ଜାତୀୟ ସୁରକ୍ଷା ମହାବିଦ୍ୟାଳୟ ପ୍ରତିନିଧି ଙ୍କ ପୁରୀ ଗସ୍ତ
![](https://teerthkhetra.com/wp-content/uploads/2025/02/IMG-20250206-WA0006-1024x576.jpg)
ଜାତୀୟ ସୁରକ୍ଷା ମହାବିଦ୍ୟାଳୟ ପ୍ରତିନିଧି ଙ୍କ ପୁରୀ ଗସ୍ତ।ପୁରୀ ୬/୨ ନ୍ୟାସନାଲ ଡିଫେନ୍ସ କଲେଜ (ଏନ ଡି ସି) ବା ଜାତୀୟ ସୁରକ୍ଷା ମହାବିଦ୍ୟାଳୟ ପକ୍ଷରୁ ଏକ ପ୍ରତିନିଧି ଦଳ ମେଜର ଜେନେରାଲ ମୁକେଶ ଅଗ୍ରୱାଲ ଙ୍କ ତତ୍ତ୍ୱାବଧାନରେ ଆଜି ପୁରୀ ଗସ୍ତରେ ଆସି ବିଭିନ୍ନ ଅଞ୍ଚଳ ପରିଦର୍ଶନ ସହ ଜିଲ୍ଲା ପ୍ରଶାସନ ସହ ଭାବ ବିନିମୟ କରିଛନ୍ତି।ଏହି ଅବସରରେ ସର୍କିଟ ହାଉସ ଠାରେ ଏକ ଆଲୋଚନା ବୈଠକ ଅନୁଷ୍ଠିତ ହୋଇଥିଲା।ଏଥିରେ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ସମସ୍ତଙ୍କୁ ସ୍ବାଗତ କରିବା ସହ ଜିଲ୍ଲାରେ କାର୍ଯ୍ୟ କାରୀ ହେଉଥିବା ବିବିଧ ଯୋଜନା ସମ୍ପର୍କରେ ଅବଗତ କରାଇଥିଲେ।ବିଭିନ୍ନ ସାମାଜିକ ସୁରକ୍ଷା ବ୍ୟବସ୍ଥା ଯେଉଁ ଥିରେ ବାର୍ଦ୍ଧକ୍ୟ, ବିଧବା ଓ ଭିନ୍ନକ୍ଷମ ମାନଙ୍କୁ ଆର୍ଥିକ ସହାୟତା ଦିଆଯାଉଛି ସେ ସମ୍ପର୍କରେ ସେ ଅବଗତ କରାଇଥିଲେ।ସେହିପରି ପି ଏମ ବିଶ୍ବକର୍ମା ଯୋଜନା, ପି ଏମ ଉଜ୍ଜ୍ବଳା ଯୋଜନା,ପି ଏମ ମୁଦ୍ରାଯୋଜନା,ପି ଏମ ମତ୍ସ୍ୟ ସମ୍ପଦ ଯୋଜନା,ପି ଏମ ଆବାସ ଯୋଜନା, ମହାତ୍ମାଗାନ୍ଧୀ ଜାତୀୟ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା, ଡ୍ରିଙ୍କ ଫ୍ରମ ଟ୍ଯାପ ବ୍ୟବସ୍ଥା, ପର୍ଯ୍ୟଟନ, ଜାତୀୟ ସ୍ବାସ୍ଥ୍ୟ ମିଶନ,ମିଶନ ଶକ୍ତି, ଚିଲିକା ଉନ୍ନୟନ, ମୃତ୍ତିକା ସଂରକ୍ଷଣ, କୃଷି, ପଶୁ ସମ୍ପଦ ବିଭାଗ, ବ୍ଲୁ ଫ୍ଲାଗ ବିଚ,ଉଦ୍ୟାନ ବିଭାଗ ଇତ୍ୟାଦି ସମ୍ପର୍କରେ ଜିଲ୍ଲାପାଳ ବିଷଦ ତଥ୍ୟ ଉପସ୍ଥାପନ କରିଥିଲେ। ବିଭିନ୍ନ ଯୋଜନା ସମ୍ପର୍କରେ ସଦସ୍ୟ ମାନଙ୍କ ଜିଜ୍ଞାସା କୁ ମଧ୍ୟ ଜିଲ୍ଲାପାଳ ସମାଧାନ କରିଥିଲେ।ଆଲୋଚନାରେ ସନ୍ତୋଷ ବ୍ୟକ୍ତ କରିବା ସହ ଏନ ଡି ସି ଟିମ ପକ୍ଷରୁ ଜିଲ୍ଲାପାଳ ଙ୍କୁ ଓ ଉପସ୍ଥିତ ଏସ ପି ବିନୀତ ଅଗ୍ରୱାଲ ଙ୍କୁ ସ୍ମାରକୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା।ପରେ ଏହି ଟିମ ବାଙ୍ଗର ସ୍ଥିତ ବହୁମୁଖୀ ବାତ୍ୟା ଆଶ୍ରୟ ସ୍ଥଳ ପରିଦର୍ଶନ କରିବା ପରେ କୋଣାର୍କ ମନ୍ଦିର ପରିଦର୍ଶନ କରିଥିଲେ। ଏହି ଟିମ ପୂର୍ବାହ୍ନରେ ଭୁବନେଶ୍ୱର ରୁ ବାହାରି ପ୍ରଥମେ ଐତିହ୍ୟ ଗ୍ରାମ ରଘୁରାଜପୁର ଠାରେ ପହଞ୍ଚି ଥିଲେ।ସେଠାରେ ଉପ ଜିଲ୍ଲାପାଳ ରାଜ କିଶୋର ଜେନା ତାଙ୍କୁ ସ୍ବାଗତ କରିଥିଲେ।ଐତିହ୍ୟ ଗ୍ରାମର କଳା କୃତି ଦେଖି ଏନ ଡି ସିର ପ୍ରତିନିଧିମାନେ ଆନନ୍ଦ ପ୍ରକାଶ କରିବା ସହ ଶିଳ୍ପୀ ମାନଙ୍କ ସହ ବାର୍ତ୍ତାଳାପ କରିଥିଲେ।କଞ୍ଚା ମାଲ ସଂଗ୍ରହ,ଉପକରଣ ର ପ୍ରସ୍ତୁତି ପ୍ରଣାଳୀ, ଉପଯୋଗ,ବିପଣୀ ବ୍ୟବସ୍ଥା ଇତ୍ୟାଦି ସମ୍ପର୍କରେ ସେମାନେ ପଚାରି ବୁଝିଥିଲେ।ପରେ ଶ୍ରୀମନ୍ଦିର ପରିଦର୍ଶନ କରି ଶ୍ରୀଜୀଉ ମାନଙ୍କୁ ଦର୍ଶନ କରିଥିଲେ।ତାଳବଣିଆ ଶ୍ରୀକ୍ଷେତ୍ର କଲୋନୀ ଅଙ୍ଗନବାଡ଼ି କେନ୍ଦ୍ର ପରିଦର୍ଶନ କରି କେନ୍ଦ୍ର ପରିଚାଳନା ସମ୍ପର୍କରେ ଆଲୋଚନା କରିବା ସହ ପିଲା ମାନଙ୍କ ସହ ଖୁସି ବ୍ୟକ୍ତ କରିଥିଲେ।ଅଙ୍ଗନବାଡି କେନ୍ଦ୍ର ର ଭିତ୍ତିଭୂମି, ଦୈନନ୍ଦିନ ବ୍ୟବସ୍ଥା, ପିଲା ମାନଙ୍କ ସ୍ବାସ୍ଥ୍ୟ ଓ ଚିକିତ୍ସା ବ୍ୟବସ୍ଥା, ଖାଦ୍ୟ ବ୍ୟବସ୍ଥା, ସ୍ବଛତା ଇତ୍ୟାଦି ସମ୍ବନ୍ଧରେ ସେମାନେ ପଚାରି ବୁଝିଥିଲେ। ଟିମରେ ବାଂଲାଦେଶ, ଭୁଟାନ, ବ୍ରାଜିଲ, ସାଉଥ ଆଫ୍ରିକା ପରି ବନ୍ଧୁ ରାଷ୍ଟ୍ର ର ପ୍ରତିନିଧି ମାନେ ଯୋଗ ଦେଇଥିଲେ। ସଦସ୍ୟ ବ୍ରିଗେଡିୟର ଅମ୍ରିତ ସାନ୍ଧୁ, ଏୟାର କମୋଡର ଶିବେନ୍ଦ୍ର ଚନ୍ଦ୍ର, କଲୋନେଲ ମୋହନ ଚନ୍ଦ୍ର ଗୁରୁଙ୍ଗ, କ୍ୟାପଟେନ ଏସ ଏ ଏନ ଜାମୋକୱ୍ବାଖେ ଖ୍ରୀଷ୍ଟୋପର ଖୁମାଲୋ, କମୋଡର ବିକାଶ ଚାୱ୍ବଲା,ବ୍ରିଗେଡିୟର ଆଶିଷ ଜୋହର, କମୋଡର ସେଖ ଜସିମୁଜାମନ,ଏୟାର କମୋଡର ବି ଏସ ବିଜୟ ରାଓ, ବ୍ରିଗେଡିୟର ସୌରଭ ଭଟ୍ଟନାଗର, କଲୋନେଲ ଥିନଲେ ଡୋର୍ଜି, ବ୍ରିଗେଡିୟର ରଞ୍ଜୁ କୁରେନ୍ସ, ମିସ ସୌମ୍ୟା ସି, ବ୍ରିଗେଡିୟର ଏସ ଏନ ଏସ ଚୌହାନ, ସିଏମଜି ଆଣ୍ଡ୍ରେ ଟେଇଜେରିଆ ବୋର୍ଜ୍ସେ ଓ ପ୍ରଣୟ କୁମାର ସୋନି ଏହି ଦଳରେ ସାମିଲ ହୋଇଛନ୍ତି।ଟୁର କୋର୍ଡିନେଟର ଭାବେ ଆଶିଷ ଚୌଧୁରୀ ସହଯୋଗ କରିଥିଲେ।ଆଲୋଚନା ବୈଠକରେ ଡିଏଫଓ ବିବେକ କୁମାର, ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ପ୍ରିୟରଞ୍ଜନ ପୃଷ୍ଟି, ପୌର ନିର୍ବାହୀ ଅଧିକାରୀ ଅଭିମନ୍ୟୁ ବେହେରା ଓ ଅନ୍ୟାନ୍ୟ ଜିଲ୍ଲା ସ୍ତରୀୟ ଅଧିକାରୀ ମାନେ ଯୋଗ ଦେଇଥିଲେ।