପରେ ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି।ଆହତ ଶ୍ରମିକମାନେ ଗଞ୍ଜାମ ଓ ନୟାଗଡ ଜିଲ୍ଲାର ବୋଲି ଜଣାପଡ଼ିଛି। ସେମାନଙ୍କ ମୁଣ୍ଡ, ଗୋଡ, ହାତ ଓ ମୁହଁରେ ଗଭୀର କ୍ଷତ ସୃଷ୍ଟି ହୋଇଛି।ଗୁରୁତର ଶ୍ରମିକ ମଧ୍ୟରୁ ଜଣଙ୍କୁ କଟକ ସ୍ଥାନାନ୍ତରିତ କରାଯାଇଛି।