ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନରେ ସମ୍ମାନିତ

ଫ୍ରାନ୍ସର ରାଷ୍ଟ୍ରପତି ଇମାନୁଏଲ୍ ମାକ୍ରନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଫ୍ରାନ୍ସର ସର୍ବୋଚ୍ଚ ନାଗରିକ ସମ୍ମାନ ‘ଗ୍ରାଣ୍ଡ୍ କ୍ରସ୍ ଅଫ୍ ଦ ଲେଜିଅନ୍ ଅଫ୍ ଅନର୍’ ରେ ସମ୍ମାନିତ କରିଛନ୍ତି। ଏହି ସମ୍ମାନ ପାଇବାରେ ନରେନ୍ଦ୍ର ମୋଦୀ ହେଉଛନ୍ତି ପ୍ରଥମ ଭାରତୀୟ ପ୍ରଧାନମନ୍ତ୍ରୀ। ପ୍ରଧାନମନ୍ତ୍ରୀ ମୋଦୀଙ୍କ ପୂର୍ବରୁ ବିଶ୍ୱର ଅନେକ ନେତା ଏହି ସମ୍ମାନରେ ସମ୍ମାନିତ ହୋଇଛନ୍ତି। ଦକ୍ଷିଣ ଆଫ୍ରିକାର ପୂର୍ବତନ ରାଷ୍ଟ୍ରପତି ନେଲସନ ମଣ୍ଡେଲା, ତତ୍କାଳୀନ ପ୍ରିନ୍ସ ଅଫ୍ ୱେଲ୍ସ, କିଙ୍ଗ ଚାର୍ଲ୍ସ, ଜର୍ମାନୀର ପୂର୍ବତନ କୂଳପତି ଏଞ୍ଜେଲା ମର୍କେଲ, ମିଳିତ ଜାତିସଂଘର ପୂର୍ବତନ ସେକ୍ରେଟେରୀ ଅନେକ ବ୍ୟକ୍ତି ସାମିଲ ଅଛନ୍ତି।
ଦୁଇ ଦିନିଆ ଫ୍ରାନ୍ସ ଗସ୍ତରେ ଯାଇଥିବା ପ୍ରଧାନମନ୍ତ୍ରୀଙ୍କୁ ପ୍ୟାରିସରେ ଗାର୍ଡ ଅଫ୍ ଅନର ସହ ଭବ୍ୟ ସ୍ୱାଗତ କରାଯାଇଥିଲା। ସେଠାରେ କେତେକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା। ଏହା ପରେ ପ୍ରଧାନମନ୍ତ୍ରୀ ମୋଦୀ ପ୍ୟାରିସରେ ଭାରତୀୟ ସମ୍ପ୍ରଦାୟକୁ ସମ୍ବୋଧିତ କରିଥିଲେ। ଏହି ସମୟରେ ପ୍ରଧାନମନ୍ତ୍ରୀ ୟୁପିଆଇ, ଚନ୍ଦ୍ରଯାନ-୩ ଭଳି ପ୍ରସଙ୍ଗ ଉଲ୍ଲେଖ କରିଥିଲେ।
ଆଜି ପ୍ରଧାନମନ୍ତ୍ରୀ ମୋଦୀ ମୁଖ୍ୟ ଅତିଥି ଭାବରେ ପ୍ୟାରିସରେ ବଷ୍ଟିଲ୍ ଡେ ପରେଡରେ ଯୋଗଦେବେ। ଭାରତର ତିନୋଟି ସୈନ୍ୟ ଦଳ ମଧ୍ୟ ଏହି ପ୍ୟାରେଡରେ ଅଂଶଗ୍ରହଣ କରୁଛନ୍ତି। ଏହା ପରେ ରାଷ୍ଟ୍ରପତି ମାକ୍ରୋନଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା ବେଳେ ଆଜି ଅନେକ ପ୍ରତିରକ୍ଷା ଚୁକ୍ତିରେ ମୋହର ଲାଗିବାର ସମ୍ଭାବନା ରହିଛି । ଶନିବାର ଦିନ ପ୍ରଧାନମନ୍ତ୍ରୀ ମୋଦୀ ଆବୁଧାବି ଗସ୍ତ କରିବେ।