ପିଏମ୍‌କେଏସ୍‌ୱାଇ-ପିଡିଏମ୍‌ସିର ହିତାଧିକାରୀ ଚାଷୀଙ୍କୁ ଡିବିଟି ମାଧ୍ୟମରେ ରିହାତି ପ୍ରଦାନ କରାଯିବ

କୃଷି ଓ କୃଷକ ସଶକ୍ତିକରଣ ବିଭାଗରେ କାର୍ଯ୍ୟକାରୀ ହେଉଥିବା ଯୋଜନାଗୁଡ଼ିକର କ୍ରିୟାନ୍ୱୟନରେ ଅଧିକ ତତ୍ପରତା ଆଣିବା ଓ ସଂପୂର୍ଣ୍ଣ ସ୍ୱଚ୍ଛତା ରକ୍ଷା ଦିଗରେ ରାଜ୍ୟ ସରକାରଙ୍କ ୫-‘ଟି’ ଉପକ୍ରମର ଅନୁପାଳନପୂର୍ବକ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନାର ବୁନ୍ଦା ଜଳସେଚନ ପ୍ରକଳ୍ପର ରିହାତି ରାଶି କମ୍ପାନୀ ବଦଳରେ ହିତାଧିକାରୀ ଚାଷୀଙ୍କୁ ଡିବିଟି ମାଧ୍ୟମରେ ସିଧାସଳଖ ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି । କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ଶାସନ ସଚିବ ଡ. ଅରବିନ୍ଦ କୁମାର ପାଢ଼ୀଙ୍କ ନିର୍ଦ୍ଦେଶକ୍ରମେ ଉଦ୍ୟାନ କୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଏ ଦିଗରେ ଆବଶ୍ୟକ ପଦକ୍ଷେପ ନିଆଯାଇ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଇଛି । ପୂର୍ବରୁ ରିହାତି ରାଶି ବୁନ୍ଦା ଜଳସେଚନ ଉପକରଣ ନିର୍ମାତା କମ୍ପାନୀକୁ ପ୍ରକଳ୍ପ ବାବଦରେ ଦିଆଯାଉଥିଲା । ଏଥି ସହିତ ବୁନ୍ଦା ଜଳସେଚନ ଉପକରଣ ନିର୍ମାତା କମ୍ପାନୀଗୁଡ଼ିକୁ ଉପକରଣ ଯୋଗାଣ ନିମନ୍ତେ ୫୦ ଲକ୍ଷ ଟଙ୍କାର ଅମାନତ ରାଶି ଜମା ରଖିବେ । ଖିଲାପୀ ଉପକରଣ ନିର୍ମାତାଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପ୍ରମୁଖ ଶାସନ ସଚିବ ଡ. ପାଢ଼ୀ କହିଛନ୍ତି ।
ଏଣିକି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ କୃଷି ସିଂଚାଇ ଯୋଜନା-ପ୍ରତିବୁନ୍ଦା ଅଧିକ ଫସଲ (ପିଏମ୍‌କେଏସ୍‌ୱାଇ-ପିଡିଏମ୍‌ସି) ବୁନ୍ଦା ଜଳସେଚନ ଯୋଜନାରେ େୱବ୍‌ ଆଧାରିତ ପଂଜୀକରଣ ପ୍ରକ୍ରିୟା ମାଧ୍ୟମରେ ହିତାଧିକାରୀ ଚାଷୀଙ୍କୁ ସେମାନଙ୍କ ଆଧାର ସଂଯୋଗ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ଡିବିଟି ମାଧ୍ୟମରେ ରିହାତି ପ୍ରଦାନ କରାଯିବ । ପିଏମ୍‌କେଏସ୍‌ୱାଇ-ପିଡିଏମ୍‌ସି (ଏମ୍‌ଆଇ) ଯୋଜନା ଅନ୍ତର୍ଗତ ୨୦୨୩-୨୪ ବର୍ଷର ବାର୍ଷିକ କାର୍ଯ୍ୟଖସଡ଼ାର କାର୍ଯ୍ୟାନ୍ୱୟନରେ ଅଣୁ ଜଳସେଚନ ଉପକରଣ ସ୍ଥାପନ ନିମନ୍ତେ ମିଳୁଥିବା ରିହାତି ରାଶିକୁ ହିତାଧିକାରୀ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ହସ୍ତାନ୍ତର କରାଯିବ ।
ଉଦ୍ୟାନକୃଷି ନିର୍ଦ୍ଦେଶାଳୟ ପକ୍ଷରୁ ଡିବିଟି ମାଧ୍ୟମରେ ରିହାତି ପ୍ରଦାନ ପ୍ରକ୍ରିୟାର ମାର୍ଗଦର୍ଶିକା ସଂପର୍କରେ ଅଣୁ ଜଳସେଚନ ଉପକରଣ ନିର୍ମାତାମାନଙ୍କୁ ଅବଗତ କରାଯାଇଛି । ମାର୍ଗଦର୍ଶିକା ଅନୁଯାୟୀ ପିଏମ୍‌କେଏସ୍‌ୱାଇ-ପିଡିଏମ୍‌ସି ଯୋଜନାରେ ଅଣୁଜଳସେଚନ ଉପକରଣ ସ୍ଥାପନ ପାଇଁ ଆର୍ଥିକ ରିହାତି ପାଇବାକୁ ଇଚ୍ଛୁକ ହିତାଧିକାରୀ ଚାଷୀମାନଙ୍କୁ ଗୋ-ସୁଗମ ପୋର୍ଟାଲରେ ସମସ୍ତ ତଥ୍ୟ ଓ ଦସ୍ତାବିଜ ପ୍ରଦାନ କରି ପଂଜୀକରଣ କରିବାକୁ ପଡ଼ିବ । ପଂଜିକୃତ ହେବା ପରେ ହିତାଧିକାରୀ ଚାଷୀ ପୋର୍ଟାଲରେ ସୂଚିତ ଉପକରଣ ନିର୍ମାତାମାନଙ୍କ ମଧ୍ୟରୁ ନିଜ ପସନ୍ଦର ଉପକରଣ ନିର୍ମାତାଙ୍କୁ ଚୟନ କରିବେ । ଉପକରଣ ନିର୍ମାତା ବିଓକୁ୍ୟ ଉତ୍ପନ କରିବା ପରେ ସହକାରୀ ଉଦ୍ୟାନ କୃଷି ଅଧିକାରୀ/ସହକାରୀ କୃଷି ଯନ୍ତ୍ରୀ ହିତାଧିକାରୀଙ୍କ କ୍ଷେତ ପରିଦର୍ଶନ କରି ଯାଞ୍ଚ ରିପୋର୍ଟ ସହିତ ପ୍ରକଳ୍ପର ଫିଜିବିଲିଟି ରିପୋର୍ଟ ସଂପୃକ୍ତ ଜିଲ୍ଲାର ଉଦ୍ୟାନକୃଷି ଉପନିର୍ଦ୍ଦେଶକ କିମ୍ବା ଉଦ୍ୟାନକୃଷିର ସହକାରୀ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିବେ । ତତ୍‌ପରେ ଉଦ୍ୟାନକୃଷି ଉପନିର୍ଦ୍ଦେଶକ/ ଉଦ୍ୟାନକୃଷି ସହକାରୀ ନିର୍ଦ୍ଦେଶକ ନିର୍ମାତାଙ୍କୁ ପ୍ରକଳ୍ପ କାର୍ଯ୍ୟକାରୀ କରିବା ପାଇଁ କାର୍ଯ୍ୟାଦେଶ ପ୍ରଦାନ କରିବେ । ଉପକରଣ ନିର୍ମାତା ପ୍ରକଳ୍ପ ସ୍ଥାପନ କରିସାରିବା ପରେ ଏକ ବିଲ୍‌/ଇନ୍‌ଭଏସ୍‌ ଏବଂ କାର୍ଯ୍ୟ ସମାପନ ରିପୋର୍ଟ ପୋର୍ଟାଲରେ ଅପ୍‌ଲୋଡ୍‌ କରି ସଂପୃକ୍ତ ବ୍ଲକ୍‌ର ସହକାରୀ ଉଦ୍ୟାନକୃଷି ଅଧିକାରୀ କିମ୍ବା ସହକାରୀ କୃଷି ଯନ୍ତ୍ରୀଙ୍କୁୁ ପରବର୍ତ୍ତୀ ଯାଞ୍ଚ ପାଇଁ ସୂଚୀତ କରିବା ସହିତ ହିତାଧିକାରୀଙ୍କୁ ଅବଗତ କରିବେ । ସହକାରୀ ଉଦ୍ୟାନକୃଷି ଅଧିକାରୀ କିମ୍ବା ସହକାରୀ କୃଷି ଯନ୍ତ୍ରୀ ଆର୍ଥିକ ପ୍ରକ୍ରିୟା ଅପ୍‌ଲୋଡ୍‌ କରି ହିତାଧିକାରୀ ଚାଷୀଙ୍କୁ ଆର୍ଥିକ ରିହାତି ପ୍ରଦାନ ନିମନ୍ତେ ଉଦ୍ୟାନ କୃଷି ଉପନିର୍ଦ୍ଦେଶକ କିମ୍ବା ସହକାରୀ ନିର୍ଦ୍ଦେଶକଙ୍କ ନିକଟକୁ ପ୍ରେରଣ କରିବେ । ଉଦ୍ୟାନକୃଷି ଉପନିର୍ଦ୍ଦେଶକଙ୍କ ଦ୍ୱାରା ଆର୍ଥିକ ପ୍ରକ୍ରିୟାର ଯାଞ୍ଚ ଏବଂ ଆବଶ୍ୟକ ହେଲେ କ୍ଷେତ୍ର ପରିଦର୍ଶନ ପରେ ବିଲ୍‌ର ମଂଜୁରୀ ପ୍ରଦାନ କରି ହିତାଧିକାରୀ ଚାଷୀଙ୍କ ଆଧାର ସଂଯୋଗ ହୋଇଥିବା ବ୍ୟାଙ୍କ ଆକାଉଣ୍ଟକୁ ରିହାତି ରାଶି ପ୍ରଦାନ କରିବେ ।

Leave a Reply

Your email address will not be published. Required fields are marked *