ଋଷିକୂଲ୍ୟା ନଦୀର ପାଣିକୁ ସରଂକ୍ଷିତ

ବ୍ରହ୍ମପୁର, ତା. ୧. ୬. ୨୦୨୫ରିଖ ଋଷିକୂଲ୍ୟା ନଦୀକୁ ଗଞ୍ଜାମ ଜିଲ୍ଲାର ଲାଇଫଲାଇନ ବା ଜୀବନନାଟି କୁହାଯାଉଥିଲେ ବି ରାଜ୍ୟ ସରକାର ଏହି ନଦୀର ସୁରକ୍ଷା ଓ ରକ୍ଷଣାବେକ୍ଷଣ ପ୍ରତି ଚରମ ଅବହେଳା କରିଆସୁଛନ୍ତି l ଚୋରା ବାଲି କାରବାରକୁ ରୋକିବାରେ ଏକ ରକମ ସରକାର ସେତେଟା ଗୁରୁତ୍ୱ ଦେଲାଭଳି ମନେ ହେଉନଥିଲେ ବି ବର୍ଷାଦିନେ ବୋହି ଯାଉଥିବା ବର୍ଷା ଜଳକୁ ବି ସରଂକ୍ଷିତ ରଖିବା ପାଇଁ ଚିନ୍ତିତ ନୁହଁନ୍ତି ବୋଲି ମାନବ ଅଧିକାର ସୁରକ୍ଷା ମଞ୍ଚର ଆବାହକ ଆଇନଜୀବି ଅବନୀ ଗୟା ଦୃଢ଼ ଅଭିଯୋଗ କରିଛନ୍ତି l ସୂଚନା ଯୋଗ୍ୟ ଯେ,ଜୁନ ମାସରୁ ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ବର୍ଷାର ପରିମାଣ ବୃଦ୍ଧି ପାଉଥିଲା ବେଳେ ପ୍ରାୟ ୪ରୁ ୫ ବିଲିଅନ କ୍ୟୁବିକ ମିଟର ଜଳ ପ୍ରତିବର୍ଷ ଋଷିକୂଲ୍ୟା ନଦୀରେ ବୋହିଯାଇ ସମୁଦ୍ରରେ ମିଶିଯାଉଛି ଓ ଏହା କୌଣସି ବ୍ୟବହାରରେ ଆସୁନାହିଁ l ଋଷିକୂଲ୍ୟା ନଦୀର ୮,୯୬୩ ବର୍ଗ କିଲୋମିଟର ଅଂଚଳରେ ଏହି ଜଳ ପ୍ରବାହିତ ହୁଏ l ବର୍ଷର ଅନ୍ୟ ସମୟରେ ଲଗାତାର ବର୍ଷା ବା ଲଘୁଚାପ ବେଳେ ମଧ୍ୟ ଏତିକି ପରିମାଣ ବା ସାମାନ୍ୟ ଏହାଠାରୁ କମ ପରିମାଣର ଜଳ ପ୍ରବାହିତ ହୁଏ l କିନ୍ତୁ ଗ୍ରୀଷ୍ମ କାଳରେ ଋଷିକୂଲ୍ୟା ନଦୀ ଏକ ଛୋଟ ନାଳ ସଦୃଶ୍ୟ ହୋଇଯାଇଥାଏ l ଏହି ସମୟରେ ଚାଷ ଜମି ଓ ପ୍ରାଣୀ ସମ୍ପଦକୁ ଟୋପାଏ ପାଣି ମଧ୍ୟ ମିଳିବା କଷ୍ଟକର ହୋଇପଡେ l ଏଣୁ ବର୍ଷା ଦିନେ ଋଷିକୂଲ୍ୟା ନଦୀ ସହ ସଂଯୁକ୍ତ ଛତ୍ରପୁରରେ ଅବସ୍ଥିତ ତାମ୍ପରା ହ୍ରଦ ଜଳ ଧାରଣରେ ସହାୟ ହୁଏ ଯାହାଦ୍ୱାରା ଖରାଦିନେ ସ୍ଥାନୀୟ ଅଂଚଳରେ କୃଷି ଓ ପ୍ରାଣୀ ସମ୍ପଦର ସୁରକ୍ଷା ପାଇଁ କାମରେ ଆସେ l ଏତଦବ୍ୟତୀତ ଋଷିକୂଲ୍ୟା ନଦୀ ସହ ସଂଯୁକ୍ତ ଘୋଡ଼ାହାଡ଼, ଧନେଇ, ବାଘୁଆ, ଆଦି ଉପନଦୀରେ ଥିବା ଆନିକଟ ଓ ଛୋଟ ଛୋଟ ଜଳାଶୟ ସବୁ ରହିଛି l ତାମ୍ପରା ହ୍ରଦ ଓ ଅନ୍ୟାନ୍ୟ ଜଳାଶୟ ଥିଲେ ବି ବର୍ଷାଦିନେ ପ୍ରବାହିତ ଅତିରିକ୍ତ ଜଳର ଏକ ବଡ଼ ଅଂଶ ସମୁଦ୍ରକୁ ଚାଲିଯାଏ l ଏହି ଜଳକୁ ଧାରଣ କରି ପୁନଃ ବ୍ୟବହାର ପାଇଁ ଅଧିକ ମାତ୍ରାରେ ଜଳାଶୟ, ହ୍ରଦ ର ଆବଶ୍ୟକତା ରହିଛି l ଏହା ଦ୍ୱାରା ବେକାର ଭାବରେ ବୋହିଯାଉଥିବା ପ୍ରାୟ ୬୦ପ୍ରତିଶତ ଜଳକୁ ରୋକି ହେବ ଓ ଅନ୍ୟାନ୍ୟ ବିକାଶ ମୂଳକ କାର୍ଯ୍ୟରେ ବ୍ୟବହାର ହୋଇପାରିବ ବୋଲି ମଞ୍ଚ ଆବାହକ ଅବନୀ ଗୟା ଏକ ପ୍ରେସ ବିବୃତ୍ତି ମାଧ୍ୟମରେ ମତବ୍ୟକ୍ତ କରିଛନ୍ତି l

Leave a Reply

Your email address will not be published. Required fields are marked *