ପୁରୀ ଜିଲ୍ଲାସ୍ତରୀୟ ଓଡିଶା ଦିବସ ଅନୁଷ୍ଠିତ

ପୁରୀ ୧/୪– ଉତ୍କୃଷ୍ଟ କଳା,ସଂସ୍କୃତି, ଐତିହ୍ୟ, ପରମ୍ପରା, ମନ୍ଦିର ମାଳିନୀ କୁ ନେଇ ସମୃଦ୍ଧ ଆମ ଓଡିଶା।ଭାଷା ଭିତ୍ତିରେ ୧୯୩୬ ମସିହାରେ ଆମେ ସ୍ୱତନ୍ତ୍ର ରାଜ୍ୟର ମାନ୍ୟତା ପାଇଥିଲେ। ଆଜି ଅନେକ ବିକାଶ ଆମେ ହାସଲ କରିଛନ୍ତି।ଏହାକୁ ଆଗକୁ ନେବାକୁ ଆହ୍ୱାନ ଦେଇଛନ୍ତି ଜିଲ୍ଲା ପରିଷଦ ର ଅଧ୍ୟକ୍ଷା ସ୍ୱପ୍ନାରାଣୀ ସ୍ୱାଇଁ।ଆଜି ସଂଧ୍ୟାରେ ସଂସ୍କୃତି ଭବନ ପରିସରରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ଓ ସଂସ୍କୃତି ପରିଷଦ ପକ୍ଷରୁ ପୁରୀ ଜିଲ୍ଲା ସ୍ତରୀୟ ୮୮ ତମ ଓଡ଼ିଶା ଦିବସ ପାଳିତ ହୋଇଥିଲା।ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ୱାଇଁ ପ୍ରଦୀପ ପ୍ରଜ୍ଜ୍ୱଳନ, ଶ୍ରୀଜୀଉ ମାନଙ୍କୁ ପୁଷ୍ପମାଲ୍ୟ ଅର୍ପଣ ଓ ବରପୁତ୍ର ମାନଙ୍କ ପ୍ରତିକୃତି ରେ ମାଲ୍ୟାର୍ପଣ କରି ସମାରୋହର ଉଦଘାଟନ କରିଥିଲେ। ଓଡିଶା ଗଠନ ଓ ସଂଗ୍ରାମ ରେ ଅବଦାନ ରଖିଥିବା ମନିଷୀ ମାନଙ୍କ ସ୍ମୃତି ଚାରଣ କରି ନିଜ ବକ୍ତବ୍ୟ ରେ ଓଡିଶା ର ସର୍ବାଙ୍ଗୀନ ବିକାଶ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ସମ୍ମାନିତ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଯୋଗ ଦେଇ ଓଡିଆ ଭାଷା, ଓଡିଶା ର ଗରିମା,ଐତିହ୍ୟ ଓ ଅଶ୍ମିତା ସମ୍ପର୍କରେ ବିସ୍ତୃତ ଆଲୋକପାତ କରି ଆଗାମୀ କିଛି ବର୍ଷ ମଧ୍ୟରେ ପୁରୀ ର ରୂପରେଖ ଆକର୍ଷଣୀୟ ହୋଇଥିବ ବୋଲି ମତବ୍ୟକ୍ତ କରିଥିଲେ। ଗାନ୍ଧୀବାଦି ଗୌରାଙ୍ଗ ଚରଣ ପରିଡା ପ୍ରାଚୀନ ଓଡ଼ିଶା,ସ୍ୱତନ୍ତ୍ର ଓଡିଶା ଓ ଆମ ମାନଙ୍କ ଭୂମିକା ସମ୍ପର୍କରେ ଆଲୋଚନା କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ କୁମାର ସାହୁ ଏଥିରେ ଅଧ୍ୟକ୍ଷତା କରିବା ସହ ସ୍ୱତନ୍ତ୍ର ଓଡିଶା ଗଠନର ଇତିହାସ,ଓଡିଶା ର ଐତିହ୍ୟ, ମହାମନିଷୀ ମାନଙ୍କ ର ଅବଦାନ ଓ ଆଧୁନିକ ଓଡିଶା ସମ୍ପର୍କରେ ଆଲୋକପାତ କରିଥିଲେ। ପ୍ରାରମ୍ଭରେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ସନ୍ତୋଷ କୁମାର ସେଠୀ ଅତିଥି ପରିଚୟ, ପ୍ରାରମ୍ଭିକ ସୂଚନା ଓ ସ୍ୱାଗତ ଭାଷଣ ଦେଇଥିଲେ।ଏହି ଅବସରରେ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ପ୍ରସ୍ତୁତ ଓଡିଶା ଗଠନ ଓ ଇତିହାସ ସମ୍ପର୍କରେ ଏକ ଭିଡିଓ ପ୍ରଦର୍ଶନ କରାଯାଇଥିଲା।ପରେ ଅତିଥି ମାନେ କେନ୍ଦ୍ର ସଂଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରାପ୍ତ ସଂଗୀତଜ୍ଞ ଗୁରୁ ବିଜୟ କୁମାର ଜେନା,୨୦୧୭ ମସିହାର ରାଜ୍ୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ସ୍ୱତଗଙ୍ଗା ପ୍ରାଥମିକ ବିଦ୍ୟାଳୟ ର ଶିକ୍ଷୟତ୍ରୀ ବିଜୟ ଲକ୍ଷ୍ମୀ ଦାଶ,ବିଶ୍ୱମ୍ଭର ବିଦ୍ୟାପୀଠର ଶିକ୍ଷକ ଦିବାକର ଦଳାଇ,ଚିତ୍ର କଳା ପ୍ରଦର୍ଶନୀ ପାଇଁ ଚାରୁ ଓ କାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ଦୂର୍ଗା ମାଧବ କର, ପୂର୍ବରୁ ଅନୁଷ୍ଠିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିବା ସାଂସ୍କୃତିକ ଦଳ ଓ କଳାକାର ଙ୍କୁ ପୁରସ୍କୃତ କରିଥିଲେ।ଶେଷରେ ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ।ପ୍ରାରମ୍ଭରେ ମୁଖ୍ୟ ଅତିଥି ସଂସ୍କୃତି ଭବନରେ ଜିଲ୍ଲା ପ୍ରଶାସନ, ଚାରୁ ଓ କାରୁକଳା ମହାବିଦ୍ୟାଳୟ ଓ ଜନ ଶିକ୍ଷଣ ସଂସ୍ଥାନ ସହଯୋଗ ରେ ଆୟୋଜିତ ଚିତ୍ରକଳା ପ୍ରଦର୍ଶନୀ ର ଉଦଘାଟନ କରିଥିଲେ। ପ୍ରତ୍ୟୁଷରୁ ସୂଚନା ଓ ଲୋକ ସମ୍ପର୍କ କାର୍ଯ୍ୟାଳୟ ପକ୍ଷରୁ ସହରରେ ଡାକବାଜି ଯନ୍ତ୍ର ମାଧ୍ୟମରେ ଦେଶାତ୍ମବୋଧକ ସଂଗୀତ ପରିବେଷଣ କରାଯାଇଥିଲା।ସହରର ବିଭିନ୍ନ ସ୍ଥାନରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରାଯାଇଥିଲା।

Leave a Reply

Your email address will not be published. Required fields are marked *