ସମାଜ ପାଠକ ବିଚାର ମଞ୍ଚ ପକ୍ଷରୁ କବିତା ପାଠ

କାମାକ୍ଷାନଗର ସମାଜ ପାଠକ ବିଚାର ମଞ୍ଚ, କଳ୍ପନା କ୍ଲବ ଓ ଉପଖଣ୍ଡ ସାମ୍ବାଦିକ ସଙ୍ଘର ମିଳିତ ଉଦ୍ୟମରେ କଳ୍ପନା କ୍ଲବ ପରିସରରେ ନୂତନ ବର୍ଷ ଉପଲକ୍ଷେ କବିତା ପାଠ ଅନୁଷ୍ଠିତ ହୋଇ ଯାଇଛି l ସମାଜ ପାଠକ ବିଚାର ମଞ୍ଚର ଆବାହକ ଶୁଭମୟ ନନ୍ଦଙ୍କ ଆବାହକତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ତହସିଲଦାର ପ୍ରିୟବ୍ରତ ଦାସ ମୁଖ୍ୟତିଥି ଭାବେ ଯୋଗଦେଇ କବିତା ପ୍ରତି ଯୁବଗୋଷ୍ଠୀ ଆକୃଷ୍ଟ ହେବାକୁ ପରାମର୍ଶ ଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ନଗରପାଳ ଗୋବିନ୍ଦ ଚନ୍ଦ୍ର ସାହୁ,ମେଜର ପ୍ରଭାତ କୁମାର ଦାଶ, ଅଧ୍ୟାପିକା ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ ପ୍ରମୁଖ ଏହି ମଞ୍ଚ ମାଧ୍ୟମରେ ଲୁକ୍କାୟିତ ପ୍ରତିଭାର ପରିପ୍ରକାଶ ଘଟି ପାରିବ ବୋଲି ପ୍ରକାଶ କରିଥିଲେ l ସଭାପତି ଜ୍ଞାନରଞ୍ଜନ ମିଶ୍ର ଅଧ୍ୟକ୍ଷତା କରି କବିତା ପାଠ ମାଧ୍ୟମରେ ଯୁବସମାଜ ରେ ଏକ ଆନ୍ଦୋଳନ ସମ୍ଭବ ହୋଇ ପାରିବ ବୋଲି କହିଥିଲେ l ସଂପାଦକ ଶରତ ଚନ୍ଦ୍ର ବେହେରା ସ୍ୱାଗତ ଭାଷଣ ପ୍ରଦାନ କରିଥିବା ବେଳେ ଉପସଭାପତି ଶ୍ରୀରାମ ରାଉତ ଧନ୍ୟବାଦ ଦେଇଥିଲେ l ଏଇ ଅବସରରେ ମଣ୍ଟୁ ପ୍ରଧାନ, ନିରଞ୍ଜନ ହୋତା, ପ୍ରଜ୍ଞା ପ୍ରବର୍ତ୍ତିକା ଦାଶ, ନିରଞ୍ଜନ ସାହୁ, ବିମଳ କୁମାର ପରିଡା, ସମରେନ୍ଦ୍ର ନାୟକ, ଦେବୀ ପ୍ରସାଦ ନାୟକ, ଦୁର୍ଯ୍ୟୋଧନ ସାହୁ, ଦୁର୍ଗା ପ୍ରସାଦ ମୁଦୁଲି, ଜଳଧର ସ୍ୱାଇଁ, ଜ୍ୟୋସ୍ନା ମୟୀ ପାଣି ପ୍ରମୁଖ ସ୍ୱରଚିତ କବିତା ଆବୃତ୍ତି କରିଥିଲେ l

Leave a Reply

Your email address will not be published. Required fields are marked *