ସାକ୍ଷୀଗୋପାଳ ମନ୍ଦିର ନିକଟରେ ଜଳିଗଲା ତୀର୍ଥଯାତ୍ରୀ ଵସ, ଯାତ୍ରୀ ସୁରକ୍ଷିତ

ସାକ୍ଷୀଗୋପାଳ, ୯। ୧,(ନି. ପ୍ର ) ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିର ପଛପାର୍ଶ୍ବରେ ପାର୍କିଙ୍ଗ କରିଥିବା ଏକ ତୀର୍ଥଯାତ୍ରୀ ଵସରେ ସୋମବାର ମଧ୍ୟାହ୍ନ ରେ ଆକଷ୍ମିକ ଅଗ୍ନିକାଣ୍ଡ ଘଟି ଵସଟି ସମ୍ପୁର୍ଣ୍ଣ ଜଳିଯାଇଛି। ଯାତ୍ରୀମାନେ ସ୍ନାନଶୌଚ ଓ ମନ୍ଦିର ବୁଲିବାକୁ ଯାଇଥିଵା ସମୟରେ ଅଘଟଣ ଘଟିଥିଵାରୁ ଯାତ୍ରୀମାନେ ସୁରକ୍ଷିତ ରହିଛନ୍ତି। ମାତ୍ର ସେମାନେ ସାଙ୍ଗରେ ଆଣିଥିବା ଆସଵାପତ୍ର ଟଙ୍କା, ଆଧାର କାର୍ଡ, ଏଟିଏମକାର୍ଡ଼ ଆଦି କିଛି ଦରକାରୀ କାଗଜପତ୍ର ଜଳିଯାଇଛି।


ସୂଚନାଯୋଗ୍ୟ କି, ମଧ୍ୟପ୍ରଦେଶ ଗୋଆଲିୟର ଅଞ୍ଚଳର ଭେଣ୍ଟଜିଲ୍ଲାରୁ ତିନୋଟି ଵସରେ ତୀର୍ଥଯାତ୍ରୀ ମାନେ ଗଙ୍ଗାସାଗର ଓ ଚାରିଧାମ ଯାତ୍ରାରେ ଵାହାରିଥିଲେ। ସେମାନେ ସୋମବାର ସକାଳୁ ସକାଳୁ ସାକ୍ଷୀଗୋପାଳ ମନ୍ଦିର ନିକଟରେ ପହଞ୍ଚି ଠାକୁରଙ୍କ ଦର୍ଶନ କରିଥିଲେ। ପରେପରେ ଏଠାରୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ନିମନ୍ତେ ପୁରୀ ଯାଇଥିଲେ ମଧ୍ୟ ଵସଟି ମନ୍ଦିର ପଶ୍ଚିମ ଦ୍ବାର ସତ୍ୟଵାଦୀ ଉଚ୍ଚ ବିଦ୍ୟାଳୟ ସମ୍ମୁଖରେ ପାର୍କିଙ୍ଗ କରିଥିଲେ। ସେମାନେ ପୁରୀରୁ ଫେରିବାପରେ ରାମେଶ୍ବର ତୀର୍ଥ ଭ୍ରମଣ କରିବାକୁ ଯିବା ପାଇଁ ଲକ୍ଷ୍ୟ ରଖିଥିଲେ। ହେଲେ ଵସଟି ନିଆଁଲାଗି ଜଳିଯାଇଥିବାରୁ ସେମାନେ ସାକ୍ଷୀଗୋପାଳ ରେ ଅଟକି ରହିଛନ୍ତି। ଅଳ୍ପ କିଛି ଯାତ୍ରୀ ଓ ଵସ କର୍ମଚାରୀ ଵସ ପଛପଟୁ ଧୁଆଁ ଵାହାରିଵା ଦେଖିବାମାତ୍ରେ ପାଣିପକାଇ ନିଆଁ ଲିଭାଇଵାକୁ ଉଦ୍ୟମ କରିଥିଲେ। ମାତ୍ର ବସର ସିଟ ଓ ଅନ୍ୟ ପ୍ଲାଷ୍ଟିକ ଜିନିଷପତ୍ର ନିଆଁଲାଗି ଜଳିବା ସହିତ ପ୍ରଵଳ ଧୁଆଁ ଵାହାରିଥିଲା। ଖବରପାଇ ସାକ୍ଷୀଗୋପାଳ ଦମକଳ କେନ୍ଦ୍ର କର୍ମଚାରୀ ପହଞ୍ଚି ନିଆଁ ଲିଭାଇଥିଲେ। ଭାଜପା ରାଷ୍ଟ୍ରୀୟ ପ୍ରବକ୍ତା ଡ଼ଃ ସମ୍ବିତ ପାତ୍ର, ଓମପ୍ରକାଶ ମିଶ୍ର, ସତ୍ୟଵାଦୀ ଵିଧାୟକ ଉମାକାନ୍ତ ସାମନ୍ତରାୟ, ପଞ୍ଚାୟତ ସମିତି ଅଧ୍ୟକ୍ଷ ସୁନିଲ ପଣ୍ଡା, ବିଡ଼ିଓ ଲୋଚନ ଦାସ, ତହସିଲଦାର ଜୟନ୍ତ ଜୟସିଂ, ଅତିରିକ୍ତ ତହସିଲଦାର ସନ୍ତୋଷ ପାଣିଗ୍ରାହୀ, ଆଇଆଇସି ଵିଜୟ କେତନ ବେହେରା, ସ୍ଥାନୀୟ ସରପଞ୍ଚ ସମିତିସଭ୍ୟ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ତୀର୍ଥଯାତ୍ରୀ ମାନଙ୍କୁ ସହଯୋଗ ପାଇଁ ଆଲୋଚନା କରିଥିଲେ। ପ୍ରଶାସନ ପକ୍ଷରୁ ମନ୍ଦିର ପାନ୍ଥଶାଳାରେ ୪୪ ଜଣ ତୀର୍ଥଯାତ୍ରୀ ଙ୍କୁ ରହିବା ଓ ଖାଦ୍ୟ ପେୟ ଵ୍ୟଵସ୍ଥା କରାଯାଇଛି। ସ୍ଥାନୀୟ ସ୍ବେଚ୍ଛାସେବୀ ସଂଗଠନ ପକ୍ଷରୁ ଯାତ୍ରୀମାନଙ୍କୁ କମ୍ବଳ ଶାଢ଼ୀ ଗାମୁଛା ଦିଆଯାଇଛି। ଏବେ ସାକ୍ଷୀଗୋପାଳ ମନ୍ଦିର ରେ ଗଙ୍ଗାସାଗର ଯାତ୍ରୀ ମାନଙ୍କର ଭିଡଲାଗିଛି। ପ୍ରତ୍ୟହ ଶହଶହ ସଂଖ୍ୟାରେ ତୀର୍ଥଯାତ୍ରୀ ବସ୍ ଆସୁଛି। ଯାତ୍ରୀମାନଙ୍କ ପାଇଁ ମୌଳିକ ସୁବିଧା ଅଭାବ ରହିଥିବାରୁ ସେମାନେ ହଟହଟା ହେଉଥିବା ଅଭିଯୋଗ ହୋଇଛି।

Leave a Reply

Your email address will not be published. Required fields are marked *