ପୁରୀ ଜିଲ୍ଲା ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମ୍ମିଳନୀ ଉଦଯାପିତ

ପୁରୀ- ପୁରୀ ଟାଉନ ହଲ ଠାରେ ଦୀର୍ଘ ୩ ଦିନ ଧରି ପରିଚାଳିତ ହେଉଥିବା ପୁରୀ ଜିଲ୍ଲା ମାଧ୍ୟମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ଗୃହ ତଥା କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗ, ଓଡ଼ିଶା ସରକାର ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପାଠପଢ଼ା ସହ କ୍ରୀଡ଼ା କ୍ଷେତ୍ରରେ ମଧ୍ୟ ଛାତ୍ରଛାତ୍ରୀ ମାନଙ୍କ ପ୍ରତି ଯତ୍ନବାନ ହେବାକୁ ପ୍ରେରଣା ଦେଇଥିଲେ।ପାଠରେ ଭଲ କରୁ ନ ଥିବା ଛାତ୍ର ମଧ୍ୟ କ୍ରୀଡ଼ା କ୍ଷେତ୍ରରେ ଭଲ କରି ଜୀବନ ଓ ଜୀବିକା କୁ ସାର୍ଥକ କରିପାରିବେ ବୋଲି ମତପୋଷଣ କରିଥିଲେ। ସମ୍ମାନୀତ ଅତିଥି ରୂପେ ପୁରୀ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଶ୍ରୀମତୀ ସ୍ବପ୍ନାରାଣୀ ସ୍ବାଇଁ ଉପସ୍ଥିତ ହୋଇ ଭାରତୀୟ ଶିକ୍ଷା ବ୍ୟବସ୍ଥାରେ ପ୍ରଧାନଶିକ୍ଷକ ମାନଙ୍କ ଭୂମିକା ଗୁରୁତ୍ଵପୂର୍ଣ୍ଣ ଓ ସେମାନେ ସକ୍ରିୟ ହେଲେ ଶିକ୍ଷାର ଗୁଣାତ୍ମକ ମାନ ବୃଦ୍ଧି ହେବା ସହ ସାମଗ୍ରିକ ବିକାଶ ସାଧିତ ହୋଇପାରିବ ବୋଲି କହିଥିଲେ। ଏନ୍ ସି ଆର ଟି ପ୍ରଫେସର ଲକ୍ଷ୍ମୀଧର ବେହେରା ୨୦-୨୦ ନ୍ୟାସନାଲ ଏଜୁକେସନ ପଲିସି ସମ୍ବନ୍ଧରେ ବିଶଦ ବିବରଣୀ ପ୍ରଦାନ କରିଥିଲେ। ପ୍ରଧାନଶିକ୍ଷକ, ପୁରୀ ଜିଲ୍ଲା ସ୍କୁଲ୍ ଶ୍ରୀମତୀ ଜ୍ୟୋତିର୍ମୟୀ ମିଶ୍ର ବିଦ୍ୟାଳୟର ପ୍ରାର୍ଥନା ସଭା ସୁପରିଚାଳନା ଓ ଅନ୍ୟାନ୍ୟ ଇନୋଭେଟିଭ୍ କାର୍ଯ୍ୟକ୍ରମ ସମ୍ପର୍କରେ ମତବ୍ୟକ୍ତ କରିଥିଲେ। ଜିଲ୍ଲା ସମଗ୍ର ଶିକ୍ଷା ବିଭାଗର ଶ୍ରୀ ରମେଶ ଚନ୍ଦ୍ର ସାହୁ ଓ ବିଚିତ୍ରାନନ୍ଦ ଜେନା ପେଡାଗୋଜି ଓ ଅର୍ଥ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ପୁରୀ ଆର୍ ଟି ଓ ଶ୍ରୀ ରବୀନ୍ ପଟ୍ଟନାୟକ ଶଡକ ନିରାପତ୍ତା ଓ ଡି ସି ପି ଓ, ପୁରୀ ଶ୍ରୀ ମନୋଜ କୁମାର ତ୍ରିପାଠୀ ଶିଶୁ ସୁରକ୍ଷା ବିଷୟରେ ଆଲୋଚନା କରିଥିଲେ । ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଶ୍ରୀ ମହେନ୍ଦ୍ର କୁମାର ବିଶ୍ବାଳ କ୍ରୀଡ଼ା, ସ୍କାଉଟସ୍ ଓ ଜୁନିୟର ରେଡ଼କ୍ରସ୍ ବିଷୟରେ ବିବରଣୀ ପ୍ରଦାନ କରିଥିଲେ । ଶ୍ରୀ ବିଶ୍ବଜିତ ଭୋଳ ପ୍ରୋଗ୍ରାମର, ପି ଏମ୍ ପୋଷଣ ଏମ୍ ଡି ଏମ୍ ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ । ଅନ୍ତର୍ନିବେଶୀ ଶିକ୍ଷା ସଂଯୋଜକ ଶ୍ରୀ କାର୍ତ୍ତିକେଶ୍ବର ପ୍ରଧାନ ଭିନ୍ନକ୍ଷମ ପିଲାମାନଙ୍କ ଅନ୍ତର୍ନିବେଶୀ ଶିକ୍ଷା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ଶ୍ରୀ ସୁଶୀଲ କୁମାର ବ୍ରହ୍ମା ମଣ୍ଡଳ ଶିକ୍ଷାଧିକାରୀ,ଗୋପ , ଶିକ୍ଷାର୍ଥୀ ମାନଙ୍କ ବୀମା ଯୋଜନା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରିଥିଲେ। ସମସ୍ତ କାର୍ଯ୍ୟକ୍ରମ ଅତିରିକ୍ତ ଜିଲ୍ଲା ଶିକ୍ଷାଧିକାରୀ ଶ୍ରୀମତୀ ମମତା ମିଶ୍ର ଓ ଶ୍ରୀଯୁକ୍ତ ହିମାଂଶୁ ଭୂଷଣ ସମରଥ ସଂଯୋଜନା ଓ ସଭାପତି ତଥା ଜିଲ୍ଲା ଶିକ୍ଷାଧିକାରୀ ଡଃ ବିଶ୍ବଜିତ ଘୋଷଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହୋଇଥିଲା। ପ୍ରଧାନଶିକ୍ଷକ ଶ୍ରୀମତୀ ରୂପଶ୍ରୀ ଛୋଟରାୟ ବିବରଣୀ ପାଠ କରିଥିଲେ ଓ ଶ୍ରୀ ଶଙ୍କର କୁମାର ସୁବୁଦ୍ଧି ଧନ୍ୟବାଦ ଅର୍ପଣ କରିଥିଲେ ।

Leave a Reply

Your email address will not be published. Required fields are marked *