ମାମୁଁ ଘରୁ ଶ୍ରୀକ୍ଷେତ୍ର ଗଲା ପୋଢ଼ୁଆଁଭାର, ପୋଢ଼ୁଆଁ ହେବେ ବଡ଼ଠାକୁର

ଜଗନ୍ନାଥ ସଂସ୍କୃତି ପରମ୍ପରା ଅନୁଯାୟୀ ହିନ୍ଦୁ ଧର୍ମର ନିୟମ ଅନୁସାରେ ମାମୁଁଘରୁ ପୋଢ଼ୁଆଁ ପାଇଁ ନୁତନବସ୍ତ୍ର ଓ ଭାର ଯାଇଥିବା ବେଳେ ବିଶ୍ୱପ୍ରସିଦ୍ଧ ପୁରୀର ଜଗତର ନାଥ ଜଗନ୍ନାଥ ,ବଳଭଦ୍ର ଓ ମା ସୁଭଦ୍ରା ଦେବୀ ଙ୍କୁ ପୋଢ଼ୁଆଁ କରିବାପାଇଁ ଚାରିଛକ ନିକଟସ୍ଥ ମାଧବାନନ୍ଦ ମନ୍ଦିର ରୁ ନୀତି ନିୟମ ଅନୁସାରେ ସେବାୟତମାନେ ଅଷ୍ଟମୀ ଭାରକୁ ବାହୁଙ୍ଗିରେ କାନ୍ଧରେ କାନ୍ଧେଇ ଶ୍ରୀକ୍ଷେତ୍ର ନେଇ ଥିଲେ । ମାର୍ଗଶିରମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ କାଳିଆସାଆନ୍ତେ ବଡ଼ ଠାକୁର ହେବେ ପୋଢୁଆଁ । ଏହି ପୋଢ଼ୁଆଁଭାର ପାଇଁ ପ୍ରାଚୀ ଧାମ ମାଧବାନନ୍ଦ ମନ୍ଦିର ରୁ ଖଣ୍ଡୁଆ ପାଟ ବସ୍ତ୍ର, ବିଭିନ୍ନ ପ୍ରକାର ଫଳ ,ତୁଳସୀ , ପଦ୍ମଫୁଲମାଳ ସହିତ ପିଠା ଭୋଗ ଲାଗି ପାଇଁ ବିରି, ଚାଉଳ ,ଗୂଡ଼ ନଡ଼ିଆ ପ୍ରମୁଖ ଜିନିଷ ସେବାୟତ ମାନେ ବାହୁଙ୍ଗିରେ କାନ୍ଧେଇ ନେଇଥିଲେ । ପୋଢ଼ୁଆଁ ଭାର ଯିବା ସମୟରେ ଆଧୁନିକ ବାଦ୍ୟଯନ୍ତ୍ର ସହିତ ଘଣ୍ଟ ପଖୋଜ ,ନାମ କୀର୍ତ୍ତନ ,ନାଗା ନାଚ ,ଲଉଡି ଖେଳ ଏବଂ ପାଇକ ନାଚ ପରିବେଷଣ କରାଯାଇଥିଲା । ଚାରିଛକ ଅଞ୍ଚଳରୁ ହଜାର ହଜାର ସଂଖ୍ୟାରେ ଭକ୍ତ ମାନେ ଆସି ଏହି ପୋଢ଼ୁଆଁ ଭାର ଯାତ୍ରା ରେ ସାମିଲ ହୋଇଥିଲେ । ପବିତ୍ର ପୋଢ଼ୁଆଁ ଭାର ଯିବା ସମୟରେ ଚାରିଛକ ବଜାରରେ ପ୍ରାୟ ପାଞ୍ଚହଜାରରୁ ଉର୍ଦ୍ଧ୍ୱ ଭକ୍ତ ମାନଙ୍କର ଜନଗହଳି ଦେଖି ଚାରିଛକ ଥାନା ଅଧିକାରୀ ମମତା ବିଶ୍ୱାଳ ଟ୍ରାଫିକ ସମସ୍ୟାକୁ ଓ ଶୃଙ୍ଖଳା ପରିସ୍ଥିତିକୁ ଗୁରୁତ୍ୱ ଦେଇଥିଲେ । ଏହି କାର୍ଯ୍ୟକ୍ରମ ରେ ଆଇନଜୀବି ତଥା ସମାଜସେବୀ ରଞ୍ଜିତ ସାହୁ , ନ୍ୟାୟବ୍ରତ ରାଉତ , ଭାସ୍କର ପୁଷ୍ପାଳକ , ଅସିତ୍ ପୁଷ୍ପାଳକ ,କେଦାର ବେହେରା ,ଲଷ୍ମୀଧର ବେହେରା , ତ୍ରିଲୋଚନ ପୁଷ୍ପାଳକ , ସରପଞ୍ଚ ବାବୁଲି ମଲ୍ଲିକ ,କେଦାରନାଥ ସାହୁ , ଏକାନ୍ତ ଆଶ୍ରମ ର ବାବା ନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ରହି ସାହାଯ୍ୟ ସହଯୋଗ କରିଥିଲେ । ଚାରିଛକ ଠାରେ ଚାରିଛକ ବଜାର କମିଟି ସଭାପତି ମହେନ୍ଦ୍ର ନାୟକ ,ଚାରିଛକ ପ୍ରେସ କ୍ଲବ , ସମସ୍ତ ଶିକ୍ଷାନୁଷ୍ଠାନ ,ଅଟୋ ଆସୁସନ , ଅଞ୍ଚଳରେ ଥିବା ମଠ ଆଶ୍ରମ ବୁଦ୍ଧିଜୀବୀ ମାନେ ପବିତ୍ର ଭାର କୁ ଫୁଲ ,ଦୀପ, ଧୂପ ଦେଇ ସ୍ୱାଗତ ସମ୍ବର୍ଦ୍ଧନା କରିଥିଲେ । ଚାରିଛକ ବଜାରରେ ଏହି ଭାର ଯାତ୍ରାକୁ ଦେଖିବା ପାଇଁ ଜନସମୁଦ୍ର ସୃଷ୍ଟି ହୋଇଥିଲା । ଘଣ୍ଟ ପଖୋଜ ,ନାମ କୀର୍ତ୍ତନ ରେ ଚାରିଛକ ବଜାରରେ ଭାବ ଭକ୍ତି ଭରା ପରିବେଶ ସୃଷ୍ଟି ହୋଇଥିଲା । ଶାନ୍ତି ଶୃଙ୍ଖଳା ର ସହ ଶେଷ ହୋଇଥିବାରୁ ଥାନାଅଧିକାରୀ ମମତା ବିଶ୍ଵାଳ ଏବଂ ତାଙ୍କର ସମସ୍ତ କାର୍ମଚାରୀଙ୍କୁ ଅଞ୍ଚଳବାସୀ ପ୍ରଶଂସା କରିଥିଲେ ।