ହବିଷ୍ୟାଳୀ ବ୍ରତ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହବିଷ୍ୟାଳୀ ବ୍ରତ ପାଇଁ ପ୍ରାକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ।ପୁରୀ ୧୬/୯ ପୁରୀ ରେ କାର୍ତ୍ତିକ ମାସ ରେ ରାଈଦାମୋଦର ବ୍ରତ ବା ହବିଷ୍ୟାଳୀ ବ୍ରତ ପାଳନ ନିମିତ୍ତ ଏକ ପ୍ରାକ ପ୍ରସ୍ତୁତି ବୈଠକ ଆଜି ପୂର୍ବାହ୍ନରେ ସର୍କିଟ ହାଉସ ଠାରେ ଅନୁଷ୍ଠିତ ହୋଇଥିଲା।ଜିଲ୍ଲାପାଳ ସମର୍ଥ ବର୍ମା ଏଥିରେ ଅଧ୍ୟକ୍ଷତା କରିବା ସହ ହବିଷ କରିବାକୁ ଆଗ୍ରହୀ ହବିଷ୍ୟାଳୀ ମା ମାନଙ୍କର ପଞ୍ଜିକରଣ,ରହଣୀ ବ୍ୟବସ୍ଥା, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ମନ୍ଦିର ଦର୍ଶନ, ମହାପ୍ରସାଦ ସେବନ,ସଂଧ୍ୟାରେ ଭଜନ ପ୍ରବଚନ ଇତ୍ୟାଦି ର ସୁବ୍ୟବସ୍ଥା କରିବାକୁ ପରାମର୍ଶ ଦେଇଥିଲେ।ଗତବର୍ଷ ସମସ୍ତ ଙ୍କ ସହଯୋଗ ରେ ମା ମାନଙ୍କ ର ସମସ୍ତ ବ୍ୟବସ୍ଥା ଭଲ ହୋଇ ଥିଲା।ତେଣୁ ଗତବର୍ଷ ର ଅଭିଜ୍ଞତା ଆଧାର ରେ ଚଳିତ ବର୍ଷ ମଧ୍ୟ ଆହୁରି ଭଲ ଭାବେ ଏହାକୁ ପରିଚାଳନା କରିବାକୁ ସେ ମତ ଦେଇଥିଲେ।ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ କାର୍ଯ୍ୟସୂଚୀ ଅନୁସାରେ ଆଲୋଚନା କରିବା ସହ ପ୍ରତ୍ୟେକ ବିଭାଗ ନିଷ୍ଠାର ସହ କାର୍ଯ୍ୟ କରିବାକୁ ଅନୁରୋଧ କରିଥିଲେ।ହବିଷ୍ୟାଳୀ ମାନଙ୍କ ସୁବିଧା ପାଇଁ ଅନଲାଇନ ମାଧ୍ୟମରେ ପଞ୍ଜିକରଣ କରିବା ଓ ପଞ୍ଜିକରଣ ସମୟରେ ଚିକିତ୍ସାଳୟର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପ୍ରମାଣ ପତ୍ର ସଂଲଗ୍ନ କରିବାକୁ ଅନୁରୋଧ କରାଯାଇଥିଲା।ସେହିପରି ହବିଷ୍ୟାଳୀ ମା ମାନଙ୍କ ରହଣୀ ସ୍ଥଳ ବୃନ୍ଦାବତୀ ନିବାସ, ଅକ୍ଷୟପାତ୍ର ଫାଉଣ୍ଡେସନ, ବଗଲା ଧର୍ମଶାଳା, ବାଗେଡିଆ ଧର୍ମଶାଳା ଓ ମୋଚିସାହି କଲ୍ୟାଣ ମଣ୍ଡପ ର ସ୍ଥିତି ଅନୁଧ୍ୟାନ କରିବା ସହ ଆନୁସଙ୍ଗିକ ସୁବିଧା ସୁଯୋଗ ବ୍ୟବସ୍ଥା କରିବା,ସ୍ୱାସ୍ଥ୍ୟ ସେବା ପାଇଁ ସ୍ୱତନ୍ତ୍ର ଚିକିତ୍ସା ବ୍ୟବସ୍ଥା ଗ୍ରହଣ କରିବା,ଅନ୍ତେବାସୀ ମା ମାନଙ୍କୁ ପରିଚୟ ପତ୍ର ପ୍ରଦାନ, ସହାୟକ ସ୍ୱଛାସେବୀ ବ୍ୟବସ୍ଥା, ସୁରକ୍ଷା ବ୍ୟବସ୍ଥା, ଅଗ୍ନି ନିର୍ବାପକ ସ୍ନାନ ସମୟରେ ସୁରକ୍ଷା ବ୍ୟବସ୍ଥା, ପରିବହନ ବ୍ୟବସ୍ଥା,ପାନୀୟ ଜଳ, ବିଦ୍ୟୁତ ବ୍ୟବସ୍ଥା, ମହାପ୍ରସାଦ ବ୍ୟବସ୍ଥା, ନିୟନ୍ତ୍ରଣ କକ୍ଷ ଇତ୍ୟାଦି ସମ୍ପର୍କରେ ଆଲୋଚନା କରାଯିବା ସହ ବିଭାଗୀୟ ଅଧିକାରୀ ମାନେ ଏହାର ସୁବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଥିଲା।ଏହି ବୈଠକରେ ଅନ୍ୟ ମାନଙ୍କ ମଧ୍ୟରେ ଶ୍ରୀମନ୍ଦିର ନିତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ,ଅତିରିକ୍ତ ଜିଲ୍ଲାପାଳ ରାଜସ୍ୱ କୈଳାସ ଚନ୍ଦ୍ର ନାୟକ, ଅତିରିକ୍ତ ଜିଲ୍ଲାପାଳ ପ୍ରୋଟୋକଲ ଡଃ ଶରତ ଚନ୍ଦ୍ର ମହାପାତ୍ର, ଉପଜିଲ୍ଲାପାଳ ଭବତାରଣ ସାହୁ, ସିଡିଏମଓ ଡା ସୁଜାତା ମିଶ୍ର, ପୌର ନିର୍ବାହୀ ଅଧିକାରୀ ସରୋଜ କୁମାର ସ୍ୱାଇଁ, ଡେପୁଟି କଲେକ୍ଟର ରାକେଶ କୁମାର ପଣ୍ଡା, ପ୍ରିୟଦର୍ଶିନୀ ମଲ୍ଲିକ, ଏନ ଆଇ ସି ର ଡିଆଇଓ ବିଶ୍ୱନାଥ ପଣ୍ଡା, ଜିଲ୍ଲା କ୍ରିଡା ଅଧିକାରୀ ଚନ୍ଦନ ସାହୁ, ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଓ ଲାଇନ ଡିପାର୍ଟମେଣ୍ଟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *