ସର୍ବ ଧର୍ମ ସମନ୍ୱୟର ପୀଠ ପିରଜାହାନିଆ

ମନୁଷ୍ୟର କର୍ମକ୍ରାନ୍ତମୟ ଜୀବନକୁ ଟିକେ ସରସ ସୁନ୍ଦର ତଥା କର୍ମମୁଖର କରିବାପାଇଁ ପ୍ରକୃତି ସାଇତି ରଖିଛି ତାର ବୁକୂରେ ଅନେକ ସୌନ୍ଦର୍ଯ୍ୟର ଗନ୍ତାଘର। ଯାହାକୁ ଅବଲୋକନ କଲେ ମନ ଇନ୍ଦ୍ରିୟ ଆନନ୍ଦରେ ଭରିଯାଏ । କର୍ମାକ୍ରାନ୍ତ ଜୀବନ ହୋଇଉଠେ କର୍ମମୁଖର । ସେଇ କର୍ମମୟ ଜୀବନରୁ ଟିକେ ଅବ୍ୟାହତ ନେଇ ମନୁଷ୍ୟ ହଜିଯିବାକୁ ଚାହେଁ ପ୍ରକୃତିର ସେହି ସୁନ୍ଦର କୋଳରେ କିଛି ସମୟ , ଆଉକିଛି ମୁହୂର୍ତ୍ତ ପାଇଁ ଯାହାର ସାନିଧ୍ୟ ଲାଭ କଲେ,ମନୁଷ୍ୟ ମନରେ ବଞ୍ଚିବାର ନିଶା ଦ୍ଵିଗୁଣିତ ହୋଇଯାଏ । ସେହିପରି ପ୍ରାକୃତିକ ସୌନ୍ଦର୍ଯ୍ୟର ଅପୂର୍ବ ସମ୍ଭାରର ସ୍ଥାନ ଅସ୍ତରଙ୍ଗ ସ୍ଥିତ ପିର ଜାହାନିଆ ।

ଏହି ପିର ଜାହନିଆ ପୀଠ ହେଇଚି, ସର୍ବଧର୍ମ ସମନ୍ୱୟର ସ୍ଥାନ । ପ୍ରକୃତିର ସୁନ୍ଦର ସବୁଜ ବନାନୀ ମଧ୍ୟରେ ନୀଳ ତରଙ୍ଗାୟିତ ନୀଳ ସାଗର। ଏହି ନୀଳ ସାଗରର କୂଳରେ ଥିବା , ବାଲିବନ୍ତ ଏଵଂ ବିସ୍ତୃତ ଝାଉଁବଣ ଦେଖିଲେ ସତେ ଯେମିତି ଲାଗେ କେଉଁ ସ୍ୱର୍ଗରାଇଜର ଅପୂର୍ବ ସୌନ୍ଦର୍ଯ୍ୟର ସ୍ଥାନ, ମନ ହଜିଯାଏ କେଉଁ ଏକ ସ୍ୱପ୍ନର ରାଇଜରେ । ପବନର ମୃଦୁମନ୍ଦ ଗତିର ତାଳେ ତାଳେ ଶୁଭେ ପିର ଜାହାନିଆଙ୍କ “ଅଲ୍ହ| ହୋ ଆକବର ” ଶବ୍ଦ । ଏହିଶବ୍ଦ ସତେ ଯେପରି ହିନ୍ଦୁ ମୁସଲିମ ସମସ୍ତଙ୍କୁ ବlନ୍ଧିରଖେ ସ୍ନେହ,ପ୍ରେମ ଓ ବନ୍ଧନର ଡୋରୀରେ । ଅନେକ ମାନସ୍କାମନା ନେଇ କାହିଁକେତେ ଦୂରରୁ ହିନ୍ଦୁ ମୁସଲିମ ଭାଇ ଭଉଣୀ ମାନେ ଛୁଟି ଆସନ୍ତି ଏହି ପିର ଜାହାନିଆ ପୀଠକୁ । ମନସ୍କାମନା ପୂର୍ଣ୍ଣ ହୋଇଗଲେ ଚାଲି ଆସନ୍ତି ପିରଙ୍କ ନିକଟରେ ଭୋଗ କରିବାକୁ । ପିରଜହାନିଆ ରେ ମନସ୍କାମନା କେବେ ବୃଥା ହୁଏ ନାହିଁ ବୋଲି ଲୋକମାନେ ମତବ୍ୟକ୍ତ କରନ୍ତି । ଏଠି ହିନ୍ଦୁ,ମୁସଲିମ ସମସ୍ତେ ଆସନ୍ତି ପୂଜାର୍ଚ୍ଚନା କରିବା ପାଇଁ । କାହାରି ମନରେ ନଥାଏ ଆବିଳତା , ଥାଏ ପରସ୍ପର ପ୍ରତି ସ୍ନେହ,ପ୍ରେମ ଓ ଭଲପାଇବା । ପ୍ରକୃତିର ପ୍ରାକୃତିକ ଝାଉଁ ବନାନୀ ମଧ୍ୟରେ ସ୍ଥାନେ ସ୍ଥାନେ ପାନୀୟ ଜଳ ଏବଂ ମଣ୍ଡପର ବ୍ୟବସ୍ଥା ରହିଛି । ଯାହାପାଇଁ ପ୍ରକୃତି ପ୍ରେମୀ ମାନେ ଏଠିକୁ ଛୁଟି ଆସନ୍ତି ବଣଭୋଜି କରିବା ପାଇଁ । ଏଠାରେ ସମସ୍ଥ ରୋଷେଇ ସାମଗ୍ରୀର ବନ୍ଦୋବସ୍ତ ରହିଥାଏ । ବଣଭୋଜିର ଭରପୁର ମଜା ନେଇ, ଲୋକମାନେ ଆନନ୍ଦିତ ହୁଅନ୍ତି । ସମୁଦ୍ରରେ ଗାଧୋଇବାରେ ମଜା ତ ନିଆରା । ବେଳେ ବେଳେ ଦର୍ଶକ ମାନେ ନିଶାସକ୍ତ ହୋଇ ସମୁଦ୍ର ରେ ଗାଧୋଇବା ବେଳେ ମୃତ୍ୟୁକୁ ଆପଣେଇ ନିଅନ୍ତି । ଏଠାରେ ସୂର୍ଯ୍ୟଙ୍କ ଉଦୟ ଅତ୍ୟନ୍ତ ମନୋରମ । କୁହାଯାଏ ଅତୀତରେ ଅହି ଅଞ୍ଚଳର ସାଧବ ପୁଅମାନେ ବୋଇତରେ ଦୁରଦେଶକୁ ବେପାର ବଣିଜ କରିବା ପାଇଁ ଯାଉଥିଲେ । କାର୍ତ୍ତିକ ପୂର୍ଣ୍ଣିମା ଦିନ ଆମ ଦେଶର ଆମଦାନୀ ଜିନିଷସବୁ ଦୂରଦେଶକୁ ନେଇଯାଉଥିଲେ । ଅନ୍ୟଦେଶର ଧନରତ୍ନ ଆମ ଦେଶକୁ ବୋହି ଆଣୁଥିଲେ । ସେହି ପୁରୁଣା ସ୍ମୃତିକୁ ସାଉଁଟିବା ପାଇଁ ପିରଜାହାନିଆ ପୀଠ ରେ ପ୍ରତିବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଦିନ ବୋଇତ ବନ୍ଦାଣ ପର୍ବ ଅନୁଷ୍ଠିତ ହୋଇଥାଏ । ଏହି ପର୍ବ କୁ ଦେଖିବା ପାଇଁ କାହିଁକେତେ ଦୂର ଦୁରାନ୍ତରୁ ହିନ୍ଦୁ ଓ ମୁସଲିମ ଭାଇ ,ଭଉଣୀ ମାନେ ଆସି ଏଠାରେଏକତ୍ରିତ ହୁଅନ୍ତି । ତିନିଦିନ ଧରି ଏହି ପର୍ବ ପାଳିତ ହୋଇଥାଏ , ବୋଇତ ବନ୍ଦାଣର ପର୍ବ ମଧ୍ୟ ଏଠାରେ ଅନୁଷ୍ଠିତ ହୁଏ | ଭଳି କି ଭଳି ଦୋକାନ ବଜାରରେ ଏହି ସ୍ଥାନ କର୍ମ ମୁଖର ହୋଇଉଠେ | ଏହି ପର୍ବର ଭରପୁର ମଜା ସ୍ଥାନୀୟ ଲୋକେ ନେଇ ଥାଆନ୍ତି । ଏଠାକାର ଅଧିବାସୀ ମାନଙ୍କର ଜୀବନଶୈଳୀ ହେଉଛି ସରଳ ଓ ନିରାଡମ୍ୱର । ଏମାନଙ୍କ ବୃତ୍ତି ମାଛଧରିବା ସହ ଅନ୍ୟାନ୍ୟ ବେପାର ମଧ୍ୟ ହୋଇଥାଏ । ଦିନେ ଏହି ସ୍ଥାନ ମାଛ ଓ ଶୁଖୁଆର ପେଣ୍ଠ ସ୍ଥଳୀ ଥିଲା । ଏହିଯାଗାରୁ ମାଛ , ଶୁଖୁଆ ଦୁରସ୍ଥାନକୁ ରପ୍ତାନୀ ହେଉଥିଲା । ଏଠାକାର ଲୋକେ ବାହାରୁ ଆସୁଥିବା ଲୋକମାନଙ୍କୁ ବହୁତ ସାହାଯ୍ୟ ସହଯୋଗ କରିଥାନ୍ତି । ଏମାନଙ୍କ ଜୀବନଶୈଳୀ ଖୁବ୍ ସୁନ୍ଦର ଓ ସରଳ ହୋଇଥାଏ । ଏହି ପବିତ୍ର ସ୍ଥାନର ସ୍ଥିତି ପୁରୀଜିଲ୍ଲା ନିକଟସ୍ଥ ଅସ୍ତରଙ୍ଗ ବ୍ଲକ୍ ରେ । ଏହି ସ୍ଥାନକୁ ଯିବାକୁ ହେଲେ ମା ମଙ୍ଗଳା ଙ୍କ ପୀଠ କାକଟପୁର ଠାରୁ ଯିବାକୁ ହୁଏ । କାକଟପୁର ଠାରୁ ଏହି ସ୍ଥାନ ୧୨କିମି ଦୂରରେ ଅଟେ । ଆଜିକାଲି ଏଠାକୁ ଯିବାପାଇଁ ସମସ୍ତ ଯାନବାହାନର ସୁବିଧା ରହିଛି ।

ଆପଣମାନେ କେବେ ଥରେ ଏହି ସ୍ଥାନକୁ ବୁଲିବାକୁ ଆସନ୍ତୁ ନା ଏହି ପବିତ୍ର ପୀଠକୁ ମନର ମାନସିକ ନେଇ ଆସନ୍ତୁ ଆଉ ମନଭରି ଉପଭୋଗ କରନ୍ତୁ ଏହି ପବିତ୍ର ପୀଠର ଅପରୂପ ପ୍ରାକୃତିକ ସୌନ୍ଦର୍ଯ୍ୟ।


ବିଷ୍ଣୁପ୍ରିୟା ମହାପାତ୍ର (ଶିକ୍ଷୟିତ୍ରୀ )

ଦହିଖିଆ,କାକଟପୁର,ପୁରୀ

Leave a Reply

Your email address will not be published. Required fields are marked *