ପୁରୀ ପ୍ରସିଦ୍ଧ ରଥଯାତ୍ରାର ଦ୍ବିତୀୟ ସମନ୍ବୟ ବୈଠକ


ପୁରୀ ୬/୫ – ଚଳିତ ରଥଯାତ୍ରାର ଦ୍ବିତୀୟ ସମନ୍ୱୟ ବୈଠକ ଆଜି ପୂର୍ବାହ୍ନରେ ଟାଉନ ହଲ ପରିସରରେ ଅନୁଷ୍ଠିତ ହୋଇଥିଲା। ଏଥିରେ ଆଇନ,ଅନୁସୂଚିତ ଜନ ଜାତି, ଅନୁସୂଚିତ ଜାତି ଉନ୍ନୟନ ଏବଂ ସଂଖ୍ୟା ଲଘୁ ସମ୍ପ୍ରଦାୟ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ମନ୍ତ୍ରୀ ଜଗନ୍ନାଥ ସାରକା ଅଧ୍ୟକ୍ଷତା କରିବା ସହ ମହାପ୍ରଭୁଙ୍କ ପବିତ୍ର ରଥଯାତ୍ରା କୁ ଶାନ୍ତି ଶୃଙ୍ଖଳା ର ସହ ସମ୍ପର୍ଣ୍ଣ କରିବାକୁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।ରଥଯାତ୍ରା ଏକ ସାମୁହିକ କାର୍ଯ୍ୟ।ପାରସ୍ପରିକ ସହଯୋଗର ସହ ପ୍ରତ୍ୟେକ ବିଭାଗ ଉତ୍ତରଦାୟୀ ଏବଂ ସମର୍ପିତ ଭାବେ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ଉଷା ଦେବୀ,ଇସ୍ପାତ, ଖଣି ଓ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ,ଗ୍ରାମ୍ୟ ଉନ୍ନୟନ,ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରୀତି ରଞ୍ଜନ ଘଡାଇ, ଇଲେକ୍ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି,କ୍ରିଡା ଓ ଯୁବ ସେବା ମନ୍ତ୍ରୀ ତୁଷାର କାନ୍ତି ବେହେରା, ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ଅତିରିକ୍ତ ଡିଜି ରାଧାକୃଷ୍ଣ ଶର୍ମା,ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସ ପ୍ରମୁଖ ଯୋଗ ଦେଇ ରଥଯାତ୍ରା କୁ ଶୃଙ୍ଖଳା ଓ ସଦଭାବନା ର ସହ ପାଳନ ପାଇଁ ସମସ୍ତ ଙ୍କ ସହଯୋଗ କାମନା କରିଥିଲେ।
ରଥଯାତ୍ରା ନିମନ୍ତେରଥକାଠ ଯୋଗାଣ, ବିଭିନ୍ନ ସାମଗ୍ରୀ ସଂଗ୍ରହ ଓ ଯୋଗାଣ, ରଥକପଡା ସଂଗ୍ରହ, ନୀତି ସଂପାଦନ, ସ୍ୱାସ୍ଥ୍ୟ ଓ ପରିମଳ ବ୍ୟବସ୍ଥା, ପାନୀୟ ଜଳ ଯୋଗାଣ, ବିଦ୍ୟୁତ ଯୋଗାଣ, ପରିବହନ ବ୍ୟବସ୍ଥା, ରାସ୍ତା ଘାଟ ମରାମତି ଓ ଉନ୍ନତି କରଣ,ପାର୍କିଂ ସ୍ଥଳ,ଶାନ୍ତି ଶୃଙ୍ଖଳା ରକ୍ଷା, ଟ୍ରେନ ଚଳାଚଳ ବ୍ୟବସ୍ଥା, ରଥଯାତ୍ରା ର ସିଧାସଳଖ ପ୍ରସାରଣ ବ୍ୟବସ୍ଥା,ଯାତ୍ରୀ ସୁବିଧା ପାଇଁ ଅସ୍ଥାୟୀ ସୂଚନା କେନ୍ଦ୍ର ବ୍ୟବସ୍ଥା, ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ, ପଲ୍ଲିଶ୍ରୀ ମେଳା ଓ ପ୍ରଦର୍ଶନୀ ଆୟୋଜନ, ସ୍ୱେଛାସେବୀ ନିୟୋଜନ ଇତ୍ୟାଦି ସମ୍ବନ୍ଧ ରେ ବିସ୍ତୃତ ଆଲୋଚନା ହେବା ସହ ସମ୍ପୃକ୍ତ ବିଭାଗ ମାନେ କାର୍ଯ୍ୟ ତ୍ୱରାନ୍ୱିତ କରାଯାଇଛି ବୋଲି ସୂଚନା ଦେଇଥିଲେ।ପ୍ରାରମ୍ଭରେ ଜିଲ୍ଲାପାଳ ସମର୍ଥ ବର୍ମା ୨୦୨୩ ରଥଯାତ୍ରାର କାର୍ଯ୍ୟ ସୂଚୀ ପ୍ରଦାନ ସହ ଆଗାମୀ ରଥଯାତ୍ରାକୁ ସମସ୍ତ ଙ୍କ ସହଯୋଗ ରେ ସୁନ୍ଦର ଭାବେ ସମାପନ କରିବାକୁ ଅନୁରୋଧ କରିଥିଲେ।
ଅନ୍ୟ ମାନଙ୍କ ମଧ୍ୟରେ ଓରମାସ ମୁଖ୍ୟ କାର୍ଯ୍ୟ ନିର୍ବାହୀ ଗୁହା ପୁନମ ତାପସ କୁମାର, କେନ୍ଦ୍ରାଞ୍ଚଳ ଆରକ୍ଷୀ ମହାନିରୀକ୍ଷକ ନରସିଂହ ଭୋଳ,ଆଇନ ବିଭାଗ ଅତିରିକ୍ତ ସଚିବ ପ୍ରଣୟ କୁମାର ଦାସ ,ଦେବୋତ୍ତର କମିଶନର ଶିଶିର କୁମାର ରଥ,ସୂଚନା ଓ ଲୋକ ସମ୍ପର୍କ ନିର୍ଦ୍ଦେଶକ ସରୋଜ କୁମାର ସାମଲ,ଜିଲ୍ଲା ପରିଷଦ ସଭାପତି ସ୍ୱପ୍ନାରାଣୀ ସ୍ୱାଇଁ,ଏସ ପି ଡା କନୱର ବିଶାଲ ସିଂ, ପୁରୀ ସାଂସଦ ଙ୍କ ପ୍ରତିନିଧି ଗୌରହରି ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।ମନ୍ଦିର ପରିଚାଳନା କମିଟିର ସଦସ୍ୟ,ସେବାୟତ, ବିଶିଷ୍ଟ ବ୍ୟକ୍ତି, ଗଣମାଧ୍ୟମ ପ୍ରତିନିଧିମାନେ ଯୋଗ ଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିଲେ। ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ପ୍ରଦୀପ କୁମାର ସାହୁ ପ୍ରାରମ୍ଭରେ ସମସ୍ତଙ୍କୁ ସ୍ୱାଗତ ଓ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ।ବୈଠକରେ ଜିଲ୍ଲା ସ୍ତରୀୟ ଓ ଅନ୍ୟାନ୍ୟ ଅଧିକାରୀ ମାନେ ଯୋଗ ଦେଇ ଆଲୋଚନା ରେ ଅଶଂଗ୍ରହଣ କରିଥିଲେ।

Leave a Reply

Your email address will not be published. Required fields are marked *