ବ୍ରହ୍ମପୁର ରେ ସାମ୍ବାଦିକ ସମ୍ମିଳନୀ

ଗୋପାଳପୁର ଗଣଦୁଷ୍କର୍ମ ଘଟଣା ପରେ ଧରାକୋଟର ଘଟଣା ଏବଂ ବ୍ରହ୍ମପୁରରେ ଖୋଦ ବିଜେପି ନେତାଙ୍କ ଦ୍ୱାରା ନାବାଳିକାକୁ ଦୁଷ୍କର୍ମ କାଣ୍ଡ ରାଜ୍ୟରେ ଡ଼ବଲ ଇଂଜିନ ସରକାରର ବିପର୍ଯ୍ୟସ୍ତ ଶାସନ ବ୍ୟବସ୍ଥାକୁ ପ୍ରମାଣିତ କରୁଛି ‘”ଧରାକୋଟ ଘଟଣା ସଭ୍ୟସମାଜରେ ଅତି ନିନ୍ଦନୀୟ”ବ୍ରହ୍ମପୁର – ବ୍ରହ୍ମପୁର ହିଲପାଟଣା ସ୍ଥିତ ସିପିଏମ କାର୍ଯ୍ୟାଳୟ ଠାରେ ସାମ୍ବାଦିକ ସମ୍ମିଳନୀ ରେ, ଗତ ଜୁନ୍ ୨୨ ତାରିଖ ଦିନ ଧରାକୋଟ ବ୍ଳକ୍‌ର ଖାରିଗୁମ୍ମା ଓ ପରେ ଜାହାଡ଼ା ଠାରେ ଗୋରକ୍ଷକ ନାଁରେ ଅସାମାଜିକ ଯୁବକମାନଙ୍କ ଏକ ଗ୍ୟାଙ୍ଗ୍ ଦ୍ୱାରା ଦଳିତ ସମ୍ପ୍ରଦାୟର ଦୁଇ ଜଣ ଗରିବ ଲୋକ ବାବୁଲା ନାୟକ ଓ ବୁଲୁ ନାୟକଙ୍କୁ ଯେଉଁଭଳି ର୍ବବରତାପୂର୍ଣ୍ଣ ଅତ୍ୟାଚାର କରାଗଲା, ତାକୁ ଆମେ ଦୃଢ଼ ନିନ୍ଦା କରୁଛୁ ଗୋପାଳପୁରରେ କଲେଜ ଛାତ୍ରୀଙ୍କୁ ଗଣ ଦୁଷ୍କର୍ମ ପରେ ଏହି ଘଟଣା ରାଜ୍ୟବାସୀଙ୍କ ମୁଣ୍ଡକୁ ଲଜ୍ଝାରେ ନୋଇଁ ଦେଇଥିବା ବେଳେ ଜାତୀୟ ସ୍ତରରେ ଓଡ଼ିଶାର ସମ୍ମାନହାନୀ କରିଛି।ସେଦିନ ଆକ୍ରମଣକାରୀମାନେ ପ୍ରଥମେ ଦୁଇ ପୀଡ଼ିତଙ୍କୁ ଅଟକାଇ ମାଡ଼ ମାରିବା, ତିରିଶ ହଜାର ଟଙ୍କା ବଟି ଦାବି କରିବା, ସେମାନଙ୍କ ମୁଣ୍ଡକୁ ବଳପୂର୍ବକ ଅଧାଲଣ୍ଡା କରିବା, ପାଟିରେ ଘାସ ଧରି ଗୁରୁଣ୍ଣି ଗୁରୁଣ୍ଡି ରାସ୍ତାରେ ଚାଲିବାକୁ ବାଧ୍ୟ କରିବା ଏବଂ ମାଡ଼ ଖାଇ ଲହୁଲୁହାଣ ହୋଇ ପିଇବାକୁ ପାଣି ମାଗିବା ସମୟରେ ସେମାନଙ୍କୁ ପାଖ ନର୍ଦ୍ଦମାରୁ ମଇଳା ପାଣି ଆଣି ପିଇବାକୁ ବାଧ୍ୟ କରିବା, ସେମାନଙ୍କ ପାଖରେ ଥିବା ଟଙ୍କା, ଗାଇ ଆଦି ଛଡ଼େଇ ନେବା ପରି ଘଟଣା ଗଞ୍ଜାମ ଜିଲ୍ଲା ସମେତ ରାଜ୍ୟରେ ବିଭିନ୍ନ ସ୍ଥାନରେ ଗୋସୁରକ୍ଷା ନାଁରେ ଅସାମାଜିକ ଓ ସାମ୍ପ୍ରଦାୟିକ ଶକ୍ତିଙ୍କ ଦ୍ୱାରା ଚାଲିଥିବା ବର୍ବର ଅଭିଯାନର ଅଂଶବିଶେଷ ଅଟେ। ପୂର୍ବରୁ ଜିଲ୍ଲାର ବିଭିନ୍ନ ସ୍ଥାନରେ ଆର୍‌ଏସ୍‌ଏସ୍ ସମର୍ଥିତ ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ ଓ ବିଜେପିର ସମର୍ଥକମାନଙ୍କ ଦ୍ୱାରା ଗୋସୁରକ୍ଷା ନାଁରେ ଗାଇଗୋରୁ ନେଉଥିବା ଦଳିତ ସମ୍ପ୍ରଦାୟର ଛୋଟ ଛୋଟ ଗାଇଗୋରୁ ବ୍ୟବସାୟୀ ଓ ଚାଷୀଙ୍କ ଉପରେ ଏହି ଶକ୍ତିମାନେ ଲଗାତାର ଆକ୍ରମଣ ଓ ବଳପୂର୍ବକ ଅର୍ଥ ଆଦାୟ କରୁଥିଲେ ମଧ୍ୟ ଧରାକୋଟର ଘଟଣା ସବୁକୁ ବଳିଯାଇଛି। ନିଜର ରାଜନୈତକ ସ୍ୱାର୍ଥରେ ଗୋରକ୍ଷା ନାଁରେ ସେମାନେ ସମାଜରେ ଯେଉଁ ସାମ୍ପ୍ରଦାୟିକ ଅଭିଯାନ ଚଳାଇଛନ୍ତି, ତା’ରି ଫଳସ୍ୱରୂପ ଧରାକୋଟ ପରି ବର୍ବରୋଚିତ ଘଟଣା ଘଟୁଛି। ଗୋରକ୍ଷା ନାଁରେ ଏମାନେ ଆଇନକୁ ହାତକୁ ନେଇ ସାଧାରଣ ଲୋକଙ୍କ ଧାର୍ମିକ ଭାବନାକୁ ଉସୁକାଇ ହିଂସା ସୃଷ୍ଟି କରୁଥିଲେ ମଧ୍ୟ ପୋଲିସ ଓ ପ୍ରଶାସନ ସେମାନଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ। ବିଶେଷ କରି ରାଜ୍ୟରେ ଆର୍‌ଏସ୍‌ଏସ୍ ସମର୍ଥିତ ବିଜେପି ସରକାର କ୍ଷମତାକୁ ଆସିବା ପରେ ତଥାକଥିତ ଗୋରକ୍ଷାକାରୀଙ୍କ ଦୌରାତ୍ମ୍ୟ ଓ ହିଂସା ବୃଦ୍ଧି ପାଇଛି। ଏମାନଙ୍କ ବାରମ୍ବାର ଆକ୍ରମଣ, ଲୁଟ୍ ଯୋଗୁଁ ପୁରୁଷାନୁକ୍ରମେ ଗାଇ ବ୍ୟବସାୟରେ ସାମିଲ ଥିବା ଜିଲ୍ଲାର ଦଳିତ ସମ୍ପ୍ରଦାୟର ଲୋକମାନେ ପିଡ଼ୀତ ହେଉଥିବା ବେଳେ ସାଧାରଣ ଚାଷୀ ବି ଏମାନଙ୍କ ଭୟରେ ରାସ୍ତାରେ ନିଜର ଗାଇଗୋରୁ ନେବାକୁ ଡ଼ରୁଛନ୍ତି। ଗାଇ ପ୍ରତି ଭକ୍ତି ଯୋଗୁଁ ନୁହେଁ ବରଂ ବେଆଇନ ଭାବେ ଅର୍ଥ ଆଦାୟ କରିବାକୁ ଏହି ତଥାକଥିତ ଗୋରକ୍ଷା ଅଭିଯାନ ଯେ ଚାଲିଛି, ତାହା ବର୍ତମାନର ଧରାକୋଟର ଘଟଣା ଏବଂ ପୂର୍ବର ବ୍ରହ୍ମପୁରର କିଛି ଗୋରକ୍ଷକଙ୍କ ଗିରଫ ଘଟଣାରୁ ସ୍ପଷ୍ଟ ପ୍ରମାଣିତ ହୋଇଛି।ଧରାକୋଟ ଘଟଣାର କେବଳ ସାମ୍ପ୍ରଦାୟିକ ଦିଗ ହିଁ ନୁହେଁ ବରଂ ଜାତିଗତ ଦିଗ ବି ରହିଛି। ଆକ୍ରମଣକାରୀମାନେ ପିଡ଼ୀତ ଦଳିତ ବ୍ୟକ୍ତିଙ୍କ ଜାତିକୁ ଜାଣି ସେମାନଙ୍କ ଉପରେ ଜାତିଗତ ଆକ୍ଷେପ ଓ ଆକ୍ରମଣ କରିଛନ୍ତି। ଅଧିକାଂଶ ସ୍ଥାନରେ ଗୋସୁରକ୍ଷା ଗ୍ୟାଙ୍ଗ୍‌ର ଅତ୍ୟାଚାରରେ ପୀଡ଼ିତ ଲୋକମାନେ ସାଧାରଣତଃ ସମାଜର ଗରିବ ତଥା ସାମାଜିକ ଭାବେ ପଛୁଆ ସମ୍ପ୍ରଦାୟରୁ ଆସୁଥିବାରୁ ସେମାନେ ଥାନାରେ ଏତଲା ଦେବାକୁ ବି ସାହସ କରିପାରୁ ନାହାନ୍ତି। କିନ୍ତୁ ଏଭଳି ବେଆଇନ ଓ ଆତଙ୍କ ସୃଷ୍ଟିକାରୀ କାର୍ଯ୍ୟକଳାପ ନାଗରିକମାନଙ୍କ ସାମ୍ବିଧାନିକ ଅଧିକାରକୁ ଉଲଂଘନ କରିବା ସହ ସମାଜରେ ଅସୁରକ୍ଷା, ଭୟ ଓ ଅଶାନ୍ତିର ବାତାବରଣ ସୃଷ୍ଟି କରୁଥିବାରୁ ଏହାକୁ ଅବିଳମ୍ବେ ରୋକିବା ଜରୁରୀ ଅଟେ। ଅତଏବ ଆମେ କେବଳ ଧରାକୋଟର ଘଟଣା ହିଁ ନୁହେଁ ରାଜ୍ୟର ସବୁଠାରେ ଗୋରକ୍ଷା ନାଁରେ ଯେଉଁ ବ୍ୟକ୍ତି ବିଶେଷ, ସଙ୍ଗଠନ ଓ ଗ୍ୟାଙ୍ଗ୍ ଆଇନକୁ ହାତକୁ ନେଇ ଗରିବ ଚାଷୀ, ବ୍ୟବସାୟୀ ବିଶେଷ କରି ଦଳିତ ଓ ସଂଖ୍ୟାଲଘୁ ଲୋକଙ୍କ ଉପରେ ଅତ୍ୟାଚାର କରୁଛନ୍ତି ସେମାନଙ୍କ ବିରୁଦ୍ଧରେ ପୋଲିସ ତ୍ୱରିତ୍ ଓ ଦୃଢ଼ କାର୍ଯ୍ୟାନୁଷ୍ଠାନ କରିବାକୁ ସରକାର ନିର୍ଦ୍ଦେଶ ଦେବାକୁ ଦାବି କରୁଛୁ। ରାଜ୍ୟରେ ଗାଇଗୋରୁ କିଣାବିକା ଓ ପରିବହନ ସଂକ୍ରାନ୍ତରେ ସରକାର ଉପଯୁକ୍ତ ନିର୍ଦ୍ଦେଶାବଳୀ ଜାରୀ କରନ୍ତୁ। ଗାଇ ଗୋରୁଙ୍କୁ ନେଇ ଯଦି କୌଣସି ବେଆଇନ କାର୍ଯ୍ୟ କେଉଁଠି ହେଉଛି କିମ୍ବା ସରକାରଙ୍କ ନିର୍ଦ୍ଦେଶାବଳୀର ଉଲଂଘନ ହେଉଛି ସେ କ୍ଷେତ୍ରରେ ଆଇନ ଅନୁଯାୟୀ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଆମେ ସ୍ୱାଗତ କରୁଛୁ। କିନ୍ତୁ ଗୋରକ୍ଷା ଆଳରେ କୌଣସି ଅସାମାଜିକ ଗୁଣ୍ଡା କିମ୍ବା ସାଂମ୍ପ୍ରଦାୟିକ ସଙ୍ଗଠନ ଆଇନକୁ ହାତକୁ ନେବାକୁ ଦିଆ ନଯାଉ। ବିଶେଷ କରି ପୋଲିସ ସେମାନଙ୍କ ବେଆଇନ କାର୍ଯ୍ୟରେ ସହଯୋଗ ନକରୁ। ଏଭଳି ଘଟଣାରେ ପୋଲିସ ତୁରନ୍ତ ଏତଲା ଗ୍ରହଣ କରିବା ସହିତ ଅଭିଯୁକ୍ତଙ୍କ ବିରୁଦ୍ଧରେ ତ୍ୱରିତ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ। ଧରାକୋଟ ଘଟଣାରେ ସମ୍ପୃକ୍ତ ସମସ୍ତ ଅପରାଧିଙ୍କୁ ଗିରଫ କରି ସେମାନଙ୍କୁ କଠୋର ଦଣ୍ଡ ଦେବାର ବ୍ୟବସ୍ଥା କରାଯାଉ। ପିଡ଼ୀତ ଦୁଇ ଦଳିତ ବ୍ୟକ୍ତିଙ୍କୁ ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ କରାଯାଉ।ଗତ ପ୍ରାୟ ଦଶ ଦିନ ମଧ୍ୟରେ ଗଞ୍ଜାମ ଜିଲ୍ଲାରେ ଗୋପାଳପୁର ଗଣଦୁଷ୍କର୍ମ, ଧରାକୋଟ ଦଳିତ ନିର୍ଯ୍ୟାତନା ଓ ବ୍ରହ୍ମପୁରରେ ବିଜେପି ନେତାଙ୍କ ନାବାଳିକାକୁ ଦୁଷ୍କର୍ମ ଘଟଣା ରାଜ୍ୟର ବିଜେପି ସରକାରର ଡ଼ବଲ ଇଂଜିନ୍‌ର ପ୍ରକୃତ ରୂପକୁ ସାମନାକୁ ଆଣିଛି।

ରାଜ୍ୟ ସରକାର କର୍ପୋରେଟଙ୍କ ସେବାରେ ବ୍ୟସ୍ତ ଥିବା ବେଳେ ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇଯାଇଛି। ବାରମ୍ବାର ଜଘନ୍ୟ ଅପରାଧ ସଂଗଠିତ ହେବା ଅପରାଧିଙ୍କ ଆଇନ ପ୍ରତି ଆଦୌ ଭୟ ନଥିବାକୁ ପ୍ରମାଣିତ କରୁଛି। ଖୋଦ୍ ବିଜେପି ଦଳର ନେତାମାନେ ନାବାଳିକା ଦୁଷ୍କର୍ମରେ ସାମିଲ ହେବା ଶାସକ ଦଳର ମହିଳା ବିରୋଧି ଚରିତ୍ରକୁ ସାମନାକୁ ଆଣିଛି।ଉପରୋକ୍ତ ଘଟଣା ପରିପ୍ରେକ୍ଷୀରେ ଜିଲ୍ଲାର ବାମପନ୍ଥୀ ଓ ଅନ୍ୟ ବିରୋଧି ଦଳମାନେ ଅପରାଧିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଦାବୀ କରୁଛୁ। ଜିଲ୍ଲାରେ ବଜରଙ୍ଗ ଦଳ, ବିଶ୍ୱହିନ୍ଦୁ ପରିଷଦ ଓ ଅନ୍ୟ ସାମ୍ପ୍ରଦାୟିକ ଶକ୍ତିଙ୍କ ଦ୍ୱାରା ଗୋସୁରକ୍ଷା ନାଁରେ ଚାଲିଥିବା ବେଆଇନ କାର୍ଯ୍ୟକଳାପ ଓ ଅପରାଧିକ ଅଭିଯାନ ବିରୁଦ୍ଧରେ ଦୃଢ଼ ପଦକ୍ଷେପ ନେବାକୁ ଦାବି କରୁଛୁ। ଆସନ୍ତା ଜୁଲାଇ ୧ ତାରିଖରେ ଏହି ପ୍ରସଙ୍ଗରେ ଦକ୍ଷିଣାଚଂଳ ରାଜସ୍ୱ କମିଶନରଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା କରିବାକୁ ସ୍ଥିର କରୁଛୁ। ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଜିଲ୍ଲା ସମ୍ପାଦକ ପ୍ରକାଶ ପାତ୍ର, ରାଜ୍ୟ କାର୍ଯ୍ୟକାରୀ ସଭ୍ୟ ଏନ ନାରାୟଣ ରେଡ୍ଡୀ, CPM ର ଜିଲ୍ଲା ସମ୍ପାଦକ ଯୁଧିଷ୍ଠିର ବେହେରା, ଦଳିତ ନେତା ରାମ ଚନ୍ଦ୍ର ନାୟକ, CPML ର ଭାଲ ଚନ୍ଦ୍ର ଷଢଙ୍ଗୀ, ଦଳିତ ନେତା ପ୍ରତାପ ନାୟକ,ଅଖିଳ ଭାରତ ଯୁବସଙ୍ଘ ର ରାଜ୍ୟ ସମ୍ପାଦକ କାମଦେବ ନାହାକ, ଭାରତୀୟ କମ୍ୟୁନିଷ୍ଟ ପାର୍ଟି ର ଜିଲ୍ଲା ସହ ସମ୍ପାଦକ ନୀଳକଣ୍ଠ ଦାଶ, ଆପ୍ପ ର ଆଦିତ୍ୟ ରଥ, ଶିବ ପ୍ରତାପ ମହାପାତ୍ର ପ୍ରମୁଖ ସାମ୍ବlଦିକ ସମ୍ମିଳନୀ ରେ ଅଂଶ ଗହଣ କରିଥିଲେ l

Leave a Reply

Your email address will not be published. Required fields are marked *